ସୁଦର୍ଶନ ଚକ୍ର, ଆଇରନ ଡୋମ ଓ ଗୋଲ୍‌ଡେନ୍‌ ଡୋମ

ସୁଦର୍ଶନ ଚକ୍ର ବା ଏସ୍‌‌ -୪୦୦, ଆଇରନ ଡୋମ ଓ ଗୋଲଡେନ ଡୋମ ହେଉଛି ଆଧୁନିକ ଯୁଦ୍ଧ ପ୍ରଣାଳୀର ଏକ ଏକ ପ୍ରମୁଖ ଅଂଶ। ଆଧୁନିକ ଯୁଦ୍ଧରେ ପଦାତିକ ବାହିନୀର ଭୂମିକା ଗୌଣ ହେଇଛି ଏବଂ ନିର୍ଣ୍ଣାୟକ ଭୂମିକା ନେଉଛି ବିମାନ ବାହିନୀ। କିଛିବର୍ଷ ପୂର୍ବରୁ ଯୁଦ୍ଧବିମାନରେ ପାଇଲଟ ଯାଇ ଶତ୍ରୁ ଦେଶ ଉପରେ ବୋମା ନିକ୍ଷେପ କରୁଥିଲା। ଏଥିରେ ପାଇଲଟର ଜୀବନ ସଙ୍କଟାପନ୍ନ ହେଉଥିଲା। କିନ୍ତୁ ଆଜିକାଲିର ଯୁଦ୍ଧରେ ପାଇଲଟବିହୀନ ଯାନ ଏହିସବୁ କାର୍ଯ୍ୟ କରୁଛି। […]

ସୁଦର୍ଶନ ଚକ୍ର ବା ଏସ୍‌‌ -୪୦୦, ଆଇରନ ଡୋମ ଓ ଗୋଲଡେନ ଡୋମ ହେଉଛି ଆଧୁନିକ ଯୁଦ୍ଧ ପ୍ରଣାଳୀର ଏକ ଏକ ପ୍ରମୁଖ ଅଂଶ। ଆଧୁନିକ ଯୁଦ୍ଧରେ ପଦାତିକ ବାହିନୀର ଭୂମିକା ଗୌଣ ହେଇଛି ଏବଂ ନିର୍ଣ୍ଣାୟକ ଭୂମିକା ନେଉଛି ବିମାନ ବାହିନୀ। କିଛିବର୍ଷ ପୂର୍ବରୁ ଯୁଦ୍ଧବିମାନରେ ପାଇଲଟ ଯାଇ ଶତ୍ରୁ ଦେଶ ଉପରେ ବୋମା ନିକ୍ଷେପ କରୁଥିଲା। ଏଥିରେ ପାଇଲଟର ଜୀବନ ସଙ୍କଟାପନ୍ନ ହେଉଥିଲା। କିନ୍ତୁ ଆଜିକାଲିର ଯୁଦ୍ଧରେ ପାଇଲଟବିହୀନ ଯାନ ଏହିସବୁ କାର୍ଯ୍ୟ କରୁଛି। ଏହାକୁ ‘ଡ୍ରୋନ’ କୁହାଯାଏ। ପୁନଶ୍ଚ ଆଜିକାଲି ବିକଶିତ ହୋଇଥିବା ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ନିଜ ଦେଶ ଭିତରେ ରହି କିମ୍ବା ସ୍ଥଳଭାଗରୁ, ବିମାନରୁ ଓ ଜଳଭାଗରୁ ଶତ୍ରୁ ଦେଶର ଲକ୍ଷ୍ୟ ସ୍ଥଳରେ ନିକ୍ଷେପ କରାଯାଇ ପାରୁଛି। ଯୁଦ୍ଧ ସମୟରେ ମୁଖ୍ୟତଃ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣରୁ ରକ୍ଷା କରିବା ହେଉଛି ପ୍ରତ୍ୟେକ ଦେଶର ପ୍ରାଥମିକତା। ଏଥିପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ବିକାଶ କରାଯାଇଛି। ଉପରେ ବର୍ଣ୍ଣିତ ତିନି ଯୁଦ୍ଧାସ୍ତ୍ର ହେଉଛି ଏହି ଶ୍ରେଣୀର।

ଭାରତର ମୁଖ୍ୟ କ୍ଷେପଣାସ୍ତ୍ର ବିରୋଧୀ ଯନ୍ତ୍ର ହେଉଛି ଏସ୍‌‌ ୪୦୦। ଏହା ରୁଷିଆରୁ ଭାରତ ଆଣିଛି ଏବଂ ଏହାର ନାମ ରଖିଛି ‘ସୁଦର୍ଶନ ଚକ୍ର’। ମହାଭାରତରେ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ର ଯେପରି ଅତି ଶକ୍ତିଶାଳୀ ଥିଲା, ଏସ୍‌‌ ୪୦୦ ମଧ୍ୟ ସେହିଭଳି ‘ଅପରେସନ୍‌‌ ସିନ୍ଦୂର’ରେ ନିଜର ପରାକ୍ରମ ଦେଖାଇଛି। ଏସ୍‌‌ ୪୦୦ରେ ଶକ୍ତିଶାଳୀ ରେଡାର ଖଞ୍ଜା ଯାଇଛି, ଯାହା ପ୍ରାୟ ୬୦୦ କି.ମି. ଦୂରରେ ଉଡୁଥିବା ଯେ କୌଣସି ଜିନିଷକୁ ଦେଖିପାରେ। ଠାବ କରିବା ପରେ ଏଥିରେ ଥିବା କମ୍ପ୍ୟୁଟର ଏହାକୁ ଯାଞ୍ଚ କରି ଏହା ବିମାନ ନା କ୍ଷେପଣାସ୍ତ୍ର ନା ପକ୍ଷୀ, ତାହା ସ୍ଥିର କରେ। ପୁନଶ୍ଚ ସେହି ବିମାନ କିମ୍ୱା କ୍ଷେପଣାସ୍ତ୍ର ନିଜ ଦେଶର ନା ଶତ୍ରୁ ଦେଶର, ତାହା ମଧ୍ୟ ଜାଣିପାରେ। ଶତ୍ରୁପକ୍ଷର ବିମାନ ବୋଲି ଜଣାପଡ଼ିଲେ, ଏହା କାଳବିଳମ୍ୱ ନ କରି ଧ୍ୱଂସ କରିବା ପାଇଁ କ୍ଷେପଣାସ୍ତ୍ର ନିକ୍ଷେପ କରେ। ଏହିସବୁ କାର୍ଯ୍ୟ ସ୍ୱୟଂଚାଳିତ ଭାବେ ହୋଇଥାଏ। ଏହି ପ୍ରତିରକ୍ଷା ପ୍ରଣାଳୀକୁ ସୀମାରେ ସ୍ଥାପନ କରାଯାଇଥାଏ। ଅବଶ୍ୟ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ନିର୍ମିତ କ୍ଷେପଣାସ୍ତ୍ର ବିରୋଧୀ ପ୍ରଣାଳୀ ମଧ୍ୟ ଏଥିରେ ସାମିଲ ହୋଇ ଭଲ କାର୍ଯ୍ୟ କରିଥିଲା। ଏସ୍‌‌ ୪୦୦ ନାମ କରଣରୁ ଜଣାପଡ଼େ ଯେ ଏହା ୪୦୦ କି.ମି ଦୂରତା ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ନିକ୍ଷେପ କରିପାରେ।

ଆଇରନ ଡୋମ ବା ଲୌହ ଗମ୍ୱୁଜ ହେଉଛି ଇସ୍ରାଏଲର କ୍ଷେପଣାସ୍ତ୍ର ବିରୋଧୀ ପ୍ରତିରକ୍ଷା ପ୍ରଣାଳୀ। ପଡ଼ୋଶୀ ଦେଶର ବିମାନ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଇସ୍ରାଏଲ୍‌ ଏକ ତ୍ରିସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟକାରୀ କରୁଛି। ଏହାର ପ୍ରଥମ ବା ବାହ୍ୟ ସ୍ତର ହେଉଛି କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହା ବାୟୁମଣ୍ଡଳ ବାହାରେ ଶତ୍ରୁ ଦେଶର କ୍ଷେପଣାସ୍ତ୍ରକୁ ଧ୍ୱଂସ କରେ। ଦ୍ୱିତୀୟ ସ୍ତର ବାୟୁମଣ୍ଡଳ ଭିତରେ ୩୦୦ କି.ମି. ପରିସୀମା ମଧ୍ୟରେ କାର୍ଯ୍ୟ କରେ। ଏହାର ଅାଭ୍ୟନ୍ତର ପ୍ରତିରକ୍ଷା ସ୍ତରରେ ଆଇରନ ଡୋମ ଅଛି ଏବଂ ଏଥିରେ ଶକ୍ତିଶାଳୀ ତାମିର କ୍ଷେପଣାସ୍ତ୍ର ଅଛି। ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲକୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଏହା ନଷ୍ଟ କରିଦେଇଥିଲା। ପୁନଶ୍ଚ ୨୦୨୪ ମସିହା ଅପ୍ରେଲ ୧ ତାରିଖ ଓ ଅକ୍ଟୋବର ୧ ତାରଖରେ ଇରାନ ଏକକାଳୀନ ଏକଶହରୁ ଅଧିକ କ୍ଷେପଣାସ୍ତ୍ର ଇସ୍ରାଏଲ୍‌‌କୁ ପଠାଇଥିବା ବେଳେ ଆଇରନ ଡୋମ୍‌‌ ୮୦ ପ୍ରତିଶତରୁ ଅଧିକ କ୍ଷେପଣାସ୍ତ୍ରକୁ ନଷ୍ଟ କରି ଦେଇଥିଲା।

‘ଗୋଲ୍‌ଡେନ୍‌ ଡୋମ୍‌‌’ ବା ‘ସୁନେଲୀ ଗମ୍ୱୁଜ’ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର କଳ୍ପିତ ପ୍ରତିରକ୍ଷା ପ୍ରଣାଳୀ। ବର୍ତ୍ତମାନ ଆମେରିକାରେ କ୍ଷୁଦ୍ର ଓ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପ୍ରତିରୋଧ ପାଇଁ ‘ଟର୍ମିନାଲ ହାଏ ଆଲ୍ଟିଚ୍ୟୁଡ ଏରିଆ ଡିଫେନ୍ସ ସିଷ୍ଟମ’ ବା ‘ଥାଡ’ ପ୍ରତିରକ୍ଷା ପ୍ରଣାଳୀ କାର୍ଯ୍ୟ କରୁଛି। ‘ଗୋଲ୍‌ଡେନ୍‌ ଡୋମ୍‌‌’ ଆମେରିକାକୁ ବାଲିଷ୍ଟିକ, କ୍ରୁସ ଓ ହାଇପର କ୍ଷେପଣାସ୍ତ୍ରରୁ ରକ୍ଷା କରିବ ଏବଂ ମହାକାଶରୁ ଶତ୍ରୁ ନିକ୍ଷେପ କରିବାକୁ ଥÒବା କ୍ଷେପଣାସ୍ତ୍ରକୁ ମଧ୍ୟ ଚିହ୍ନଟ କରି ଧ୍ୱଂସ କରିପାରିବ।

ଚାଇନା, ଉତ୍ତର କୋରିଆ, ରୁଷିଆ ଓ ଇରାନ ଗତ କେତେ ବର୍ଷ ଧରି ଦୂରଗାମୀ କ୍ଷେପଣାସ୍ତ୍ର ବିକାଶ କରୁଛନ୍ତି। ଏପରିକି ଉତ୍ତର କୋରିଆ ରାଷ୍ଟ୍ରପତି ଖୋଲାଖୋଲି କହିଥିଲେ ଯେ ତାଙ୍କ ଦେଶରୁ ନିକ୍ଷେପିତ କ୍ଷେପଣାସ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ପହଞ୍ଚିବାରେ କୌଣସି ଅସୁବିଧା ନାହିଁ। ଏଣୁ ଆମେରିକା ୧୭୫ ବିଲିୟନ ଡଲାର ଦେଇ ‘ଗୋଲ୍‌ଡେନ୍‌ ଡୋମ୍’ ବିକାଶ କରୁଛି। କୌଣସି ଦେଶରୁ କ୍ଷେପଣାସ୍ତ୍ର ଆମେରିକା ସୀମାରେ ପ୍ରବେଶ ପୂର୍ବରୁ ତା’କୁ ନଷ୍ଟ କରିଦେବ। ପୁନଶ୍ଚ ସୁଦୂର ଉତ୍ତର କୋରିଆ, ଚାଇନା କିମ୍ୱା ରୁଷିଆରୁ ନିକ୍ଷେପିତ କ୍ଷେପଣାସ୍ତ୍ରର ଗତିବିଧିକୁ ବାୟୁମଣ୍ଡଳରେ ଏହା ଜାଣିବାର ବ୍ୟବସ୍ଥା ରହିବ। ଏଥିପାଇଁ ସମୁଦ୍ର, ବାୟୁ ଓ ମହାକାଶରେ ସଂବେଦୀ ସ୍ଥାପନ କରାଯିବ।

ଇସ୍ରାଏଲ୍‌‌ର ଆଇରନ ଡୋମକୁ ସବୁଠାରୁ ପ୍ରଭାବଶାଳୀ ପ୍ରତିରକ୍ଷା ପ୍ରଣାଳୀ ମନେ କରାଯାଉଛି। ମାତ୍ର ଏହା ମଧ୍ୟ ଶତପ୍ରତିଶତ ପ୍ରଭାବୀ ନୁହେଁ। ‘ଗୋଲ୍‌ଡେନ୍‌ ଡୋମ୍’କୁ ଶତପ୍ରତିଶତ ପ୍ରଭାବୀ କରିବାକୁ ଚେଷ୍ଟା କରାଯାଉଛି। ରୁଷିଆ ନିର୍ମିତ ଏସ୍‌‌-୪୦୦ର ପରାକ୍ରମ ଆମେ ନିକଟରେ ଦେଖିଲେ। ଭାରତ ପାଖରେ ଏଥିରୁ ତିନୋଟି ଅଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଆଉ ଦୁଇଟି ଭାରତ ପାଇବ ବୋଲି ଚୁକ୍ତି ହୋଇଛି।

ଇଂ ମାୟାଧର ସ୍ୱାଇଁ
(ସମ୍ପାଦକ, ସାଇନ୍ସ ହୋରିଜନ)
ଭୁବନେଶ୍ୱର, ମୋ: ୯୪୩୮୬୯୩୭୨୪

About The Author: The Sakala