ବ୍ରିଟିଶ-ଆମେରିକୀୟ ଚଳଚ୍ଚିତ୍ର ଲେଖକ, ନିର୍ମାତା ଓ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲାନ୍ ତାଙ୍କର ଜୀବନୀ ଚଳଚ୍ଚିତ୍ର ‘ଓପେନହେମର’ ମାଧ୍ୟମରେ ବିଶ୍ୱର ସମଗ୍ର ଦର୍ଶକ ସମାଜକୁ ବାନ୍ଧି ରଖିବାରେ ସମର୍ଥ ହୋଇପାରିଛନ୍ତି। ଏହି ଜୀବନୀ ଆଧାରିତ ଚଳଚ୍ଚିତ୍ର ଆଣବିକ ପଦାର୍ଥ ବିଜ୍ଞାନ, ଦି ମ୍ୟାନହାଟାନ୍ ପ୍ରୋଜେକ୍ଟ(ଆମେରିକା ଦ୍ୱାରା ବିଶ୍ୱର ପ୍ରଥମ ପରମାଣୁ ବୋମାର ନିର୍ମାଣର ଆଧାରଶିଳା) ଏବଂ ଏହି ପ୍ରକଳ୍ପର ନିର୍ଦ୍ଦେଶକ ଜେ. ରବର୍ଟ ଓପେନହେମରଙ୍କ ଆଡ଼କୁ ବିଶ୍ୱ ଦୃଷ୍ଟିକୋଣକୁ ପୁନଶ୍ଚ ଅଭିପ୍ରେରିତ କରିବାରେ ସମର୍ଥ ହୋଇଛି ବୋଲି କୁହାଯାଇପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଆରମ୍ଭ ପୂର୍ବରୁ କଣିକା ପଦାର୍ଥ ବିଜ୍ଞାନୀ ଏବଂ ଗଣିତଜ୍ଞ ମ୍ୟାକ୍ସ ବର୍ଣ୍ଣ ଯେ କି ଓପନହେମରଙ୍କର ପିଏଚଡି ଗାଇଡ ଥିଲେ, ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଅକ୍ଟୋବର ୧୯୩୩ରୁ ମାର୍ଚ୍ଚ ୧୯୩୪ ପର୍ଯ୍ୟନ୍ତ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ (ଥିଓରିଟିକାଲ୍ ଫିଜିକ୍ସ)ର ରିଡର୍ ଭାବେ ୬ ମାସ କାର୍ଯ୍ୟ କରିଥିଲେ। ଏଥିପାଇଁ ଆମେ ଭାରତୀୟ ନୋବେଲ ପୁରସ୍କାର୍ ବିଜେତା ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କୁ ଏହାର ସମସ୍ତ ଶ୍ରେୟ ପ୍ରଦାନ କରିବା।
ସାର୍ ସି.ଭି.ରମଣ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଥିବା ସମୟକାଳ ମଧ୍ୟରେ ଜର୍ମାନୀରେ ନାଜି ପାର୍ଟିର ଅଭ୍ୟୁତଥାନ ଘଟିବା ଏକ ସଂଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟରେ ଇହୁଦୀ ଧର୍ମାବଲମ୍ବୀଙ୍କ ଦ୍ୱାରା ପଦାର୍ଥ ବିଜ୍ଞାନୀମାନଙ୍କୁ ଜର୍ମାନୀ ଛାଡ଼ି ଚାଲିଯିବାକୁ ବାଧ୍ୟ କରାଯାଉଥିଲା। ସାର୍ ସି.ଭି. ରମଣ ସେହି ପଦାର୍ଥ ବିଜ୍ଞାନୀମାନଙ୍କ ମଧ୍ୟରୁ କେତେକଙ୍କୁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଆସିବାକୁ ମଧ୍ୟ ଅନୁରୋଧ କରିଥିଲେ। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଏବଂ ସାର୍ ସି.ଭି. ରମଣଙ୍କ ପୁତୁରା ଏସ୍ ରାମଶେଷାନ୍ କରେଣ୍ଟ ସାଇନ୍ସ ମାଗାଜିନରେ ପ୍ରକାଶିତ ଏକ ଲେଖାରେ ପ୍ରକାଶ କରିଛନ୍ତି ଯେ ରମଣ ଭାରତର ଜ୍ଞାନ ବୈଭବ ମଧ୍ୟରେ ଥିବା ଶୂନ୍ୟସ୍ଥାନକୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ ଏବଂ ହିଟଲର ପ୍ରଶାସନର ବର୍ବର ଅତ୍ୟାଚାରକୁ ସହ୍ୟ କରିନପାରି ଦେଶ ଛାଡୁଥିବା ବୈଜ୍ଞାନିକମାନଙ୍କୁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନକୁ ଆଣିବାକୁ ସତତ ଚେଷ୍ଟିତ ଥିଲେ।
ଏକାଧିକ ଚିଠିପତ୍ର ଆଦନ ପ୍ରଦାନ ପରେ ଜାନୁଆରୀ ୧୭, ୧୯୩୫ ରେ ରମଣ ମ୍ୟାକ୍ସ ବର୍ଣ୍ଣଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନରେ ପ୍ରାଧ୍ୟାପକ ଭାବେ ଯୋଗଦାନ କରିବା ପାଇଁ ନିଯୁକ୍ତି ପତ୍ର ପଠାଇଲେ। ଏହା ମାତ୍ର ୬ ମାସ ପାଇଁ ଏକ ବିଶେଷ ନିଯୁ୍କ୍ତି ଥିଲା ଏବଂ ଅକ୍ଟୋବର ୧ ତାରିଖ ୧୯୩୫ରୁ ମାନଦେୟ ୧୫ ହଜାର ଟଙ୍କାରେ ସ୍ଥିର ହୋଇଥିଲା। ପୂର୍ଣ୍ଣକାଳୀନ ଚାକିରି ପାଇଁ ରମଣଙ୍କ ଅନୁରୋଧକୁ ମ୍ୟାକ୍ସ ବର୍ଣ୍ଣ ଏକାଧିକ କାରଣ ଦର୍ଶାଇ ପ୍ରତ୍ୟାଖାନ କରିଦେଇଥିଲେ। ତନ୍ମଧ୍ୟରୁ ଦୁଇଟି କାରଣ ଥିଲା- ସେତେବେଳକୁ ତାଙ୍କ ବୟସ ଥିଲା ୫୨ ବର୍ଷ ଏବଂ ବାଙ୍ଗାଲୋରରେ ଜଳବାୟୁ। ପ୍ରକୃତରେ ମ୍ୟାକ୍ସ ବର୍ଣ୍ଣ ପ୍ରସ୍ତାବ ଦେଇଥିଲେ ଯେ ସେ କିଛି ମାସ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନକୁ ପରିଦର୍ଶନ କରିବାକୁ ପସନ୍ଦ କରିବେ ଏବଂ ଏକ ବୈଜ୍ଞାନିକ ଅଭିଭାଷଣ ପ୍ରଦାନ କରିବେ। ମ୍ୟାକ୍ସ ବର୍ଣ୍ଣଙ୍କ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରୋଫାଇଲ୍ ବା ଜୀବନ ବୃତ୍ତାନ୍ତ ପୃଷ୍ଠା ଉଲ୍ଲେଖ କରିଛି ଯେ ଯଦିଓ ସେ ଲୁଥର ଧର୍ମକୁ ପରିବର୍ତ୍ତିତ ହୋଇଥିଲେ ପରନ୍ତୁ ଇହୁଦୀ ବଂଶଧର ଭାବେ ତାଙ୍କୁ ନାଜି-ଜର୍ମାନୀର ଇହୁଦୀ ବିରୋଧୀ କାନୁନ ଅନୁଯାୟୀ ପରିଗଣିତ କରାଯାଉଥିଲା। ମ୍ୟାକ୍ସ ବର୍ଣ୍ଣ ୧୯୩୩ ମସିହାରେ ଜର୍ମାନୀରୁ ପଳାଇ ଆସି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବ୍ୟାବହାରିକ ଗଣିତ ବିଷୟରେ ଷ୍ଟୋକ୍ସ ଅଧ୍ୟାପକ ଭାବେ ଯୋଗଦେଲେ ଓ ପରେ ବାଙ୍ଗାଲୋର ସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ୬ ମାସ କାର୍ଯ୍ୟ କରିଥିଲେ।
ସେପ୍ଟେମ୍ବର ୨୮, ୧୯୩୫ ରେ ମ୍ୟାକ୍ସ ବର୍ଣ୍ଣ ତାଙ୍କ ସ୍ତ୍ରୀ ହେଡିଙ୍କ ସହ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଯୋଗଦାନ ବେଳକୁ ସେ ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଭାବେ ବିଶ୍ୱ ଦରବାରରେ ପରିଚିତ ଥିଲେ। ମ୍ୟାକ୍ସ ବର୍ଣ୍ଣ ୧୯୨୦ ଦଶକରେ ଇରୱିନ୍ ସ୍କ୍ରୋଡିଙ୍ଗ୍ଜର, ଜେମ୍ସ ପ୍ରାନˆ ଏବଂ ୱେର୍ଣ୍ଣର ହାଇଡେନବର୍ଗଙ୍କ ସହ ମିଳିତ ଭାବେ କ୍ୱାଣ୍ଟମ୍ ମେକାନିକ୍ସର ଆଧାର ଶିଳାର ବିକାଶରେ ବଳିଷ୍ଠ ଯୋଗଦାନ ଦେଇଥିଲେ, ଯାହା ଅଣୁ, ପରମାଣୁ ଓ ଉପପାରମାଣବିକ କଣିକା ସ୍ତରରେ ପ୍ରକୃତିର ଚିତ୍ରଣ କରିଥାଏ। ଏହି ତଥ୍ୟ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ତ୍ରୈମାସିକ ପତ୍ରିକା ‘କନ୍ନେକ୍ଟ’ରେ ଉଲ୍ଳେଖ ରହିଛି।
୧୯୯୮ ମସିହାରେ ରମଣ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ଦ୍ୱାରା ପ୍ରକାଶ ପାଇଥିବା ଐତିହାସିକ ବିବରଣୀଗୁଡ଼ିକରୁ ଜଣାପଡ଼ିଛି ଯେ ମ୍ୟାକ୍ସ ବର୍ଣ୍ଣ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ତାଙ୍କର ରହଣିକୁ ବେଶ୍ ଉପଭୋଗ କରିଥିଲେ ଏବଂ ତାଙ୍କ ପ୍ରଦତ୍ତ ବୈଜ୍ଞାନିକ ଅଭିଭାଷଣଗୁଡ଼ିକ ମଧ୍ୟ ବେଶ ପ୍ରଶଂସନୀୟ ହୋଇଥିଲା। ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ କାର୍ଯ୍ୟରତ ଥିବା ଗବେଷକ ଛାତ୍ରମାନେ ଅତ୍ୟନ୍ତ ବୁଦ୍ଧିମାନ ଥିଲେ ଏବଂ ସ୍ଥାୟୀ ପଦବୀ ପାଇଁ ରମଣଙ୍କ ମୂଳ ଅନୁରୋଧକୁ ସେ ଅବଶେଷରେ ଗ୍ରହଣ କରିଥିଲେ। କିନ୍ତୁ ଘଟଣା ଚକ୍ର ଠିକ୍ ତାହା ନଥିଲା। ରମଣ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ ତରଫରୁ ପ୍ରକାଶିତ ଅନ୍ୟ ଏକ ତଥ୍ୟ ଅନୁଯାୟୀ ଏକ ବୈଠକରେ ମ୍ୟାକ୍ସ ବର୍ଣ୍ଣଙ୍କ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ସିଦ୍ଧାନ୍ତ ଗ୍ରହଣ ପାଇଁ ରମଣ ମ୍ୟାକ୍ସ ବର୍ଣ୍ଣଙ୍କ ଅସାଧାରଣ କୃତି ଉପରେ ଆଲୋକପାତ କରିଥିଲେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ ଯେ ସେହି ବୈଠକରେ ଉପସ୍ଥିତ ଥିବା ଜଣେ ବ୍ରିଟିଶ ନାଗରିକ ଯେ କି ବିଜ୍ଞାନ କିମ୍ବା ଇଂଜିନିୟରିଂ କ୍ଷେତ୍ରରେ ସେତେ ବେଶୀ ପରିଚିତ ନଥିଲେ, ମ୍ୟାକ୍ସ ବର୍ଣ୍ଣଙ୍କ ସମ୍ବନ୍ଧରେ ଅପମାନଜନକ ଶବ୍ଦାବଳୀ ପ୍ରୟୋଗ କଲେ। ‘କନ୍ନେକ୍ଟ’ ପତ୍ରିକା ଅନୁଯାୟୀ ସେହି ବ୍ରିଟିଶ ନାଗରିକଙ୍କ ନାଁ କେନ୍ନେଥ ଆଷ୍ଟନ ବୋଲି ଜଣାପଡ଼ିଛି।
ତା’ ହେଲେ ଘଟଣା କି ମୋଡ଼ ନେଲା? ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅନୁଯାୟୀ ରମଣ, ମ୍ୟାକ୍ସ ବର୍ଣ୍ଣଙ୍କ ପାଇଁ ଏକ ସ୍ଥାୟୀ ଚେୟାର ସୃଷ୍ଟି କରିବାକୁ ଅତ୍ୟଦତି ଇଚ୍ଛୁକ ଥିଲେ ଏବଂ ଏହି ଚିନ୍ତାଧାରା ପ୍ରତି ମାକ୍ସ ବର୍ଣ୍ଣ ମଧ୍ୟ ସହମତି ପ୍ରକାଶ କରିଥିଲେ। ଏଥିପାଇଁ ଦୁଇଟି ସର୍ଚ୍ଚ କମିଟି ମଧ୍ୟ ଗଠନ କରାଯାଇଥିଲା। ଗୋଟିଏ ସର୍ଚ୍ଚ କମିଟି ରମଣଙ୍କ ଅଧ୍ୟକ୍ଷତାରେ ବାଙ୍ଗାଲୋରରେ ଏବଂ ଅନ୍ୟଟି ବିଖ୍ୟାତ ପଦାର୍ଥବିଜ୍ଞାନୀ ଅର୍ଣ୍ଣେଷ୍ଟ ର୍ୟୁଥରଫୋର୍ଡଙ୍କ ଅଧ୍ୟକ୍ଷତାରେ ଲଣ୍ଡନରେ। ଏହି କମିଟି ଗଠନ କେବଳ ମାତ୍ର ଔପଚାରିକତା ଥିଲା। ଉଭୟ କମିଟି ମ୍ୟାକ୍ସ ବର୍ଣ୍ଣଙ୍କୁ ଏହି ସ୍ଥାୟୀ ପଦବୀ ପ୍ରଦାନ କରିବା ପାଇଁ ପୂର୍ଣ୍ଣ ସହମତ ଥିଲେ। ପରନ୍ତୁ ଏଥିପାଇଁ ରମଣଙ୍କୁ ସିନେଟ୍, ଫାକଲ୍ଟି ସମାଜ ଓ କାଉନସିଲର ମଞ୍ଜୁରୀ ନେବାର ଆବଶ୍ୟକତା ଥିଲା। ବହୁ ଅନୁନୟ ପରେ ରମଣ ମ୍ୟାଥମେଟିକାଲ୍ ଫିଜିକ୍ସ ବିଷୟରେ ପ୍ରଫେସର ପଦବୀ ସୃଷ୍ଟି କରିବାକୁ ଏ ସମସ୍ତ ଗୋଷ୍ଠୀଙ୍କୁ ମନେଇବାରେ ସକ୍ଷମ ହୋଇଥିଲେ। ସିନେଟ ମିଟିଂ ସମୟରେ ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି ବିଭାଗରେ ନଭେମ୍ବର ୧୯୩୫ରେ ପ୍ରଫେସର ଭାବେ ଯୋଗଦେଇଥିବା ବ୍ରିଟିଶ ନାଗରିକ ଆଷ୍ଟନ କେବଳ ରମଣଙ୍କୁ ନୁହେଁ, ବରଂ ମ୍ୟାକ୍ସ ବର୍ଣ୍ଣଙ୍କୁ ମଧ୍ୟ ଆକ୍ଷେପ କରିଥିଲେ। ସିନେଟ ମିଟିଂରେ ଆଷ୍ଟନ ରମଣଙ୍କ ପ୍ରସ୍ତାବ ଉପରେ ଅତ୍ୟନ୍ତ ଅପ୍ରିୟ ଢଙ୍ଗରେ ନିଜର ମତାମତ ପରିବେଷଣ କରି କହିଥିଲେ ଯେ ନିଜ ଦେଶରୁ ତଡ଼ା ଖାଇଥିବା ଜଣେ ଦ୍ୱିତୀୟ ଶ୍ରେଣୀୟ ବୈଦେଶିକ ନାଗରିକଙ୍କୁ ଏଠାରେ କୌଣସି ସ୍ଥାୟୀ ପଦବୀ ପାଇଁ ଆଦୌ ଉପଯୁକ୍ତ ନୁହଁ। ଆଷ୍ଟନ ଦମ୍ପତି ଯେତେବେଳେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଯୋଗଦେବାକୁ ଆସିଥିଲେ ସେତେବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳା ପ୍ରସ୍ତୁତ ହୋଇନଥିଲା। ସେମାନେ କିଛିଦିନ ପାଇଁ ମ୍ୟାକ୍ସ ବର୍ଣ୍ଣଙ୍କ କ୍ୱାଟର୍ସରେ ଅତିଥି ଭାବେ ରହିଥିଲେ। ଏଭଳି ଆତିଥେୟତା ପ୍ରଦାନ କରିବା ସତ୍ତ୍ବେ ମ୍ୟାକ୍ସ ବର୍ଣ୍ଣଙ୍କୁ କଡ଼ା ଶବ୍ଦରେ ସିନେଟ ମିଟିଂରେ ଆଷ୍ଟନ ଆକ୍ଷେପ କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଥିଲା। ମ୍ୟାକ୍ସ ବର୍ଣ୍ଣ ବିଚଳିତ ମନରେ ନିଜ କ୍ୱାଟର୍ସକୁ ଫେରି ସ୍ତ୍ରୀ ହେଡିଙ୍କ ପାଖରେ କାନ୍ଦି କାନ୍ଦି ସବୁକଥା ବଖାଣି ଥିଲେ।
ସାର୍ ସି.ଭି. ରମଣଙ୍କ ଦ୍ୱାରା ଇଣ୍ଡିଆନ ଏକାଡେମୀ ଅଫ୍ ସାଇନ୍ସେସ୍ ଅଭିଲେଖାଗାର ଅନୁଯାୟୀ, ନଭେମ୍ବର ୧୯୩୫ ରୁ ଏପ୍ରିଲ ୧୯୩୬ ମଧ୍ୟରେ ମ୍ୟାକ୍ସ ବର୍ଣ୍ଣ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକାଧିକ ବୈଜ୍ଞାନିକ ଗବେଷଣା ନିବନ୍ଧ ପ୍ରକାଶ କରିଥିଲେ। ଭାରତୀୟ ବୈଜ୍ଞାନିକ ସମାଜ ସବୁଦିନ ପାଇଁ ମ୍ୟାକ୍ସ ବର୍ଣ୍ଣଙ୍କ ପରି ଜଣେ ଯଶସ୍ୱୀ ବୈଜ୍ଞାନିକଙ୍କୁ ହରେଇ ବସିଲା ଯେ କି ପରବର୍ତ୍ତୀ ସମୟରେ ୧୯୫୪ ମସିହାରେ କ୍ୱାଣ୍ଟମ ମେକାନିକ୍ସରେ ମୌଳିକ ଗବେଷଣା ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। ମ୍ୟାକ୍ସ ବର୍ଣ୍ଣ ୫ ଜାନୁୟାରୀ ୧୯୭୦ରେ ୮୭ ବର୍ଷ ବୟସରେ ପଶ୍ଚିମ ଜର୍ମାନୀର ଗୋଟିନେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଡକ୍ଟର ଚିତ୍ତରଞ୍ଜନ ମିଶ୍ର
ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩