ମାନବ ବୁଦ୍ଧିମତ୍ତା ଶ୍ରେୟସ୍କର

ପ୍ରଯୁକ୍ତି ବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଡିଜିଟାଲ ଯୁଗରେ କିଛି ନୂଆ କଥା ନୁହେଁ। ଆଜିକାଲି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ବିସ୍ତୃତ କ୍ଷେତ୍ର। ଏହାର ବ୍ୟବହାର ଓ କୌଶଳ କେବଳ ଶିଳ୍ପ କ୍ଷେତ୍ରରେ ସୀମିତ ନ ରହି ଆମର ଦୈନନ୍ଦିନ ଜୀବନରେ ମଧ୍ୟ ହେଉଛି। ସ୍ୱୟଞ୍ଚାଳିତ ଗାଡ଼ିରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚାଟ୍‌‌ ଜିପିଟ୍‌‌, ମେସିନ୍‌‌ […]

ପ୍ରଯୁକ୍ତି ବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଡିଜିଟାଲ ଯୁଗରେ କିଛି ନୂଆ କଥା ନୁହେଁ। ଆଜିକାଲି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ବିସ୍ତୃତ କ୍ଷେତ୍ର। ଏହାର ବ୍ୟବହାର ଓ କୌଶଳ କେବଳ ଶିଳ୍ପ କ୍ଷେତ୍ରରେ ସୀମିତ ନ ରହି ଆମର ଦୈନନ୍ଦିନ ଜୀବନରେ ମଧ୍ୟ ହେଉଛି। ସ୍ୱୟଞ୍ଚାଳିତ ଗାଡ଼ିରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚାଟ୍‌‌ ଜିପିଟ୍‌‌, ମେସିନ୍‌‌ ଲର୍ଣ୍ଣିଂ, ଡିପ୍‌‌ ଲର୍ଣ୍ଣିଂ ଶିକ୍ଷା, ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଓ ରୋବୋଟିକ୍ସ ମାଧ୍ୟମରେ ମଣିଷର ଅନେକ କାର୍ଯ୍ୟକୁ ସହଜରେ ଓ ଶୀଘ୍ର କରିବାରେ ସକ୍ଷମ ହୋଇପାରୁଛି। ଏଆଇର ବହୁଳ ବ୍ୟବହାର ଓ ସରଳ ପ୍ରୟୋଗ ଯୋଗୁଁ କୃତ୍ରିମ ବୁଦ୍ଧି ଧୀରେ ଧୀରେ ମାନବୀୟ ବୁଦ୍ଧିଠାରୁ ଅଧିକ ସକ୍ରିୟ ଭୂମିକା ଗ୍ରହଣ କଲାଣି। ଏହା ସତ ଯେ ଭବିଷ୍ୟତରେ ମଣିଷ କୃତ୍ରିମ ବୁଦ୍ଧିର ଦାସ ହୋଇଯିବ।

ଅନେକ ବିଶେଷଜ୍ଞଙ୍କ ମତରେ ଏଆଇ ଏକ ଯାନ୍ତ୍ରିକ ପ୍ରକ୍ରିୟା, ଯାହାକୁ ଆମେ ନିୟନ୍ତ୍ରଣ କରିପାରିବୁ ନାହିଁ। ଏଥିପାଇଁ ମନୋବିଜ୍ଞାନୀମାନେ ମାନବ-ଯନ୍ତ୍ରର ପାରସ୍ପରିକ କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରି ଗୋଟିଏ ମନ୍ତବ୍ୟ ଦେଇଛନ୍ତି। ସେମାନଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ମଣିଷ କାର୍ଯ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ଭେଦଭାବ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ, କିନ୍ତୁ ରୋବଟ୍‌‌ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ। ବିରାମ୍ୟାନ୍‌‌ ଓ ତାଙ୍କ ସହଯୋଗୀମାନେ ମାଲେସିଆର ଏକ ହୋଟେଲରେ ଉଭୟ ରୋବଟ୍‌‌ ଏବଂ ମାନବ ଶ୍ରମିକକୁ ନିୟୋଜିତ କରି ସେମାନଙ୍କ ପାରସ୍ପରିକ ସମ୍ପର୍କକୁ ବିଶ୍ଳେଷଣ କରିଥିଲେ। ହୋଟେଲ୍‌‌ର ଅତିଥିମାନେ ରୋବଟ୍‌‌ କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରିବା ପରେ ମାନବ ଶ୍ରମିକମାନଙ୍କ ସହିତ ବ୍ୟବହାରରେ ତୁଳନାତ୍ମକ ଭାବେ କମ୍‌‌ ସମ୍ମାନ ଦେଉଥିବା ଦେଖାଯାଇଥିଲା। କାରଣ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ସଚ୍ଚୋଟ ଓ ସ୍ୱଚ୍ଛତା ଉପରେ ଲୋକମାନଙ୍କର ଅଧିକ ବିଶ୍ୱାସ ଅଛି। ଏହା କିନ୍ତି ମଣିଷ ସଭ୍ୟତା ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟ ଏକ ଦିଗ ହେଉଛି ଏଆଇ ବର୍ତ୍ତମାନ ଥେରାପି ପରି ସହାୟତା ଯୋଗାଉଛି। ମାନସିକ ସହଯୋଗ ପାଇଁ ଚାଟ୍‌‌ବଟ୍‌‌ର ସାହାଯ୍ୟ ଅତୁଳନୀୟ। ସେଥିପାଇଁ ଆମକୁ ମାନବ ବୁଦ୍ଧି ଓ କୃତ୍ରିମ ବୁଦ୍ଧି ମଧ୍ୟରେ ପାର୍ଥକ୍ୟ ଜାଣିବାକୁ ହେବ। କୃତ୍ରିମ ବୁଦ୍ଧି ମାନବ ଦ୍ୱାରା ସୃଷ୍ଟି। କିନ୍ତୁ କୃତ୍ରିମ ବୁଦ୍ଧି କେଉଁ କାର୍ଯ୍ୟରେ ସଫଳ ଓ କେଉଁ କାର୍ଯ୍ୟରେ ବିଫଳ ଏହା ଆମକୁ ଜାଣିବାର ଅଛି।

ମାନବ ମସ୍ତିଷ୍କର ଜଟିଳ ଓ ଗତିଶୀଳ କାର୍ଯ୍ୟରେ ମାନବ ବୁଦ୍ଧିର ଚିନ୍ତା କରିବା ଓ ସମସ୍ୟା ସମାଧାନର ଭାଷା ଓ ନିଷ୍ପତ୍ତି ନେବାର କ୍ଷମତା କୃତ୍ରିମ ବୁଦ୍ଧିଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯାହା ଚେତନା, ଆତ୍ମ ସଚେତନତା, ଭାବନା ଓ ବିବିଧ ଜ୍ଞାନର କ୍ଷମତା ସୃଷ୍ଟି କରିପାରେ। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧି ମାନବ- ପରିକଳ୍ପନା, ଯେଉଁଥିରେ ଆଲଗୋରିଦମ୍‌‌ ଦ୍ୱାରା ତଥ୍ୟ ପ୍ରକ୍ରିୟାକରଣ ଓ ପ୍ରୋଗ୍ରାମ ହୋଇଥିବା ତର୍କସବୁ କିପରି ମାନବୀୟ ବୁଦ୍ଧିମତ୍ତାକୁ ଅନୁକରଣ କରିବ ଓ କାର୍ଯ୍ୟକାରୀ କରିପାରିବ, ସେ ଦିଗଗୁଡ଼ିକୁ ଧ୍ୟାନ ଦିଆଯାଏ। ମନୁଷ୍ୟର ମସ୍ତିଷ୍କ ଓ କମ୍ପ୍ୟୁଟର ମଧ୍ୟରେ ସମାନ୍ତରତା ଲକ୍ଷ୍ୟ କରି ପ୍ରଯୁକ୍ତି ବୈଜ୍ଞାନିକମାନେ କୃତ୍ରିମ ବୁଦ୍ଧିମତ୍ତାର ପରିକଳ୍ପନା କରିଛନ୍ତି। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଏଆଇ ମୁହୂର୍ତ୍ତକ ମଧ୍ୟରେ ବିଶାଳ କାର୍ଯ୍ୟ କରୁଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ସୂଚନା ଗ୍ରହଣ କରି କ୍ରମକାଳୀନ ପଦ୍ଧତିରେ ବିଶ୍ଳେଷଣ କରେ। ମାତ୍ର ମନୁଷ୍ୟର ମସ୍ତିଷ୍କ ସମାନ୍ତରାଳ ଭାବେ ଏକାଧିକ ଚିନ୍ତନ କରିପାରେ। ବଜାରରୁ ଜିନିଷ କିଣିବା ସମୟରେ ଜିନିଷର ମନୋନୟନ, ମୂଲ୍ୟ ଆକଳନ ଓ ସେହି ସମୟରେ ଚିହ୍ନାଲୋକ ଥିଲେ ଅଭିନନ୍ଦନ ଜଣାଇବା ପରି ଏକସଙ୍ଗରେ ଅନେକ କାର୍ଯ୍ୟ କରିଥାଏ। ହେଲେ ଏଆଇ ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ କରିଥାଏ। ଏହାସହିତ ମଣିଷର ବୁଦ୍ଧିମତ୍ତାର ପ୍ରୟୋଗ କୃତ୍ରିମ ବୁଦ୍ଧିମତ୍ତାଠାରୁ ଅନେକାଂଶରେ ଅଧିକ।

ମାନବ ବୁଦ୍ଧିମତ୍ତା ମଣିଷର ଅଭିଜ୍ଞତା, ଶିକ୍ଷା, ପର୍ଯ୍ୟବେକ୍ଷଣ, ଅନୁଶୀଳନ ଦ୍ୱାରା ପ୍ରଭାବିତ ଓ ପରିଚାଳିତ ହୁଏ। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତା ଡାଟା ଓ ପାଟନ୍‌‌ ଅର୍ଥାତ୍‌‌ ଆଲଗୋରିଦିମ୍‌‌ ଓ ମେସିନ୍‌‌ ଲର୍ନିଙ୍ଗ ଉପରେ ଆଧାରିତ। ମଣିଷର ବୁଦ୍ଧି ନୂତନ ଚିନ୍ତାଧାରା, କଳା, ଉଦ୍ଭାବନ ଓ ନୂତନତ୍ୱରେ ପାରଙ୍ଗମ। ବିସ୍ତୃତ ଭାବରେ ଚିନ୍ତା କରିବା, ସମ୍ଭାବନାକୁ କଳ୍ପନା ଜରିଆରେ କାର୍ଯ୍ୟରେ ରୂପାନ୍ତରଣ କରିବାର ବୈଶିଷ୍ଟ୍ୟ ମାନବ ବୁଦ୍ଧିମତ୍ତାରେ ରହିଛି। ଅପରପକ୍ଷରେ କୃତ୍ରିମ ବୁଦ୍ଧିମତ୍ତା କିଛି ପରିମାଣରେ ସୃଜନଶୀଳ ଫଳାଫଳ ସୃଷ୍ଟି କରିପାରେ, କିନ୍ତୁ ଏହା ଏକ ପୂର୍ବ ନିର୍ଦ୍ଧାରିତ ଢାଞ୍ଚା ଓ ତଥ୍ୟ ଉପରେ ଆଧାରିତ। ମାନବ ବୁଦ୍ଧିର ସବୁଠୁ ଶକ୍ତିଶାଳୀ ବୈଭବ ହେଉଛି ଭାବପ୍ରବଣ ବୁଦ୍ଧି। ମଣିଷମାନେ ସମ୍ବେଦନଶୀଳ, ଭାବରେ ପରିପ୍ରକାଶ କରିବାରେ ଧୂରନ୍ଧର, ସାମାଜିକ ସୂଚନାକୁ ଭଲ ଭାବରେ ବାଖ୍ୟା କରିପାରିବାରେ ପ୍ରବୀଣ ଅଟନ୍ତି। ଜଟିଳ ପାରସ୍ପରିକ ସମ୍ପର୍କକୁ ଅତୁଟ ରଖି ବାନ୍ଧି ପାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏହାଛଡ଼ା ପ୍ରଭାବଶାଳୀ ଯୋଗାଯୋଗ ଓ ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତାଠାରୁ ଯଥେଷ୍ଟ ଆଗରେ ଅଛନ୍ତି।

କୃତ୍ରିମ ବୁଦ୍ଧିମତ୍ତାରେ ପ୍ରକୃତ ଭାବପ୍ରବଣ ବୁଦ୍ଧିର ଅଭାବ ରହିଛି। ଯଦିଓ କେତେକ ଏଆଇ ପ୍ରଣାଳୀ ମାନବିକ ଭାବନାକୁ ଚିହ୍ନିବା ବା ତାକୁ ବିଶ୍ଳେଷଣ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିବାର ଦକ୍ଷତା ହାସଲ କଲେଣି, ତଥାପି ଏଆଇ ପାଖରେ ସହନଶୀଳତା ଓ ସମ୍ବେଦନଶୀଳତାର ଅଭାବ ରହିଛି। ମଣିଷମାନେ ଆତ୍ମସଚେତନ। ସେମାନଙ୍କର ଅସ୍ତିତ୍ୱ, ଚିନ୍ତାଧାରା ଓ ଭାବନା ବିଷୟରେ ବୁଝିବାର ଧାରଣା ଅଛି। ଏହି ଆତ୍ମସଚେତନତା, ଆନ୍ତରିକତା, ଆତ୍ମପ୍ରତିଫଳନକୁ ଆଧାର କରି ଅନୁକୂଳ ପରିବେଶରେ ବଞ୍ଚିବାର କ୍ଷମତା ମଣିଷ ପାଖରେ ଅଛି, ଯାହା ଏଆଇ ପାଖରେ ଅଭାବ। ଏହା ନିଶ୍ଚିତ ପରିବେଶ, ନିଶ୍ଚିତ ତଥ୍ୟ ଉପରେ କାର୍ଯ୍ୟକ୍ଷମ ହୋଇପାରିବ। କିନ୍ତୁ ମାନବ ବୁଦ୍ଧି ଶୀଘ୍ର ନିଷ୍ପତ୍ତି ନେବା କିମ୍ବା ଅନିଶ୍ଚିତ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ଆଣିବା, ସାଧାରଣ ଜ୍ଞାନ, ଆନ୍ତରିକତା ଭାବ ଇତ୍ୟାଦିରେ କୃତ୍ରିମ ବୁଦ୍ଧିମତ୍ତାଠାରୁ ଯଥେଷ୍ଟ ଆଗରେ ଅଛି। ସର୍ବୋପରି କୌଣସି ଏକ ଜଟିଳ କାର୍ଯ୍ୟ କରିବା ପାଇଁ ଇଚ୍ଛା, ପ୍ରବୃତ୍ତି ଓ ଅନ୍ତର୍ନିହିତ ମୂଲ୍ୟବୋଧ କେବଳ ମନୁଷ୍ୟ ମଧ୍ୟରେ ରହିଛି।

ମାନବ ଜୀବନର ଅସ୍ତିତ୍ୱ ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ଉପରେ ଆଧାରିତ। ମଣିଷ ବୁଦ୍ଧି, ଏହାର ଗଭୀରତା, ଅନୁକୂଳତା, ଭାବପ୍ରବଣ ସମୃଦ୍ଧତା, ସୃଜନଶୀଳତା କୃତ୍ରିମ ବୁଦ୍ଧିମତ୍ତାରୁ ଯଥେଷ୍ଟ ଅଧିକ। ମାନସିକ ସହଯୋଗ, ସହାୟତା, ପରାମର୍ଶ, କୋଚିଂ ଓ ଥେରାପି ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଭାବପ୍ରବଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରରେ ଏଆଇରେ ମଧ୍ୟ ସୁଯୋଗ ସୃଷ୍ଟି କରାଯାଇପାରିବ। ମଣିଷର ବୁଦ୍ଧି ଓ ବୌଦ୍ଧିକ କ୍ଷମତା ଓ କୃତ୍ରିମ ବୁଦ୍ଧିମତ୍ତାର ଏକ ରୋମାଞ୍ଚକର ଭବିଷ୍ୟତ ଅଛି। ଏହାର ବ୍ୟବଧାନକୁ ଦୂର କରିବା ପାଇଁ ଅନେକ ପ୍ରୟାସ ଚାଲିଛି।

ଡ. କଳ୍ପନା ସାହୁ
ଭୁବନେଶ୍ୱର, ମୋ: ୮୨୪୯୮୯୬୧୪୮

About The Author: The Sakala