କଥାରେ ଅଛି, ‘ଛୋଟା ମଇଁଷି ପଛରେ ଥାଏ, ଲେଉଟିଲା ବେଳେ ଆଗରେ ରୁହେ।’ କୌଣସି କ୍ଷେତ୍ରରେ ଭଲ ଆଡ଼ୁ ହିସାବ କଲେ ତାଲିକାର ଶେଷରେ ଥିବା ଦେଶଟି ଯଦି ଆତ୍ମଗ୍ଲାନିରେ ଜର୍ଜରିତ ହେଉଥାଏ, ଲେଉଟାଣି ଗଣିଲେ ଶେଷରେ ଥିବା ସେ ଦେଶଟି ଏକନମ୍ୱର ହୁଏ। ପ୍ରଗତି ଥରେ ଆଗଉଥିବା ଆମ ଦେଶ ୨୦୩୦ ବେଳକୁ ତୃତୀୟ ଅର୍ଥନୈତିକ ଦେଶର ମାନ୍ୟତା ଲାଭ କରିବ ବୋଲି କୁହାଯାଉଛି। ଦେଶର କୋଟିକୋଟି ଯୁବଶକ୍ତିକୁ ନେଇ ଦେଶ ସବୁଜ ସ୍ୱପ୍ନ ଦେଖୁଥିବା ବେଳେ ଶିକ୍ଷିତ ବେକାରମାନଙ୍କୁ ଚାକିରି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ବହୁ ତଳେ ରହିଛି। ଦେଶ ତେବେ କେଉଁମାନଙ୍କୁୁ ନେଇ ପ୍ରଗତି ପଥରେ ଆଗେଇବାର ଦିବାସ୍ୱପ୍ନ ଦେଖିଛି?
ପାଞ୍ଚବର୍ଷରେ ଥରେ ହେଉଥିବା ନିର୍ବାଚନ ବେଳେ ଶାସକଦଳ ତା’ର ପ୍ରଗତିର ଫର୍ଦ୍ଦ ଓଲଟାଉଲା ବେଳେ ବିରୋଧୀମାନେ ଅଣଦୃଷ୍ଟି କରିଥିବା ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇଥା’ନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଚି ଓ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ପଢ଼଼ୁଆ ପିଲାଙ୍କୁ ଚାକିରି ମିଳୁନି। ଏଭଳି ଶିକ୍ଷାନୁଷ୍ଠାନରେ ପଢ଼଼ିବା ଏକ ସ୍ୱପ୍ନ। ଆଶାକୁ ମାତ୍ର କେତେ ଜଣ କଠିନ ପରିଶ୍ରମ କରି କୃତିତ୍ୱ ହାସଲ କରିଥା’ନ୍ତି। ଏଥିରୁ ଯେଉଁମାନେ ଉତ୍ତୀର୍ଣ୍ଣ ହୁଅନ୍ତି, ଦେଶ ଓ ବିଦେଶରୁ ବାର୍ଷିକ ପ୍ରାୟ ୫୦ଲକ୍ଷ ଦରମାରୁ କୋଟି କୋଟି ଟଙ୍କା ଦରମାର ପ୍ରସ୍ତାବ ଆସେ। ପରୀକ୍ଷା ଶେଷ ପୂର୍ବରୁ ଏକପ୍ରକାର ନିଯୁକ୍ତି ସ୍ଥିର ହୋଇସାରିଥାଏ। ସୂଚନା ଯୋଗ୍ୟ ଯେ ୨୦୨୩ରେ ଏନ୍ଆଇଆରଏଫ ସୂଚକାଙ୍କରେ ଭାରତର ଶିକ୍ଷାନୁଷ୍ଠାନ ମଧ୍ୟରେ ଚତୁର୍ଥ ସ୍ଥାନରେ ଥିବା ଆଇଆଇଟି ବମ୍ୱେରେ ପ୍ଲେସମେଣ୍ଟ ପାଇଁ ୨୦୦୦ ଛାତ୍ର ପଞ୍ଜିକରଣ କରିଥିଲା ବେଳେ ୧୨୮୮ ଜଣ ନିଯୁକ୍ତି ପାଇଥିଲେ। ୭୧୨ ଜଣ ଅର୍ଥାତ୍ ୩୫.୬% ନିଯୁକ୍ତିରୁ ବଞ୍ଚିତ ଥିଲେ। ଆଇଆଇଟି କାନପୁରରେ ୬୯%, ଦିଲ୍ଲୀ ଆଇଆଇଟିର ୬୦%, ମାଡ୍ରାସ୍ ଆଇଆଇଟି ୫୫% ଓ ଖଡ଼ଗପୁର ଆଇଆଇଟିର ୨୬୪୪ ଜଣରୁ ୧୨୮୬ ଜଣ ନିଯୁକ୍ତି ପାଇଛନ୍ତି। ଆଇଆଇଏମ୍ ଲକ୍ଷ୍ନୌର ଛାତ୍ରଛାତ୍ରୀ ଶତପ୍ରତିଶତ ନିଯୁକ୍ତି ପାଉଥିବା ବେଳେ ଗତବର୍ଷ ମାତ୍ର ୭୨ ଜଣ ସୁଯୋଗ ପାଇଛନ୍ତି। ଅନ୍ୟ ଶିକ୍ଷାନୁଷ୍ଠାନ ପିଲାଙ୍କ ଅବସ୍ଥା କ’ଣ ହୋଇଥିବ ତାହା ଚିନ୍ତା କରିବା କଥା।
ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨୬ ତାରିଖରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଜମା ପାଠ ପଢ଼଼ି ନ ଥିବା ଅଥବା ଅଳ୍ପ ପଢ଼଼ିଥିବା ଯୁବକ ଯୁବତୀଙ୍କ ଅପେକ୍ଷା ଉଚ୍ଚଶିକ୍ଷା ଲାଭ କରିଥିବା ଯୁବକଯୁବତୀ ସର୍ବାଧିକ ବେରୋଜଗାର ଅଛନ୍ତି। ସ୍ନାତକ ବେକାରଙ୍କ ସଂଖ୍ୟା ୨୯.୧%। କିଛିବର୍ଷ ମଧ୍ୟରେ ଏହା ୯ ଗୁଣ ବୃଦ୍ଧିପାଇଛି, ଯାହା ଅଭିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଭାରତରେ ବର୍ତ୍ତମାନର ବେରୋଜଗାରୀ ବିଶ୍ୱସ୍ତରଠାରୁ ମଧ୍ୟ ଅଧିକ। ଭାରତୀୟ ଅର୍ଥନୀତି ଶିକ୍ଷିତ ଯୁବଶ୍ରମିକଙ୍କ ଅଣକୃଷି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବାରେ ସକ୍ଷମ ହୋଇପାରିନାହିଁ। ଭାରତରେ ୧୫ରୁ ୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ବେରୋଜଗାରୀ ସଂଖ୍ୟା ୨୦୦୦ ମସିହାରେ ୮୮.୬% ଥିଲା ବେଳେ ୨୦୨୨ରେ ଏହି ସଂଖ୍ୟା ୮୨.୯% ଥିଲା। ଏହି ସମୟ ମଧ୍ୟରେ ଶିକ୍ଷିତ ଯୁବବର୍ଗଙ୍କ ସହଭାଗିତା ୫୮.୨%ରୁ ବଢ଼଼ି ୬୫.୭% ହୋଇଥିଲା। ମହିଳାଙ୍କ ସଂଖ୍ୟା ୬୬.୭% ହୋଇଥିଲା ବେଳେ ପୁରୁଷଙ୍କ ସଂଖ୍ୟା ସମାନ। ଗ୍ରାମୀଣ ଅଞ୍ଚଳ ଅପେକ୍ଷା ସହରରେ ବେରୋଜଗାରଙ୍କ ସଂଖ୍ୟା ବହୁ ଅଧିକ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କେନ୍ଦ୍ର। ରାଜ୍ୟମାନେ ଯଦି ଶିକ୍ଷିତ ବେକାରମାନଙ୍କୁୁ ନିଯୁକ୍ତି ପ୍ରଦାନରେ ଅସମର୍ଥ ହୁଅନ୍ତି, ତେବେ ତାହା କେନ୍ଦ୍ରର ପାରିବାପଣିଆକୁ ଅଙ୍ଗୁଳି ନିର୍ଦ୍ଦେଶ କରେ। ଅନ୍ତର୍ଜାତୀୟ ସଙ୍ଗଠନ ଓ ମାନବବିକାଶ ପ୍ରତିଷ୍ଠାନ କର୍ମନିଯୁକ୍ତି ରିପୋର୍ଟ ୨୦୨୪ ଅନୁଯାୟୀ, ଦେଶର ୨୨ଟି ପ୍ରମୁଖ ରାଜ୍ୟ ମଧ୍ୟରୁ ଯୁବକଙ୍କୁ କର୍ମନିଯୁକ୍ତି ଦେବାରେ ୨୨ ନମ୍ୱର ସ୍ଥାନରେ ରହିଛି ଓଡ଼ିଶା। ଚିନ୍ତାର ବିଷୟ ହେଉଛି ୨୦୦୫ ମସିହାରେ ଯୁବଗୋଷ୍ଠୀଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବାରେ ଯେଉଁ ସ୍ଥିତି ଥିଲା ୨୦୨୨ ମଧ୍ୟ ସମାନ ସ୍ଥିତି ରହିଛି। କର୍ମନିଯୁକ୍ତି ଦେବାରେ ବିଫଳ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼଼଼ର ସ୍ଥିତି ଶୋଚନୀୟ ରହିଛି।
ସଙ୍ଗଠନ ପକ୍ଷରୁ ଶ୍ରମ ବଜାରରେ ୭ଟି ପ୍ରମୁଖ କ୍ଷେତ୍ରକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି କ୍ଷେତ୍ରଗୁଡ଼ିକ ହେଉଛି ନିୟମିତ କାର୍ଯ୍ୟରେ କେତେ କର୍ମଚାରୀ ନିଯୁକ୍ତି ହୋଇଛନ୍ତି, କେତେ ଅସ୍ଥାୟୀ ଶ୍ରମିକ ଦରିଦ୍ର ସୀମାରେଖା ତଳେ ଅଛନ୍ତି, କେତେ ଯୁବକ ଆତ୍ମନିର୍ଭରଶୀଳ ହୋଇଛନ୍ତି, ହାରାହାରି ମାସିକ ଆୟ, ଅର୍ଦ୍ଧଶିକ୍ଷିତ ଓ ଶିକ୍ଷିତ ବେକାର ହାର, କାର୍ଯ୍ୟ କ୍ଷେତ୍ରରେ ମହିଳା ଓ ଯୁବକଙ୍କ ଭାଗିଦାରିତା ଇତ୍ୟାଦି। କ୍ଷୋଭର ବିଷୟ ଅତୀତରେ ରାଜ୍ୟର ଆର୍ଥକ ଅବସ୍ଥା ସୁଧାରିବା ପାଇଁ ସରକାରୀ ଚାକିରିରେ ନିଯୁକ୍ତି ବନ୍ଦ ହେବା ଫଳରେ ଉଚ୍ଚଶିକ୍ଷିତ ମାନେ ବାଧ୍ୟହୋଇ ଏନ୍.ଜି.ଓ. ମାନଙ୍କର ଚାକିରି କଲେ। ଏମାନେ ସରକାରୀ କର୍ମଚାରୀଙ୍କ ତୁଳନାରେ ଯଥେଷ୍ଟ ଅଧିକ ଓ ଉଚ୍ଚମାନର କାର୍ଯ୍ୟ କଲେ। କିନ୍ତୁ ସରକାର ଏମାନଙ୍କ ଉପରେ କଟକଣା ଲଗାଇବା ଓ ବିଦେଶୀ ସାହାଯ୍ୟକୁ ବନ୍ଦ କରିଦେବାରୁ ହଜାର ହଜାର ନିଯୁକ୍ତି ବନ୍ଦ ହୋଇଗଲା। ବ୍ୟାଙ୍କ୍ମାନେ ଆତ୍ମନିଯୁକ୍ତି କ୍ଷେତ୍ରରେ ଶିକ୍ଷିତ ବେକାରଙ୍କୁ ଅଣଦେଖା କରିବା, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ବୃହତ୍ ଶିଳ୍ପ ଛାୟାରେ ଉଧେଇ ନପାରି କ୍ଷତିରେ ଚାଲିବା, ଏମାନଙ୍କୁ ପ୍ରତି ସରକାରୀ କଳର ଉଦାସୀନତା ଦିନକୁ ଦିନ ବଢ଼଼ିଚାଲିଛି। ବର୍ତ୍ତମାନ ଶିକ୍ଷିତ ବେକାରମାନେ ବାପା, ମାଙ୍କ ଉପରେ ବୋଝ ସଦୃଶ। ମାନସିକ ଅବସାଦର ଶିକାର, ନିଶାପାନ କରି ବିପଥଗାମୀ।
କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଆର୍ଥକ ଅଗ୍ରଗତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଲୋକଲୋଚନରେ ଉତ୍ଥାପିତ କରିବା ବେଳେ ଉଚ୍ଚଶିକ୍ଷିତ ବେକାରୀ ହାର ଯେ ଦିନକୁ ଦିନ ମହାମାରୀ ପରି କାୟାବିସ୍ତାର କରିଚାଲିଛି, ତାହାକୁ ଅଣଦେଖା କରୁଛନ୍ତି। ନିର୍ବାଚନ ଇସ୍ତାହାରରେ ପ୍ରତିଥର ବେକାରୀ ସମସ୍ୟା ସମାଧାନ କରିବା କଥା ଉଲ୍ଲେଖ କରୁଥିବା ବେଳେ ଗତ ନିର୍ବାଚନରେ ଏହି ପ୍ରସଙ୍ଗକୁ ପ୍ରାୟ ସମସ୍ତ ଦଳ ଅଣଦେଖା କଲେ। କେନ୍ଦ୍ର ଓ ରାଜ୍ୟ ସରକାର ଏହି ଉଚ୍ଚଶିକ୍ଷିତ ବେରୋଜଗାରଙ୍କ ପାଇଁ ଆଖିଦୃଶିଆ କୌଣସି ପ୍ରକଳ୍ପ କରି ନାହାନ୍ତି। ଯାହା ଫଳରେ ବେରୋଜଗାରୀଙ୍କ ସଂଖ୍ୟା କୋଟିକୋଟି ସଂଖ୍ୟାରେ ପହଞ୍ଚିଲାଣି।
କହିବା କଥା ହେଲା, ଆମେ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ଛୋଟା ମଇଁଷି ହୋଇ ରହିଛେ। ବର୍ତ୍ତମାନ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର। ବେକାର ଶିକ୍ଷିତଙ୍କୁ ଆତ୍ମନିର୍ଭର ଓ ନିଯୁକ୍ତି ଦେବା ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ। କିନ୍ତୁ ଏହା ଅସମ୍ଭବ ନୁହେଁ। କେବଳ ଆନ୍ତରିକତା ଏବଂ ରାଜନୈତିକ ଇଚ୍ଛାଶକ୍ତି ଥିଲେ ତାହା ସମ୍ଭବ।
ଗୋବିନ୍ଦ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୮୨୮୦୩୩୬୩୦୦