ସାନ୍ତାଳୀ ଭାଷାର ତ୍ରାଣକର୍ତ୍ତା ପଣ୍ଡିତ ରଘୁନାଥ ମୁର୍ମୁ

କୌଣସି ଜାତି ବା ସମ୍ପ୍ରଦାୟ ବା ବର୍ଗ ନିଜକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା ଏବଂ ମାତୃଭାଷାକୁ ସ୍ୱଚ୍ଛ ସାବଲୀଳ ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ନିଜସ୍ୱ ସ୍ୱତନ୍ତ୍ର ଲିପି। ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ସାନ୍ତାଳୀ ଭାଷାର ନବଜାଗରଣ ସୃଷ୍ଟିକର୍ତ୍ତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ। ୧୯୦୫ ମସିହା ବୈଶାଖ ପୂର୍ଣିମାରେ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ଆଠ ବର୍ଷ ବୟସରେ ଶିକ୍ଷା ଆରମ୍ଭ […]

କୌଣସି ଜାତି ବା ସମ୍ପ୍ରଦାୟ ବା ବର୍ଗ ନିଜକୁ ପରିପ୍ରକାଶ କରିବାର ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା ଏବଂ ମାତୃଭାଷାକୁ ସ୍ୱଚ୍ଛ ସାବଲୀଳ ଭାବରେ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ନିଜସ୍ୱ ସ୍ୱତନ୍ତ୍ର ଲିପି। ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ସାନ୍ତାଳୀ ଭାଷାର ନବଜାଗରଣ ସୃଷ୍ଟିକର୍ତ୍ତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ। ୧୯୦୫ ମସିହା ବୈଶାଖ ପୂର୍ଣିମାରେ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ଆଠ ବର୍ଷ ବୟସରେ ଶିକ୍ଷା ଆରମ୍ଭ କରି ଏବଂ ୧୯୨୮ରେ ମାଟ୍ରିକ ପାସ୍‌‌ କରିଥିବା ରଘୁନାଥ ଛାତ୍ରଜୀବନରେ ହିଁ ୧୯୨୫ ମସିହାରେ ଅଲଚିକି ଲିପିକୁ ଲୋକଲୋଚନକୁ ଆଣିଥିଲେ।

ଅମେ ସମସ୍ତେ ଗୁରୁ ଗୋମକେଙ୍କୁ ଭାଷାବିତ୍‌‌ ବା ଭାଷା ସଂସ୍କାରକ ଭାବରେ ଜାଣୁ। କିନ୍ତୁ ତାଙ୍କୁ ସାନ୍ତାଳୀ ଭାଷାର ତ୍ରାଣକର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ କେବଳ ଲିପିଟିଏ ସୃଷ୍ଟି କରି ନିଜ ଦାୟିତ୍ୱକୁ ଶେଷ କରିନାହାନ୍ତି, ବରଂ ଯେଉଁ ସମୟରେ ଗମନାଗମନର ସୁବ୍ୟବସ୍ଥା ନଥିଲା କିମ୍ବା ଆଜିକାଲି ଭଳି ସାମାଜିକ ଗଣମାଧ୍ୟମ ନଥିଲା, ସେହି ସମୟରେ ମୟୂରଭଞ୍ଜରୁ ସୁଦୂର ଆସାମ ଯାଏଁ ସମସ୍ତ ପୁରପଲ୍ଲୀରେ ଏହି ଲିପିର ପ୍ରଚାର ପ୍ରସାରରେ ବ୍ରତୀ ହୋଇଥିଲେ। ସାନ୍ତାଳୀ ଭଷା ଏବଂ ଅଲଚିକି ଲିପିର କଳ୍ପବୃକ୍ଷ ଶାଖା ପ୍ରଶାଖା ଆଜି ଓଡ଼ିଶାରୁ ଆରମ୍ଭ କରି ନେପାଳ, ବାଂଲାଦେଶ ଯାଏ ଲମ୍ବିଚାଲିଛି।

ଗୁରୁ ଗୋମକେଙ୍କର ଅଲ୍‌‌ ଚେମେଦ, ପାରସି ପୋହା, ପାରସି ଇତୁନ, ଏଲଖା (ଗଣିତ), ରନଳ୍‌‌ (ବ୍ୟାକରଣ) ଆଦି ପୁସ୍ତକ ମୌଳିକ ଶିକ୍ଷାର ମୂଳଦୁଆ ଭାବେ ବିବେଚିତ ହୋଇଥିବା ବେଳେ ତାଙ୍କ ଅବଶିଷ୍ଟ ସାହିତ୍ୟ କୃତି ସାନ୍ତାଳ ସମାଜରେ ସଂସ୍କୃତି, ପରମ୍ପରା, ଧର୍ମୀୟ ବିଶ୍ୱାସକୁ ଆହୁରି ସୁଦୃଢ଼ କରିପାରିଛି। ଏଥିସହିତ ସମାଜ ସଂସ୍କାର ଓ ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ତାଙ୍କ ରଚିତ ‘ହିତାଲ’ ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଧର୍ମଗ୍ରନ୍ଥ ଭଳି ଘରେ ଘରେ ପୂଜା ପାଏ। ‘ବାଖେଣ୍‌‌’ ରେ ସାନ୍ତାଳ ଦେବାଦେବୀମାନଙ୍କର ସ୍ତୁତି ଓ ବନ୍ଦନା ମାନ ରହିଛି, ‘ହର୍‌‌ ସେରେଞ୍ଚ’ ପୁସ୍ତକରେ ସାନ୍ତାଳ ସମ୍ପ୍ରଦାୟର ବିବାହ, ଶ୍ରାଦ୍ଧ ଆଦି ସହ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣିରେ ବ୍ୟବହୃତ ଗୀତ ଏବଂ ସ୍ତୁତିମାନ ସ୍ଥାନ ପାଇଛି। ତାଙ୍କ ଦ୍ୱାରା ରଚିତ ନାଟକ ‘ବିଦୁ ଚାନ୍ଦାନ’ ଏବଂ ‘ଖେରୱାଳ ବୀର’ ପ୍ରତି ଗ୍ରାମରେ ପ୍ରଦର୍ଶିତ ହେଉଥିଲା। ବିଦୁ ଚାନ୍ଦାନ ନାଟକରେ ଗୁରୁ ଗୋମକେ ଲିପି ସମ୍ୱନ୍ଧରେ ପାଇଥିବା ଅଲୌକିକ ପ୍ରେରଣାର ନାଟ୍ୟ ରୂପାନ୍ତରଣ ସହ ନାଟକର ନାୟକ ‘ବିଦୁ’ ଏନଂ ନାୟିକା ‘ଚାନ୍ଦାନ’ ମାଧ୍ୟମରେ ‘ଚାୟ ଗାଳ’ ଏବଂ ‘ଚାମ୍ପାଗାଳ’ ମଧ୍ୟରେ ଶାନ୍ତିସ୍ଥାପନ ପାଇଁ ଅଭୂତପୂର୍ବ ପ୍ରୟାସ କରାଯାଇଛି। ସେହିଭଳି କିମ୍ୱଦନ୍ତୀ ନାଟକ ‘ଖେରୱାଳ ବୀର’ରେ ମାନବ ଏବଂ ଦାନବର ମହାଯୁଦ୍ଧରେ ନାୟକ ‘ଖେରୱାଳ ବୀର’ ଏବଂ ନାୟିକା ‘କାଜୋଲ’ ମାଧ୍ୟମରେ ସତ୍ୟ ଏବଂ ନ୍ୟାୟର ବିଜୟ ସଂଘଟିତ ହୋଇଛି। ‘ଲାକଚାର୍‌‌ ସେରେଞ୍ଚ’ ତାଙ୍କର ସବୁଠାରୁ କ୍ଷୁଦ୍ର ପୁସ୍ତକ ହେଲେ ମଧ୍ୟ ସେଥିର ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦରେ ସାମାଜିକ ଚେତନାର ଶକ୍ତିଶାଳୀ ଆବେଦନ ରହିଛି। ଏଥିରେ ଗୁରୁ ଗୋମକେଙ୍କର ସାନ୍ତାଳ ସମାଜ ପ୍ରତି ଥିବା ସ୍ୱପ୍ନ, ଆକାଂକ୍ଷା, ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହୁଏ।

ଗୁରୁ ଗୋମକେ ସର୍ବଦା ଏକ ସୁସ୍ଥ, ସୁଦୃଢ଼ ଏବଂ ଉନ୍ନତ ସାନ୍ତାଳ ସମାଜର ପରିକଳ୍ପନା କରିଥିଲେ। ସେଥିପାଇଁ ସେ ‘ଆସେକା’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଶାଖା ବିହାର, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଖୋଲିଥିଲା। ଏହି ଅନୁଷ୍ଠାନ ମାଧ୍ୟମରେ ସେ ସମାଜ, ଶିକ୍ଷା, ସଂସ୍କୃତି ସମ୍ୱନ୍ଧରେ ପ୍ରଚ୍ଛନ୍ନ ଭାବରେ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରୁଥିଲେ।

୧୯୮୨ ମସିହା ଫେବ୍ରୁଆରୀ ୧ ତାରିଖ ଦିନ ସେ ତାଙ୍କ ଅସଂଖ୍ୟ ଆନୁଗତ୍ୟ ଏବଂ ପରିବାରକୁ ଶୋକାତୁର କରି ଇହଲୀଳା ସମ୍ୱରଣ କଲେ। ତାଙ୍କର ସ୍ୱର୍ଗବାସ ପରେ ମଧ୍ୟ ତାଙ୍କ ଦ୍ୱାରା ଆହୂତ ସାନ୍ତାଳୀ ଭାଷା ଆନ୍ଦୋଳନ ବଳବତ୍ତର ରହିଲା। ସାନ୍ତାଳୀ ଭାଷା ଆନ୍ଦୋଳନର ଦୀର୍ଘ ଦାବି ପରେ ୨୦୦୩ ମସିହା ଡିସେମ୍ୱର ମାସ ୨୨ ତାରିଖ ଦିନ ସମ୍ୱିଧାନର ୯୨ତମ ସଂଶୋଧନ ବିଧେୟକ ସାନ୍ତାଳୀ ଭାଷା ସହ ବୋଡ଼ୋ, ଡୋଗ୍ରୀ, ମୈଥିଲୀ ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦରେ ଉପସ୍ଥାପିତ ହେଲା। ୭ ଜାନୁଆରୀ ୨୦୦୪ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ବିଧିବଦ୍ଧ ଭାବରେ ସାନ୍ତାଳୀ ଭାଷା ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲା ଏବଂ ଭାରତର ଅନ୍ୟତମ ସରକାରୀ ଭାଷାର ମାନ୍ୟତା ପାଇଲା।

ଆଜି ସାନ୍ତାଳ ସମାଜ ଓ ସାନ୍ତାଳୀ ଭାଷା ଯେଉଁ ସ୍ଥାନରେ ପହଞ୍ଚିଛି ସେ ସବୁର ସମସ୍ତ ଶ୍ରେୟ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦିଆଯିବ। ତାଙ୍କର ଅବଦାନକୁ ନିର୍ଦ୍ଦିଷ୍ଟ ଶବ୍ଦ ଅଥବା ବାକ୍ୟ ମଧ୍ୟରେ ସମାହିତ କରିବା ଅସମ୍ଭବ। ସାନ୍ତାଳ ସମାଜ ପାଇଁ ସେ ଏକ ଅନୁଷ୍ଠାନ, ଈଶ୍ୱରଙ୍କ ଅବତାର, ମାର୍ଗଦର୍ଶକ, ପରିଚୟ ପାଇଁ ସଂଘର୍ଷ କରୁଥିବା ଭାଷାଭାଷୀ ସମାଜ ପାଇଁ ପ୍ରେରଣା। ସାନ୍ତାଳ ସମାଜକୁ ଆଜି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ଅନେକ ଆଗକୁ ଯିବାକୁ ହେବ।

ଭାଷାଟିକୁ ବଞ୍ଚାଇ ରଖିବା ପାଇଁ ଏହାକୁ ଦୈନନ୍ଦିନ ଜୀବନରେ ବ୍ୟବହାର ସହ ସ୍କୁଲ କଲେଜର ପାଠ୍ୟକ୍ରମ, ସରକାରୀ କଳରେ ବ୍ୟବହାର ଅନିବାର୍ଯ୍ୟ। ଏଥିପାଇଁ ସାନ୍ତାଳୀ ଭାଷାପ୍ରେମୀ, ନିର୍ବାଚିତ ଜନପ୍ରତିନିଧି, ସରକାରୀ ଅମଲା ସମସ୍ତଙ୍କର ଦାୟିତ୍ୱ କିଭଳି ଗୁରୁ ଗୋମକେଙ୍କର ସ୍ୱପ୍ନକୁ ବାସ୍ତବ ରୂପ ଦେବେ। ନଚେତ ଭାଷାଟି ସଂଗ୍ରାହଳୟର ଚାରିକୋଠରି କିମ୍ୱା ଗବେଷକର ପୃଷ୍ଠା ଭିତରେ ସୀମବଦ୍ଧ ହୋଇ ରହିଯିବ।

ଆର୍‌‌ ଅଶ୍ୱନୀ ବଞ୍ଜନ ମୁର୍ମୁ
କୁଳିଅଣା(ମୟୂରଭଞ୍ଜ), ମୋ: ୯୯୩୭୪୯୩୭୬୫

About The Author: The Sakala