ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୭୦% ରୁ ଅଧିକ ଲୋକ ବିଭିନ୍ନ ପ୍ରକାରର କୃଷିକାର୍ଯ୍ୟରେ ଜଡ଼ିତ ଅଛନ୍ତି। ଆମ ରାଜ୍ୟର ଜଳବାୟୁ ସବୁପ୍ରକାରର ଫସଲ ଉତ୍ପାଦନ ପାଇଁ ଉପଯୁକ୍ତ ଏବଂ ଆମ ରାଜ୍ୟର ମୃତ୍ତିକା କୃଷି ଉତ୍ପାଦନ ପାଇଁ ଖୁବ୍ ଅନୁକୂଳ। କିନ୍ତୁ ଆମ ରାଜ୍ୟର ଏକର ପିଛା ଅମଳ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ର ଏବଂ କେରଳ, ପଞ୍ଜାବ ଓ ହରିୟଣା ଆଦି ରାଜ୍ୟଠାରୁ ଯଥେଷ୍ଟ ପରିମାଣରେ କମ୍। ପଶ୍ଚିମବଙ୍ଗରେ ଏକର ପିଛା ଧାନ ଅମଳ ୨୦ କ୍ୱିଣ୍ଟାଲ, ପଞ୍ଜାବ ଓ ହରିୟଣାରେ ୧୮ ରୁ ୨୦ କ୍ୱିଣ୍ଟାଲ ଥିବା ବେଳେ ଆମ ରାଜ୍ୟରେ ତାହା କେବଳ ୧୦/୧୨ କ୍ୱିିଣ୍ଟାଲରେ ସୀମିତ ରହିଛି। ଯାହାଫଳରେ ଆମ ଧାନଚାଷୀମାନେ ଲାଭବାନ ହୋଇ ପାରୁନାହାନ୍ତି। କେବଳ ଧାନ ଫସଲ ନୁହେଁ, ଅନ୍ୟ ଫସଲ ଓ ପନିପରିବା ଚାଷରେ ମଧ୍ୟ ଆମକୁ ଅନ୍ୟ ରାଜ୍ୟ ଉପରେ ପ୍ରତ୍ୟକ୍ଷ ଭାବରେ ନିର୍ଭର କରିବାକୁ ପଡ଼ୁଛି।
ଏହାର ମୁଖ୍ୟ କାରଣ ହେଉଛି ଯେ ଅନ୍ୟ ରାଜ୍ୟଗୁଡ଼ିକ ପରି ଆମ ଚାଷୀମାନେ ଉନ୍ନତ ବିହନ, କୀଟନାଶକ, ଆଧୁନିକ ସମୟର କୃଷି ବୈଷୟିକ ଜ୍ଞାନ ଯଥେଷ୍ଟ ଭାବରେ ପାଇପାରୁ ନାହାନ୍ତି। ଆମେରିକା ଜନସଂଖ୍ୟାର ୨% ଲୋକ ଚାଷ କରନ୍ତି। ତଥାପି ଆମେରିକା ନିଜ ଦେଶର ଆବଶ୍ୟକତାକୁ ପୂରଣ କରି ବଳକା କୃଷିଜାତ ଉତ୍ପାଦନ ଅନ୍ୟ ଦେଶକୁ ରପ୍ତାନି କରି ଲାଭବାନ ହେଉଛି। କାରଣ ସେ ଦେଶର ଚାଷୀମାନେ ସର୍ବଦା ଆଧୁନିକ ଚାଷ ପ୍ରଣାଳୀ ଅନୁସରଣ କରନ୍ତି ଏବଂ ସେଠାକାର ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ସର୍ବଦା ତତ୍ପର ହୋଇ ଚାଷୀମାନଙ୍କ ସହିତ ନିୟମିତ ବିଭିନ୍ନ ପ୍ରକାରର ଆଲୋଚନା କରନ୍ତି। ଆମେରିକା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟଗୁଡ଼ିକ ଉଦ୍ଭାବନ କରୁଥିବା ପ୍ରତ୍ୟେକ ଉତ୍ପାଦକୁ ବିଭିନ୍ନ ପ୍ରକାରର ପରୀକ୍ଷା ପରେ ଚାଷୀମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଉତ୍ସାହିତ କରାଇ ଉତ୍ପାଦନ ବଢ଼଼ାଇବା ପାଇଁ ସାହାଯ୍ୟ କରନ୍ତି।
ସେହିପରି ପଞ୍ଜାବ, ହରିୟଣା, ଆନ୍ଧ୍ର, କେରଳ ଆଦି ରାଜ୍ୟର ଚାଷୀମାନେ ଉନ୍ନତ ବିହନ, କୀଟନାଶକ, ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରନ୍ତି। ସେମାନେ ମଧ୍ୟ ପାରମ୍ପରିକ କୃଷି ସହିତ ମାଛ, କୁକୁଡ଼ା ମାଂସ ଓ ଅଣ୍ଡା, ଦୁଧ ଓ ପନିପରିବା ଚାଷ ଉପରେ ଗୁରୁତ୍ୱ ଦେଇ ଲାଭବାନ ହେଉଛନ୍ତି। ଆମ ରାଜ୍ୟରେ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଆମେରିକାର ସହଯୋଗରେ ପ୍ରତିଷ୍ଠା ହେଲା। ସେହି ସମୟରେ ଅନେକ ଆମେରିକୀୟ କୃଷି ବିଜ୍ଞାନୀ, ପଶୁବିଜ୍ଞାନୀ ଆମ ରାଜ୍ୟରେ ରହି କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉନ୍ନତିର ଶିଖରକୁ ନେବା ପାଇଁ ଅନେକ ଚେଷ୍ଟା କରିଥିଲେ। ଆମ ଦେଶରେ କୃଷିର ଉନ୍ନତି ପାଇଁ କେନ୍ଦ୍ରୀୟ ଗବେଷଣା କେନ୍ଦ୍ର ମାନ ଖୋଲା ଯାଇଛି। ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମାଧ୍ୟମରେ କୃଷି ବୈଜ୍ଞାନିକମାନେ ଅନେକ ପ୍ରକାରର ଉନ୍ନତ ମାନର ବିହନ ଉଦ୍ଭାବନ କରିଛନ୍ତି। ତା’ ଛଡ଼ା କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କମ୍ ଖର୍ଚ୍ଚରେ ଏବଂ ଅଳ୍ପ ଦିନରେ ଅମଳ ହୋଇ ପାରୁଥିବା ଭଳି ଅନେକ ଧାନ ବିହନ ଉଦ୍ଭାବନ କରିଛନ୍ତି। କିନ୍ତୁ ତାହାର ପ୍ରଭୂତ ପ୍ରଚାର ଓ ପ୍ରସାର ନ ହୋଇ ପାରିବାରୁ ଆମ ରାଜ୍ୟର ଚାଷୀମାନେ ତା’ର ସୁଫଳ ପାଇ ପାରୁନାହାନ୍ତି।
ଆମେରିକାରେ ପ୍ରତି କାଉଣ୍ଟିରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ କୃଷି ବିଶେଷଜ୍ଞମାନେ ସିଧାସଳଖ ଚାଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସହିତ ବିଭିନ୍ନ ପ୍ରକାରର ଆଲୋଚନା କରନ୍ତି ଏବଂ ଉତ୍ପାଦନ ବଢ଼଼ାଇବା ପାଇଁ ସାହାଯ୍ୟ କରନ୍ତି। ଆମ ରାଜ୍ୟର କୃଷି ବିଭାଗର ଅଧିକାରୀମାନେ ଏବଂ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ଗବେଷକମାନେ କେହି ବି ଚାଷୀମାନଙ୍କ ପାଖରେ ଉନ୍ନତ ଚାଷ ପ୍ରଣାଳୀ ଅନୁସରଣ କରିବାକୁ ଯାଆନ୍ତି ନାହିଁ। ଆଗେ ପ୍ରତି ବ୍ଲକରେ କୃଷି ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ସେବକ ଓ ଗ୍ରାମ ସେବିକାମାନେ ପ୍ରତି ଗ୍ରାମରେ ବୁଲି ବୁଲି ଚାଷୀମାନଙ୍କ ଚାଷ ପ୍ରଣାଳୀରେ ଥିବା ଅଭାବ ଅସୁବିଧାକୁ ଦୂର କରିବା ପାଇଁ ବ୍ଲକରେ ଥିବା କୃଷି ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ବାଟ ବାହାର କରୁଥିଲେ ଏବଂ ଚାଷୀମାନଙ୍କୁ ଉତ୍ସାହିତ କରୁଥିଲେ। ଯଦିଓ ସେତେବେଳେ ଏତେ ପରିମାଣରେ ଆଧୁନିକ ଚାଷ ପ୍ରଣାଳୀର ସୁବିଧା ନ ଥିଲା, ତଥାପି ଆମ ରାଜ୍ୟର ଚାଷୀମାନେ ନିଜର ଚାହିଦା ମେଣ୍ଟାଇବା ସହିତ ବଜାରରେ ବିକି ଲାଭବାନ ହୋଇପାରୁଥିଲେ। ଚାଷର ଆଧୁନିକୀକରଣ ହେବା ସତ୍ତ୍ବେ ସରକାରୀ ସ୍ତରରେ ଆନ୍ତରିକତାର ଅଭାବରୁ ଓଡ଼ିଶାର ଚାଷୀମାନେ ଆଉ ଉନ୍ନତି କରି ପାରୁନାହାନ୍ତି। କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅନେକ ଉଚ୍ଚତର ଶିକ୍ଷା ଲାଭ କରୁଛନ୍ତି। ଅନେକ ଗବେଷଣା କରି ପୁରସ୍କୃତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଓଡ଼ିଶା ସରକାର ଉପଯୁକ୍ତ ସ୍ଥାନରେ ନିଯୁକ୍ତ କରି ଚାଷର ଆଧୁନିକୀକରଣରେ ବିନିଯୋଗ କରିପାରୁନାହାନ୍ତି। ତେଣୁ ସେମାନେ ଏଠାରୁ ଉଚ୍ଚଶିକ୍ଷା ଲାଭ କରି ଏବଂ ଗବେଷଣା କରି ରାଜ୍ୟ କିମ୍ବା ଦେଶ ବାହାରର କୌଣସି ବୃହତ୍ ଘରୋଇ ସଂସ୍ଥାରେ ଯୋଗ ଦେଉଛନ୍ତି କିମ୍ବା ପ୍ରଶାସନିକ ସେବାରେ ଯୋଗ ଦେଇ ମୌଳିକ ଶିକ୍ଷାଗତ ଯୋଗ୍ୟତାଠାରୁ ଦୂରକୁ ଚାଲି ଯାଉଛନ୍ତି। ତେଣୁ ଚାଷ ଓ ଚାଷୀ ଅବହେଳିତ ହୋଇ ରହି ଯାଉଛନ୍ତି।
ଆଉ ଗୋଟିଏ ବଡ଼ କଥା ହେଲା ଯେ ଆଜିକାଲି ନିୟମିତ ଋତୁର ଯେପରି ଅହେତୁକ ପରିବର୍ତ୍ତନ ହେଉଛି ସେଥିରେ ମଧ୍ୟ ଚାଷୀମାନେ କୃଷି କର୍ମକୁ ଡରି ଯାଉଛନ୍ତି। ଆମ ରାଜ୍ୟରେ କେବଳ ଧାନ ଚାଷକୁ ଛାଡ଼ି ଦେଲେ ଆନୁଷଙ୍ଗିକ କୃଷି, ଯଥା ଗୋରୁ, କୁକୁଡ଼ା, ଛେଳି, ଘୁଷୁରୀ ପାଳନ ସହିତ ମାଛ, ଛତୁ, ମହୁ, କଙ୍କଡ଼ା, ଚିଙ୍ଗୁଡ଼ି ଚାଷ ଇତ୍ୟାଦି କରି ହୁଅନ୍ତା। କିନ୍ତୁ ଆମ ରାଜ୍ୟର ଚାଷୀମାନେ ଗରିବ ହୋଇଥିବାରୁ ପ୍ରାରମ୍ଭିକ ପୁଞ୍ଜି ଲଗାଣ କରିବାରେ ପଛଘୁଞ୍ଚା ଦେଉଛନ୍ତି। ସେମାନେ ସୀମିତ ସମ୍ବଳରେ ଯାହା ବା ଚାଷ କରୁଛନ୍ତି, ତା’ର ପୂର୍ଣ୍ଣମାତ୍ରାରେ ବଜାରୀକରଣ ହୋଇ ନ ପାରିବାରୁ ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ପରିବା ମଣ୍ଡି, ଶୀତଳ ଭଣ୍ଡାର ଆଦିର ଅଭାବ, ଜଳସେଚନର ଅସୁବିଧା ଆଦି ଏ ଦିଗରେ ବାଧକ ସାଜୁଛି।
ଆମ ରାଜ୍ୟରେ ଦୁଇପ୍ରକାରର ଚାଷୀ ଅଛନ୍ତି। କିଛି ଚାଷୀ ଟିଭି ଓ ରେଡିଓ ମାଧ୍ୟମରେ ନୂତନ ଚାଷ ପ୍ରଣାଳୀ ଦେଖି ଅନୁସରଣ କରନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ଖୁବ୍ କମ୍। ଅନ୍ୟ ପ୍ରାୟ ସମସ୍ତ ଚାଷୀ ସେଇ ପୁରୁଣା ଚାଷ ପ୍ରଣାଳୀକୁ ଆପଣାଇ ଚାଲନ୍ତି। କାରଣ ସେମାନେ ବିହନ କିଣିଲେ ସାର ପାଇଁ ଅର୍ଥ ପାଆନ୍ତି ନାହିଁ। ସାର ପାଇଁ ଖର୍ଚ୍ଚ କଲେ କୀଟନାଶକ କିଣିବା ପାଇଁ ଅର୍ଥର ଅଭାବ ରହେ। ସାର, କୀଟନାଶକ, ବିହନରେ ଖର୍ଚ୍ଚ କଲେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଟଙ୍କା ଅଭାବ ପଡ଼େ। ତେଣୁ ସେମାନେ ଆଧୁନିକ କୃଷିକୁ ଆପଣେଇବେ କେମିତି?
ଆମ ଦେଶରେ ସରକାର ଚାଷୀମାନଙ୍କ ପାଇଁ ଅନେକ ଉନ୍ନତିମୂଳକ ପଦକ୍ଷେପ ନେବାକୁ ଘୋଷଣା କରୁଛନ୍ତି ଏବଂ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ସେଗୁଡ଼ିକ ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଣୁ ଉଭୟ ଚାଷ ଓ ଚାଷୀ ଆବଶ୍ୟକ ଉପକାର ପାଇପାରୁନାହାନ୍ତି। କୃଷି ଉତ୍ପାଦନ ବୃଦ୍ଧି ପାଇବା ବଦଳରେ କମି ଯାଉଛି। ଆମ ଦେଶରେ ଏବେ ଅନେକ ପ୍ରକାର ଖାଦ୍ୟ ଓ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିଛି। କିନ୍ତୁ ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ କୃଷି ପ୍ରକ୍ରିୟାକରଣ ଉପରେ କୌଣସି ଗୁରୁତ୍ୱ ପ୍ରଦାନ କରାଯାଇ ନାହିଁ। ଏହା ହୋଇପାରିଲେ କୃଷି ଉତ୍ପାଦନ ବୃଦ୍ଧି ସହିତ ଖାଉଟିମାନେ ମଧ୍ୟ ଲାଭାନ୍ୱିତ ହୋଇପାରିବେ। ଏ ଦିଗରେ ସରକାର ଆନ୍ତରିକତାର ସହ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ।
ଭୁବନେଶ୍ୱର, ମୋ: ୯୪୩୭୧୮୫୬୦୭