ସର୍ବହରାର କାହାଣୀ

‘ଶ୍ରମିକ’, ‘ଦିନମଜୁରିଆ’ – ଏଭଳି ଅନେକ ନାମରେ ମୁଁ ପରିଚିତ। କେବେ ସହରର ଗଳିକନ୍ଦିରେ ରିକ୍ସା ଟାଣେ, କେବେ ମହାଜନର ମୂଲ ଲାଗେ, କେବେ ପୁଣି ଜମିରେ ଚାଷ କରେ ତ କେବେ କୌଣସି ସଂସ୍ଥାରେ କାମ କରି ଯାହା କିଛି ପାଉଣା ମିଳେ ଦୁଃଖେକଷ୍ଟେ ଚଳେ। ମୋ ପାଇଁ ବିଶେଷ ପରିଚୟର ଆବଶ୍ୟକତା ନାହିଁ। ମୋ ଜୀବନ ନାଟକର ମୁଁ ହେଉଛି ମହାନାୟକ। ମୁଁ ସର୍ବସଂହା। ମୁଁ ଅରକ୍ଷିତ ବେସାହାରା। ଖାଦ୍ୟ ମୋ ପାଇଁ ଅପହଞ୍ଚ। […]

‘ଶ୍ରମିକ’, ‘ଦିନମଜୁରିଆ’ – ଏଭଳି ଅନେକ ନାମରେ ମୁଁ ପରିଚିତ। କେବେ ସହରର ଗଳିକନ୍ଦିରେ ରିକ୍ସା ଟାଣେ, କେବେ ମହାଜନର ମୂଲ ଲାଗେ, କେବେ ପୁଣି ଜମିରେ ଚାଷ କରେ ତ କେବେ କୌଣସି ସଂସ୍ଥାରେ କାମ କରି ଯାହା କିଛି ପାଉଣା ମିଳେ ଦୁଃଖେକଷ୍ଟେ ଚଳେ। ମୋ ପାଇଁ ବିଶେଷ ପରିଚୟର ଆବଶ୍ୟକତା ନାହିଁ। ମୋ ଜୀବନ ନାଟକର ମୁଁ ହେଉଛି ମହାନାୟକ। ମୁଁ ସର୍ବସଂହା। ମୁଁ ଅରକ୍ଷିତ ବେସାହାରା। ଖାଦ୍ୟ ମୋ ପାଇଁ ଅପହଞ୍ଚ। ବସ୍ତ୍ର ଓ ବାସଗୃହ ସାତସପନ। ସୁଖ ସପନ ମୋ ପାଇଁ ଯାଦୁଗରର ଇନ୍ଦ୍ରଜାଲ। ସମାଜର ବିତ୍ତଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଦ୍ୱାରା ଚିରଦିନ ଶୋଷିତ ହେଉଥିବା ଅଧମ ଜୀବଟିଏ ମୁଁ, ଯିଏ ଅନ୍ୟର ଦୟାରେ ପ୍ରତିପାଳିତ ହୁଏ। ସମାଜ ଆଗରେ ଓ ଦୁନିଆ ଦାଣ୍ଡରେ ମୁଁ ସଦା ଭୂଲୁଣ୍ଠିତ।
ଦେଶ ଗଢ଼ା ହୁଏ ମୋର ରକ୍ତ, ମାଂସ ଓ ସ୍ୱେଦରେ। କିନ୍ତୁ ପରିଚୟ ମୋର ବେସାହାରା। ମୁଁ ମୁଣ୍ଡ ଝାଳ ତୁଣ୍ଡରେ ମାରି, ବାଦଲ ଫଟା ବର୍ଷା, ହାଡ଼ ଭଙ୍ଗା ଶୀତ ଓ ମୁଣ୍ଡ ଫଟା ଖରାକୁ ଖାତିର ନକରି ମାନବ ସମାଜକୁ ଖାଦ୍ୟ ଯୋଗାଏ। କିନ୍ତୁ ଖାଇବାକୁ ପାଏ ନାହିଁ। ମୋର କଠିନ ପରିଶ୍ରମ ବଳରେ ପୁଞ୍ଜିପତିମାନେ ବେଶ୍‌‌ ଲାଭବାନ ହୋଇ ସମାଜରେ ବିତ୍ତଶାଳୀ ବ୍ୟକ୍ତି ଭାବେ ପରିଗଣିତ ହୋଇଥା’ନ୍ତି। ଅଥଚ ମୁଁ ସେହି ସର୍ବହରା ହୋଇ ରହିଯାଏ।

ସମୟସ୍ରୋତରେ ନିଃସହାୟ ଶୁଷ୍କତୃଣ ଭାସି ଭାସି ଚାଲିଲା ଭଳି ମୁଁ ଜୀବନ ଅତିକ୍ରମ କରୁଛି। ଭାଗ୍ୟ ସହ ଲଢ଼ିଲଢ଼ି ବିଧି ସହ ବଞ୍ଚିବାଟା ମୋର ଧ୍ୟେୟ। ମୁଁ ମାନବଧିକାର ଓ ମୌଳିକ ଅଧିକାରରୁ ବଞ୍ଚିତ ଓ ଲାଞ୍ଛିତ। ସମାଜଶାସ୍ତ୍ରୀ ଓ ଅର୍ଥଶାସ୍ତ୍ରୀଙ୍କ ପ୍ରୟୋଗଶାଳାରେ ପରୀକ୍ଷିତ ଇଜ୍ଜତ ମୋର। ଅବଶ୍ୟ ନିର୍ବାଚନ ସମୟ ଆସିଲେ ମୋତେ ନେଇ ଅନେକ ଚର୍ଚ୍ଚା- ଆଲୋଚନା ହୁଏ। ନେତା-ମନ୍ତ୍ରୀମାନଙ୍କର ସୁଅ ଛୁଟେ ମୋ ପାଖକୁ। ମୋର ସ୍ୱାର୍ଥ, ସମ୍ମାନ ଓ ଉତ୍ଥାନ ପାଇଁ ଚାଲେ ଅନେକ କୁସ୍ତ-କସରତ, ବାକ-ବିତଣ୍ଡା ଓ ରକ୍ତ ସଂଘର୍ଷ। ମୋର ଉନ୍ନତି ପାଇଁ ଆସେ ଅନେକ ଇସ୍ତାହାର। ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଖାଦ୍ୟ କିଭଳି ମୋତେ ମିଳିପାରିବ, ତାହାକୁ ନେଇ ନେତାମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ହୋଇଥାଏ। ସେମାନେ ମୋ ଆଗରେ ହାତ ଯୋଡ଼ି ନେହୁରା ହୋଇଥା’ନ୍ତି ଖଣ୍ଡେ ଖଣ୍ଡେ ଭୋଟ ପାଇଁ। ପ୍ରଶଂସା ଓ ସମ୍ମାନରେ ମୋତେ ପୋତି ପକାନ୍ତି। ସେତେବେଳେ ଅନୁଭବ ହୁଏ ସତେଯେମିତି ମୁଁ ବି ଅନ୍ୟମାନଙ୍କ ଭଳି ଏ ସମାଜର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ମୋର ସ୍ୱାର୍ଥ ପାଇଁ ସେହି ରାଜନେତାମାନେ ସତେ କେତେ ବିକଳ ନୁହନ୍ତି! କିନ୍ତୁ ନିର୍ବାଚନ ଶେଷ ହୋଇଗଲେ କେହି ଏଠି କାହାର ନୁହନ୍ତି। ମୋ ପାଇଁ ସମସ୍ତେ କାନ୍ଦନ୍ତି। କିନ୍ତୁ କାହାରି ଆଖିରେ ଲୁହ ନଥାଏ। କେତେ ଅନୁଦାନ, କେତେ ପ୍ରୋତ୍ସାହନ! କେତେ ଅରଣ୍ୟରୋଦନ! କେତେ କୁମ୍ଭୀର କ୍ରନ୍ଦନ! ଏହାହିଁ ବାସ୍ତବ ଚିତ୍ର ମୋ ଜୀବନର।

ସମାଜରେ ମୁଁ ଶୋଷିତ, ନିଷ୍ପେସିତ, ଅବହେଳିତ ଚିରକାଳ ଚିରଦିନ। ମାର୍କସବାଦ, ଲେନିନବାଦ, ପୁଞ୍ଜିବାଦ, ସାମ୍ୟବାଦ, ସମାଜବାଦ, ଗାନ୍ଧୀବାଦ, ସାଂସ୍କୃତିକ-ରାଷ୍ଟ୍ରବାଦ ମୋ ପାଇଁ କେତୋଟି କ୍ଲିଷ୍ଟ ଶବ୍ଦପୁଞ୍ଜ। ବଜାରବାଦ-ଉଦାରବାଦ ଅର୍ଥନୀତିରେ ମୁଁ ଗୋଟିଏ ପଣ୍ୟ ସାମଗ୍ରୀ। ଏହି କ୍ରୂର ମତଲବୀ ଦୁନିଆରେ ଅହରହ ଲଢ଼ିଲଢ଼ି ବଞ୍ଚିବାଟା ମୋର ଜନ୍ମଗତ ଅଧିକାର। ଏହା ମୋର ଦୁଃଖଦ କାହାଣୀ। କିଛି କରିପାରିବାର କ୍ଷମତା ମୋର ନାହିଁ। ଯାହାର କ୍ଷମତା ଅଛି ସେମାନେ ମଧ୍ୟ ମୋ ପ୍ରତି ସମ୍ୱେଦନଶୀଳ ନୁହନ୍ତି। ସରକାର ମୋ ପ୍ରତି ଉଦାସୀନ ଓ ବୈମାତୃକ ମନୋଭାବ। କେତେ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ ଆସି ଚାଲିଗଲେଣି। କିନ୍ତୁ ମୋର ଭାଗ୍ୟରେ ତାଲା ଝୁଲୁଛି। ସରକାର କୁମ୍ଭକର୍ଣ୍ଣ ଭଳି ନିଦ୍ରାରେ ଶୋଇଯାଇଛି। ଆଖିରେ ଅନ୍ଧପୁଟୁଳି ବାନ୍ଧି ନୂଆ ଖୋଳ ମଧ୍ୟରେ ଆଇନ୍‌‌ ପଡ଼ି ରହିଛି। ଆଇନର ଦ୍ୱାହି ଦେଇ ରାଜନେତାମାନେ ମୋତେ ଲୁଟି ଚାଲିଛନ୍ତି। ବିବେକକୁ ବଳି ଦେଇ ମୁଁ ଆଜି ସର୍ବଂସହା ପାଲଟିଯାଇଛି। ଏହା ହିଁ ମୋର ଦୁଃଖଦ କାହାଣୀ।

ସମାଜ ସୃଷ୍ଟିର ଅୟମାରମ୍ଭ କାଳରୁ ସଂଘର୍ଷର ସ୍ୱରୂପ ବିଦ୍ୟମାନ ରହିଛି। କେତେବେଳେ ତାହା ଦୁର୍ବଳ ଉପରେ ସବଳର ଅତ୍ୟାଚାର ତ କେତେବେଳେ ନିର୍ଦ୍ଧନ ଉପରେ ଧନୀ ଗୋଷ୍ଠୀର ଅତ୍ୟାଚାର। ଜର୍ମାନର ବିଶ୍ୱପ୍ରସିଦ୍ଧ ଦାର୍ଶନିକ କାର୍ଲ ମାର୍କସ ସ୍ୱରଚିତ ପୁସ୍ତକ, ‘କମ୍ୟୁନିଟି ଇସ୍ତାହାର’ରେ ଦର୍ଶାଇଛନ୍ତି ଯେ, ‘ସ୍ୱାଧୀନ ନାଗରିକ ଓ କ୍ରୀତଦାସ, ସମ୍ଭ୍ରାନ୍ତ ଓ ଇତରଜନ, ଭୂସ୍ୱାମୀ ଓ ଦିନ ମଜୁରିଆ; ଗୋଟିଏ କଥାରେ କହିଲେ ଅତ୍ୟାଚାରୀ ଓ ଅତ୍ୟାଚାରିତ ପରସ୍ପର ବିରୋଧରେ ଛିଡ଼ା ହୋଇ ଆସିଛନ୍ତି। ଅବିରତ ସଂଗ୍ରାମର ଏମାନେ ସର୍ବଦା ଲିପ୍ତ।’ ଏହିଭଳି ସଂଘର୍ଷର ସ୍ୱରୂପ ବିଶ୍ୱ ଦେଖିଛି ଫରାସୀ ରାଷ୍ଟ୍ର ବିପ୍ଳବ ଏବଂ ରୁଷ ବିପ୍ଳବର ଭୟାବହତାରେ। ଫରାସୀ ରାଷ୍ଟ୍ର ବିପ୍ଳବ ସମଗ୍ର ବିଶ୍ୱରେ ମୁକ୍ତି, ସାମ୍ୟ ଓ ମୈତ୍ରୀର ବାର୍ତ୍ତା ପ୍ରଚାର କରିଥିବା ବେଳେ ରୁଷ ବିପ୍ଳବ ମାନବ ଜୀବନର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସାମ୍ୟ ଭାବର ପ୍ରସାର ପାଇଁ ପଥ ପ୍ରସ୍ତୁତ କରିଥିଲା। ଏହି ବିପ୍ଳବର ପ୍ରଧାନ ଲକ୍ଷ୍ୟ ଥିଲା- ସାମ୍ୟବାଦ, ଶ୍ରମିକ ସମ୍ପ୍ରଦାୟର ପ୍ରାଧାନ୍ୟ ଓ ସମାଜରେ ଅର୍ଥନୈତିକ ସମତା ସ୍ଥାପନ। ବିଭିନ୍ନ ଦେଶର ପୁଞ୍ଜିପତି ଶୋଷକ ଶ୍ରେଣୀ ପ୍ରତି ଏହା ଏକ ସତର୍କ ଘଣ୍ଟି ରୂପେ କାମ କରିଥିଲା। ଏହା ସମାଜର ଦଳିତ ତଥା ନିଷ୍ପେସିତ ଶ୍ରମିକମାନଙ୍କ ମନରେ ଅପୂର୍ବ ଆଶାର ସଞ୍ଚାର କରିଥିଲା। ଏହି ବିପ୍ଲବ ରୁଷିଆର ସମାଜ, ରାଜନୀତି ଓ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବା ସହ ପୃଥିବୀ ଇତିହାସକୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ଶାସକ ଶ୍ରେଣୀ ବିରୁଦ୍ଧରେ ସର୍ବହରାମାନଙ୍କୁ ଏକଜୁଟ କରି ନିଜର ନ୍ୟାଯ୍ୟ ଦାବି ପ୍ରାପ୍ତି ନିମନ୍ତେ କାର୍ଲ ମାର୍କସଙ୍କର ତାତ୍ତ୍ୱିକ ଦର୍ଶନ (ମାର୍କସବାଦ) ଦେଶରେ ଅର୍ଥନୈତିକ କ୍ଷେତ୍ରରେ ଆଣିଥିଲା ଅନେକ ପରିବର୍ତ୍ତନ। ତେଣୁ ସାମ୍ପ୍ରତିକ ସମୟରେ ମୋର ଏତାଦୃଶ ଅବସ୍ଥା ପ୍ରତି ଭାରତ ସରକାର ଚିନ୍ତା ପ୍ରକଟ କରିବା ନିହାତି ଦରକାର। ନଚେତ୍‌‌ ଦେଶର ପ୍ରଗତି ଅସମ୍ଭବ।

(ଅଧ୍ୟାପକ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ)
କଟକ, ମୋ: ୯୪୩୮୦୭୦୮୪୯

About The Author: The Sakala