ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ରି ବେଳେ ଉତ୍ତରପ୍ରଦେଶରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବା ପ୍ରସଙ୍ଗ ବିବାଦ ଓ ବିତର୍କ ସୃଷ୍ଟି କରିଛି। ହିନ୍ଦୁ ଧର୍ମରେ ଆମିଷ ଭୋଜନ, ବିଶେଷକରି ପାର୍ବଣ ସମୟରେ ତାମସିକ ଭୋଜନକୁ ବାରଣ କରାଯାଇଥିବା ବେଳେ ଅଣହିନ୍ଦୁ ସମ୍ପ୍ରଦାୟ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରୁଛନ୍ତି। ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଦେଶ ଭାରତରେ ଏଭଳି ବାଛବିଚାର ସ୍ପହଣୀୟ ନୁହେଁ ଏବଂ ଏହା ନାଗରିକର ମୌଳିକ ଅଧିକାରର ପରିପନ୍ଥୀ ବୋଲି ଅଭିଯୋଗ ହେଉଛି। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି କଟକଣା ଯୋଗୁଁଁ ଅନେକ ବ୍ୟବସାୟୀଙ୍କ ପ୍ରବଳ କ୍ଷତି ଘଟିଥିବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଏଥିରେ ବାସ୍ତବତା କେତେ ତାହା ଭିନ୍ନ କଥା। ଏହି ପ୍ରସଙ୍ଗରେ ତେଜିଥିବା ରାଜନୀତି ଭିତରକୁ ମଧ୍ୟ ଆମେ ଯାଉନାହୁଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଖାଦ୍ୟ, ପୋଷାକ, ଚଳଣି, ପସନ୍ଦ ଆଦି ବିଷୟରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଅଧିକାର ଆମ ସମ୍ବିଧାନ ଦେଇଛି। ଏଣୁ ଅତୀତରେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟୋପରାଗରେ ଆମିଷ ଆହାର ଗ୍ରହଣ କରିବା ଉଚିତ କି ନୁହେଁ ତାହାକୁ ନେଇ ଭିନ୍ନ ଭିନ୍ନ ମତଧାରୀମାନେ ଦୁଇଭାଗ ହୋଇଯାଇଥିଲେ। ଏ ସବୁରୁ ଊର୍ଦ୍ଧ୍ବରେ ଆମ ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ ପାଲଟିସାରିଥିବା ବିଭିନ୍ନ ଶାସ୍ତ୍ର ଓ ସଂହିତା ପ୍ରଦତ୍ତ ନୀତି, ଆଦର୍ଶ ଓ ଉପଦେଶକୁ ଅନୁଶୀଳନ କରି ଏବଂ କେତେକ ବାସ୍ତବ ଘଟଣାକୁ ଅନୁଧ୍ୟାନ କରି ବିଚାରକୁ ସୀମିତ ରଖିବାର ପ୍ରୟାସ କରୁଛୁ।
ପ୍ରାଚୀନ କାଳରେ ମନୁଷ୍ୟ ବଣ ପାହାଡ଼ରେ ବିଚରଣ କରୁଥିଲା ଏବଂ ପଶୁଭଳି ଜଙ୍ଗଲରେ ବସବାସ କରୁଥିଲା। ସେଠାରୁ ହିଁ ବୁଲି ଖାଦ୍ୟ ଅନ୍ୱେଷଣ କରୁଥିଲା। ପ୍ରଥମେ ମନୁଷ୍ୟ ଜୀବ ବଧ କରି କଞ୍ଚାମାଂସ ଭକ୍ଷଣ କରୁଥିଲା। କାଳକ୍ରମେ ନିଆଁର ବ୍ୟବହାର ଜାଣିବା ପରେ ଶିଝାଇ, ପୋଡ଼ିକରି ଖାଇବା ଶିଖିଲା। ଆର୍ଯ୍ୟମାନଙ୍କ ଆଗମନ ପରେ ମାନବ ସଭ୍ୟତାରେ ବିବର୍ତ୍ତନ ଘଟିଲା ଏବଂ ଏଭଳି ଯାଯାବର ଜୀବନ ସହିତ ଖାଦ୍ୟାଭ୍ୟାସ ମଧ୍ୟ ନିୟନ୍ତ୍ରିତ ହେଲା। ସଭ୍ୟତାର ସୂର୍ଯ୍ୟାଲୋକରେ ମନୁଷ୍ୟ ଆଲୋକିତ ହେଲା।
ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ଖାଦ୍ୟପେୟର ନିୟନ୍ତ୍ରଣ ଓ ସୁଷମ ବ୍ୟବସ୍ଥା ଆମର ମୁନିଋଷିମାନେ କରିଛନ୍ତି। ମଣିଷମାନେ ମାଂସ ଭୋଜନ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନୀତିଶାସ୍ତ୍ରରେ କୁହାଯାଇଛି। ମୁଖ୍ୟତଃ ଯେଉଁ ପ୍ରାଣୀମାନେ ଓଠରେ ପାଣିପିଅନ୍ତି, ସେମାନେ ମାଂସ ଖାଇବା ଉଚିତ ନୁହେଁ। ଯଥା – ମଣିଷ, ମାଙ୍କଡ଼, ଗାଈ, ଛେଳି-ମେଣ୍ଢା ପ୍ରଭୃତି ମାଂସାହାରୀ ନୁହନ୍ତି। କୁକୁର, ବିରାଡ଼ି, ଶୃଗାଳ, ବାଘ, ସିଂହ ପ୍ରଭୃତି ଜିଭରେ ପାଣିପିଅନ୍ତି। ତେଣୁ ସେମାନେ ମାଂସାହାରୀ। ଉଭୟ ପ୍ରାଣୀଙ୍କର ପାକସ୍ଥଳୀ ତଦନୁସାରେ ନିର୍ମିତ। ପୂର୍ବାଚାର୍ଯ୍ୟମାନେ କହିଛନ୍ତି ଜୀବବଧ କରି ମାଂସ ଭକ୍ଷଣ କଲେ କ୍ଷତି ହୁଏ। ଯଥା –
‘ନମାଂସ ଭକ୍ଷଣ ଦୋଷଃ ନମଦଂ ନଚ ମୈଥୁନେ / ପ୍ରବୃତ୍ତିରେସଃ ଭୂତାନାଂ ନିବୃତ୍ତିସ୍ତୁ ମହାଫଳଃ।’
ଅର୍ଥାତ୍- ମାଂସ ଭକ୍ଷଣ କରିବା, ମଦ୍ୟପାନ କରିବା ଏବଂ ମୈଥୁନ କରିବା ଦୋଷ ନୁହେଁ। କାରଣ ଏହା ଭୂତ ବା ଜୀବମାନଙ୍କର ପ୍ରବୃତ୍ତି। କିନ୍ତୁ ଏଥିରୁ ନିବୃତ୍ତ ହେଲେ ମହାଫଳଟି ପ୍ରାପ୍ତ ହେବ। ଯାହା ଶାକାହାରୀ ପାଇ ପାରିବ; ଆମିଷାଦି ଭକ୍ଷଣ କରୁଥିବା ବ୍ୟକ୍ତି ନୁହେଁ।
ଓଡ଼ିଆ ଭାଗବତରେ ଗୋଟିଏ ପଦ ଅଛି- ‘ଜୀବ ମାରିଣ ମାଂସ ଖାଇ, ସେ ଜୀବ ବୈକୁଣ୍ଠେ ବସଇ’। ଉକ୍ତ ପଦଟିକୁ କଦର୍ଥ କରି ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଯା’ନ୍ତି। ପଦଟିକୁ ଠିକ୍ ଭାବେ ନବୁଝି, ଲୋକମାନଙ୍କ ମନରେ ଖାଦ୍ୟ ଜନିତ ଅନେକ ଭୁଲ୍ ତଥ୍ୟ ଦିଆଯାଏ। ମହର୍ଷି ମନୁ କହିଛନ୍ତି, ଗୋଟିଏ ଜୀବକୁ ମାରି ତା’ର ମାଂସ ଭକ୍ଷଣ କଲେ ଅନ୍ୟୂନ ୯ଜଣ ଲୋକ ଜୀବହତ୍ୟା ଜନିତ ପାପରେ ଦୋଷୀ ହୁଅନ୍ତି।
ଯଥା – ‘ଅନୁମନ୍ତା ବିଷସିତା, ନିହନ୍ତା, କ୍ରୟବିକ୍ରୟୀ / ସଂସ୍କର୍ତ୍ତା ଉପହର୍ତ୍ତାଚ ଖାଦକାଃ ଶ୍ଳେତ ଘାତକାଃ’। (ମନୁସ୍ମୃତି)
ଅର୍ଥାତ୍- ଏତେଗୁଡ଼ିଏ ଲୋକ ହେଉଛନ୍ତି ଘାତକ ପଦବାଚ୍ୟ ଏବଂ ଜୀବହତ୍ୟା ଜନିତ ପାପରେ ସେମାନେ ଭାଗୀ। ଯିଏ କେବଳ ଜୀବ ବଧ କଲା ସେ ଏକା ନୁହେଁ, ମସଲା ବାଟିବାଠାରୁ ପରିବା କାଟିବା, ରନ୍ଧନ କରିବା ପର୍ଯ୍ୟନ୍ତ ସମସ୍ତେ ପାପରେ ଭାଗୀ। ସେହିଭଳି ହିନ୍ଦୁ ଧର୍ମରେ ଗୋମାଂସ ଭକ୍ଷଣକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଇସ୍ଲାମ୍ ଧର୍ମରେ ଘୁଷୁରି ମାଂସକୁ ବିରୋଧ ଥିବା ଜଣାଯାଏ। ୧୮୫୭ ସିପାହୀ ବିଦ୍ରୋହର ମୂଳଦୁଆ ମଧ୍ୟ ଏଥିରୁ ପଡ଼ିଥିଲା। ସେକାଳରେ ଗୁଳି ଉପରେ ଥିବା ଆବରଣକୁ ଦାନ୍ତରେ ଛିଣ୍ଡାଇବାକୁ ପଡ଼ୁଥିଲା। ତେଣୁ ବ୍ରିଟିଶ୍ ଅଧିକାରୀମାନେ ଭାରତୀୟଙ୍କୁ ହିନ୍ଦୁ-ମୁସଲମାନ ନିର୍ବିଶେଷରେ ଧର୍ମଭ୍ରଷ୍ଟ କରିବାକୁ ସେହି କାର୍ଟିଜ୍ର ଆବରଣକୁ ଗାଈ ଓ ଘୁଷୁରି ଚମଡ଼ାରେ ନିର୍ମାଣ କରୁଥିଲେ। ଏହା ଜଣାପଡ଼ିବା ପରେ ବ୍ରିଟିଶ୍ ଫୌଜରେ ଥିବା ଭାରତୀୟ ହିନ୍ଦୁ ଓ ମୁସଲମାନ ସୈନିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲା। ସେହି ଅସନ୍ତୋଷରୁ ବିରୋଧ ଏବଂ ବିରୋଧରୁ ବିଦ୍ରୋହ ଜନ୍ମ ନେଲା, ଯାହା ଭାରତରେ ବ୍ରିଟିଶ୍ ଉପନିବେଶକୁ ଦୋହଲାଇ ଦେଲା। ତେଣୁ ମାଂସ ଭକ୍ଷଣ କିଭଳି ଇତିହାସକୁ ବଦଳାଇ ଦେଇପାରେ ତାହାର ଉଦାହରଣ ଥିଲା ସିପାହୀ ବିଦ୍ରୋହ।
ଆଠଗଡ଼଼-ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲ ଭିତରେ ଗୋଟାଏ ଗୋରୁହାଡ଼ର ପାହାଡ଼ ହୋଇଛି। ତା’ର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ତାହାକୁ ଅନେକ ଦେଖିଥିବେ। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଭୁବନେଶ୍ୱର, କଟକ ଏବଂ ଅନ୍ୟ ସହରଗୁଡ଼ିକରେ ଆୟୋଜନ ହେଉଥିବା ବିବାହ ଓ ଅନ୍ୟ ଭୋଜିମାନଙ୍କ ମଧ୍ୟରୁ ଅଧିକାଂଶରେ କେବଳ ମଟନ ନାମରେ ଗୋମାଂସ ହିଁ ଗୋମାଂସ ବୋଲି ଅଭିଯୋଗ ହୁଏ।। ବହୁତଗୁଡ଼ିଏ ହୋଟେଲ ଓ ଢାବାରେ ମଧ୍ୟ ସେହି ଏକା ଅବସ୍ଥା ବୋଲି ପ୍ରାଣୀକଲ୍ୟାଣ କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ଗୁରୁତର ଅଭିଯୋଗ ଆଣନ୍ତି। ଯେଉଁମାନେ ବରଯାତ୍ରୀ ଭାବରେ ଯାଇ ମଟନ୍ ଖାଇବାକୁ ଜିଦ୍ କରନ୍ତି, ସେମାନେ ଗୋରୁ ମୁଣ୍ଡ ଓ ହାଡ଼ର ଏଇ ପାହାଡ଼କୁ ସାମାଜିକ ଗଣମାଧ୍ୟମ ଭିଡିଓକୁ ଦେଖି ଅନୁମାନ କରନ୍ତୁ। ସାମାଜିକ ଗଣମାଧ୍ୟରେ ଘୂରିବୁଲୁଥିବା ଅନ୍ୟ ଏକ ଭିଡିଓରେ ସାକ୍ଷୀଗୋପାଳରେ ଧରା ପଡ଼ିଥିବା ଗୋମାଂସ ଚାଲାଣକାରୀର ବକ୍ତବ୍ୟରୁ ଆଉ କିଛି ଅବୁଝା ରହୁନାହିଁ। ଆଉ କିଛି କହିବା ଆବଶ୍ୟକ ମଧ୍ୟ ନାହିଁ। ଶେଷରେ ଏତିକି ଅନୁରୋଧ ଏହାକୁ ଅନ୍ତତଃ ହୃଦୟଙ୍ଗମ କରିବେ। ଆଜି ଆମେ ଦୃଢ଼କଣ୍ଠରେ ସଂକଳ୍ପ ନେବା ଯେ-
ଆମେ ନିଜେ ଓ ଆମ ସହିତ ଆମର ସାଙ୍ଗସାଥୀ, ବନ୍ଧୁ ବାନ୍ଧବମାନେ ହୋଟେଲ ଓ ଢାବାମାନଙ୍କରେ କଦାପି ମଟନ ଖାଇବା ନାହିଁ। ଭୋଜିମାନଙ୍କରେ ଚିକେନ-ମଟନ ଖାଇବା ଓ ଖୁଆଇବାରୁ ନିବୃତ୍ତ ରହିବା। ଭୋଜିମାନଙ୍କରେ ଆମିଷ ସୀମାବଦ୍ଧ ରହିବ, କେବଳ ମାଛ ଓ ଚିଙ୍ଗୁଡ଼ି ଭିତରେ।
ଆମେ ଯଦି ଉପରୋକ୍ତ ସଂକଳ୍ପନାମାକୁ ପାଳିପାରିବା, ତେବେ ଆମର ତଥା ଆମ ସମ୍ପ୍ରଦାୟର ଅଶେଷ କଲ୍ୟାଣ ସାଧିତ ହେବ।
ଡ. ଅଭିମନ୍ୟୁ ବରାଳ
ପୁରୀ, ୯୯୩୭୮୩୫୨୩୦