ଚୈତ୍ର ନବରାତ୍ରୀ ୨୦୨୬: ଜାଣନ୍ତୁ କଳସ ସ୍ଥାପନର ଶୁଭ ମୁହୂର୍ତ୍ତ, ଅଭିଜିତ ମୁହୂର୍ତ୍ତ ଓ ସମ୍ପୂର୍ଣ୍ଣ ପୂଜା ବିଧି

ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥାଏ। ଏହି ନଅ ଦିନ ଧରି ମାତା ଦୁର୍ଗାଙ୍କର ନବସ୍ୱରୂପଙ୍କୁ ଭକ୍ତି ଆଉ ଶ୍ରଦ୍ଧାର ସହ ପୂଜା କରାଯାଏ। ଚଳିତ ବର୍ଷ ଅର୍ଥାତ୍ ୨୦୨୬ ମସିହାରେ ଚୈତ୍ର ନବରାତ୍ରୀ ମାର୍ଚ୍ଚ ୧୯ ତାରିଖ (ଗୁରୁବାର) ଦିନ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ କଳସ ସ୍ଥାପନ ବା ଘଟସ୍ଥାପନ କରିବାର ବିଧି ରହିଛି। ଆସନ୍ତୁ ଜାଣିବା ଏଥର କଳସ ସ୍ଥାପନର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ସମ୍ପର୍କରେ ସବିଶେଷ ତଥ୍ୟ।

କଳସ ସ୍ଥାପନର ଶୁଭ ମୁହୂର୍ତ୍ତ (Kalash Sthapana Muhurat)

ପଞ୍ଚାଙ୍ଗ ଅନୁଯାୟୀ, ୨୦୨୬ ମସିହାରେ ଚୈତ୍ର ନବରାତ୍ରୀ ମାର୍ଚ୍ଚ ୧୯ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ (ଶୁକ୍ରବାର) ରାମ ନବମୀ ସହିତ ଶେଷ ହେବ। ପ୍ରଥମ ଦିନରେ ଘଟସ୍ଥାପନ ପାଇଁ ବିଶେଷ ଶୁଭ ମୁହୂର୍ତ୍ତ ରହିଛି:

* ସକାଳର ଶୁଭ ମୁହୂର୍ତ୍ତ: ସକାଳ ୬:୫୨ ମିନିଟ୍‌ରୁ ୭:୪୩ ମିନିଟ୍ ପର୍ଯ୍ୟନ୍ତ କଳସ ସ୍ଥାପନ କରାଯାଇପାରିବ। ଏହାର ଅବଧି ୫୦ ମିନିଟ୍ ରହିଛି।

* ଅଭିଜିତ ମୁହୂର୍ତ୍ତ: ଯଦି କୌଣସି କାରଣବଶତଃ ଆପଣ ସକାଳେ କଳସ ସ୍ଥାପନ କରିପାରିଲେ ନାହିଁ, ତେବେ ଦିନ ୧୨:୦୫ ମିନିଟ୍‌ରୁ ୧୨:୫୩ ମିନିଟ୍ ମଧ୍ୟରେ ଥିବା ଅଭିଜିତ ମୁହୂର୍ତ୍ତରେ ମଧ୍ୟ ଘଟସ୍ଥାପନ କରିପାରିବେ।

ଚୈତ୍ର ନବରାତ୍ରୀ ପୂଜା ବିଧି (Puja Vidhi)

* ନବରାତ୍ରୀର ପ୍ରଥମ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ଆଦି ସାରି ନିତ୍ୟକର୍ମ ସମ୍ପନ୍ନ କରନ୍ତୁ।

* ଏହାପରେ ପୂଜା ଘରକୁ ଭଲଭାବେ ସଫା କରି ଗଙ୍ଗାଜଳ ସିଞ୍ଚନ କରି ପବିତ୍ର କରନ୍ତୁ।

* ଏକ ଛୋଟ ପିଢ଼ା ଉପରେ ନାଲି ବସ୍ତ୍ର ବିଛାଇ ମାତା ଦୁର୍ଗାଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ।

* ଶୁଭ ମୁହୂର୍ତ୍ତରେ ଏକ ମାଟି କିମ୍ବା ତମ୍ବା ପାତ୍ରରେ ପବିତ୍ର ଜଳ ଭରି ସେଥିରେ ଆମ୍ବ ଡାଳ ରଖି କଳସ ସ୍ଥାପନ କରନ୍ତୁ। କଳସ ଉପରେ ନଡ଼ିଆ ରଖନ୍ତୁ। କଳସ ତଳେ ମାଟିରେ ଜଅ (Barley) ବୁଣନ୍ତୁ।

* ମାତାଙ୍କ ଆଗରେ ଅଖଣ୍ଡ ଦୀପ ଲଗାନ୍ତୁ ଏବଂ ପୁଷ୍ପ, ଫଳ, ନୈବେଦ୍ୟ ଓ ଷୋଡ଼ଶୋପଚାର ସାମଗ୍ରୀ (ଶୃଙ୍ଗାର ସାମଗ୍ରୀ) ଅର୍ପଣ କରନ୍ତୁ।

* ପୂଜା ସମୟରେ ମାତା ଦୁର୍ଗାଙ୍କ ମନ୍ତ୍ର, ଦୁର୍ଗା ଚାଳିଶା ଏବଂ ଦୁର୍ଗା ସପ୍ତଶତୀ ପାଠ କରିବା ଅତ୍ୟନ୍ତ ଫଳଦାୟକ ବୋଲି ବିବେଚନା କରାଯାଏ। ଶେଷରେ ମାତାଙ୍କ ଆଳତୀ କରନ୍ତୁ।

ଏହି ନଅ ଦିନ ଧରି ଭକ୍ତମାନେ ଉପବାସ ରଖି ମାତାଙ୍କର ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ଘରେ ସୁଖ ଓ ଶାନ୍ତିର ବାସ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

About The Author: Suryakanta