ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସହ ନୂଆ ସଂସଦ ଭବନକୁ ସମାଲୋଚନା କରିଛନ୍ତି। ଜୟରାମ ରମେଶ କହିଛନ୍ତି, ବଡ଼ ପ୍ରଚାର ପ୍ରସାର ସହ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି। ପ୍ରକୃତରେ ଏହା ଦ୍ବାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିଁ ଉଦ୍ଦେଶ୍ୟ ସାଧିତ ହୋଇଛି । ଏହାକୁ ‘ମୋଦୀ ମଲ୍ଟିପ୍ଲେକ୍ସ’ କିମ୍ବା ‘ମୋଦୀ ମ୍ୟାରିଅଟ୍’ କୁହାଯିବା ଉଚିତ୍। ଚାରି ଦିନ ପରେ ମୁଁ ଅନୁଭବ କରୁଛି ଯେ ନୂଆ ସଂସଦ ଭବନ ଭିତରେ ଓ ଲବିରେ ସାଂସଦମାନଙ୍କ ମିଳାମିଶା ଓ କଥାବାର୍ତ୍ତା କରିବା ପାଇଁ ସୁବିଧା ନାହିଁ । ଯଦି ସ୍ଥାପତ୍ୟ ଗଣତନ୍ତ୍ରକୁ ହତ୍ୟା କରିପାରିବ ତେବେ ପ୍ରଧାନମନ୍ତ୍ରୀ ସମ୍ବିଧାନର ପୁନଃ ଲିଖନ ବିନା ଏଥିରେ ସଫଳ ହୋଇଛନ୍ତି।
ଜୟରାମ ରମେଶ ଲେଖିଛନ୍ତି, ନୂଆ ସଂସଦ ଭବନର ହଲ୍ ଗୁଡିକ ଆଦୌ ଆରାମଦାୟକ ନୁହେଁ । ତେଣୁ ପରସ୍ପରକୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ ପଡ଼ିପାରେ । ପୁରୁଣା ସଂସଦର ଏକ ଆକର୍ଷଣ ଥିଲା । ଏହାଛଡା କଥାବାର୍ତ୍ତା କରିବା ମଧ୍ୟ ସହଜ ହେଉଥିଲା । ଗୋଟିଏ ଗୃହରୁ ଅନ୍ୟ ଗୃହକୁ ଯିବା ତଥା କେନ୍ଦ୍ରୀୟ ହଲ୍ ଏବଂ କରିଡରରେ ଚଳପ୍ରଚଳ ଆରାମଦାୟକ ଥିଲା । ପୁରୁଣା ସଂସଦରେ ଯଦି ଆପଣ ନିଜ ରାସ୍ତା ଭୁଲି ଯାଉଥିଲେ, ତେବେ ସହଜରେ ଏହା ଖୋଜି ପାରୁଥିଲେ କାରଣ ଏହା ବୃତ୍ତାକାର ଥିଲା । କିନ୍ତୁ ନୂଆ ସଂସଦ ଭବନରେ ରାସ୍ତା ଭୁଲିଗଲେ ଆପଣ ବାଉଳା ହୋଇଯିବେ । ପୁରୁଣା ସଂସଦରେ ମୁକ୍ତ ପରିବେଶ ଥିଲା, ନୂଆ ସଂସଦ ଭବନ ଶ୍ୱାସରୁଦ୍ଧ ଭଳି ଅନୁଭବ ହେଉଛି।
ଜୟରାମ ରମେଶ ଲେଖିଛନ୍ତି, ସଂସଦ ଭବନରେ ବୁଲିବାର ସେହି ଆନନ୍ଦ ଆଉ ନାହିଁ । ମୁଁ ପୁରୁଣା ସଂସଦ ଭବନ ଯିବା ପାଇଁ ଉତ୍ସାହିତ ହେଉଥିଲି କିନ୍ତୁ ନୂଆ ସଂସଦ ଏକ ଯନ୍ତ୍ରଣା ପରି ମନେ ହେଉଛି । ମୁଁ ନିଶ୍ଚିତ ଯେ ସବୁ ଦଳର ବହୁ ସଦସ୍ୟ ମଧ୍ୟ ଏପରି ଅନୁଭବ କରୁଥିବେ । ମୁଁ ଶୁଣିଛି ଯେ ସଚିବାଳୟର କର୍ମଚାରୀମାନେ ମଧ୍ୟ ନୂଆ ଡିଜାଇନ୍ ସହ ଖୁସି ନୁହଁନ୍ତି। ଯଦି ସଂସଦ ଭବନର ବ୍ୟବହାରକାରୀଙ୍କ ସହ କୌଣସି ପରାମର୍ଶ ନ କରାଯାଏ ତେବେ ଏଭଳି ହୁଏ । ବୋଧହୁଏ ୨୦୨୪ରେ କ୍ଷମତା ପରିବର୍ତ୍ତନ ପରେ ନୂଆ ସଂସଦ ଭବନର ସଠିକ୍ ବ୍ୟବହାର କରାଯିବ ବୋଲି ଏହି କଂଗ୍ରେସ ନେତା କହିଛନ୍ତି ।
ସେପଟେ କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ପରେ ବିଜେପି ଏହାକୁ କାଉଣ୍ଟର କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଜୟରାମ ରମେଶଙ୍କ ପାଥେଟିକ ମାନସିକତା ବୋଲି କହିଛନ୍ତି। ନୂଆ ସଂସଦ ଭବନକୁ ନେଇ ଏଭଳି କହିବା ଭାରତୀୟଙ୍କୁ ଅସମ୍ମାନ ବୋଲି ସେ କହିଛନ୍ତି। ନୂଆ ସଂସଦ ଭବନ ଉଦଘାଟନ ସମୟରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରା ନ ଯିବାକୁ ନେଇ ବିବାଦ ସୃଷ୍ଟି ହେବା ସହ ବିରୋଧୀ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଏବେ ପୁଣିଥରେ ସଂସଦ ଭବନର ଗଠନଶୈଳୀକୁ ନେଇ ରାଜନୀତି ତୀଵ୍ର ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।