ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନ ବ୍ୟାପୀ ଦିନ ଦିଲ୍ଲୀରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଅପୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାକୁ ରହିଥିବା ବେଳେ ଭାରତର ଆମନ୍ତ୍ରଣକ୍ରମେ ବିଶ୍ବର ୩୦ଟି ରାଷ୍ଟ୍ରରୁ ବୌଦ୍ଧ ପ୍ରତିନିଧିମାନେ ଯୋଗ ଦେବାକୁ ଭାରତ ଆସିଛନ୍ତି। କିନ୍ତୁ ଚୀନ୍ ଏହି ସମ୍ମିଳନୀରେ ଯୋଗ ଦେବ ନାହିଁ ବୋଲି ସୂଚନା ମିଳିଛି। ଚୀନକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଭାରତ ସହ ସୀମା ବିବାଦକୁ ନେଇ ଚୀନ ଏଥିରୁ ନିବୃତ ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ବୈଦ୍ଧ ସଂଘ(ଆଇବିସି) ମହାନିର୍ଦ୍ଦେଶକ ଅଭିଜିତ ହଲଦର କହିଛନ୍ତି।
ତେବେ ତାଇୱାନ୍ରୁ ଦୁଇଟି ପ୍ରତିନିଧି ଦଳ ଭାରତ ଆସୁଛନ୍ତି ବୋଲି ଅଭିଜିତ କହିଛନ୍ତି। ସୂଚନା ଥାଉକି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହ ମିଶି ଆଇବିସି ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି। ସାଂସ୍କୃତିକ କ୍ଷେତ୍ରରେ ବିଶ୍ୱରେ ଅନ୍ୟ ଦେଶ ସହ ସମ୍ପର୍କ ମଜଭୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦଲାଇଲାମାଙ୍କ ସାକ୍ଷାତକାରକୁ ଚୀନ୍ ପୂର୍ବରୁ ବିରୋଧ କରି ଆସିଥିଲା ବେଳେ ଏହାକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀରେ ଯୋଗ ନଦେବା ଅନ୍ୟତମ କାରଣ ହୋଇପାରେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ ଓ ମିଆଁମାରର ପ୍ରତିନିଧି ଦଳ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ବୁଦ୍ଧ ଧାମ ଓ ଶାନ୍ତି, ବୁଦ୍ଧ ଧାମ, ଜଳବାୟୁ ସଂକଟ, ସ୍ୱାସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରାର ସଂରକ୍ଷଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।