ରୁଷ-ନାଟୋ ତିକ୍ତତା: କାଲିନିନଗ୍ରାଡ୍ ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧର ଚେତାବନୀ ଦେଲେ ପୁଟିନ

ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ଏବଂ ନାଟୋ (NATO) ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ବାଲ୍ଟିକ୍ ସାଗରରେ ଥିବା ନିଜର ଏକ ଅଞ୍ଚଳ କାଲିନିନଗ୍ରାଡ୍ (Kaliningrad) ର ସୁରକ୍ଷାକୁ ନେଇ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ଏହି ଅଞ୍ଚଳକୁ ରୁଷରୁ ବିଚ୍ଛିନ୍ନ କରିବାକୁ ଚେଷ୍ଟା କରାଯାଏ, ତେବେ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାକୁ ରୁଷ ପଛାଇବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

କାଲିନିନଗ୍ରାଡ୍ ପ୍ରସଙ୍ଗରେ ପୁଟିନଙ୍କ କଡ଼ା ଆଭିମୁଖ୍ୟ

ଭଲଡାଇ କ୍ଲବ୍ (Valdai Club) ଫୋରମରେ ଉଦବୋଧନ ଦେଇ ଭ୍ଲାଦିମିର ପୁଟିନ ସ୍ପଷ୍ଟ କରିଛନ୍ତି ଯେ ରୁଷ କୌଣସି ୟୁରୋପୀୟ ଦେଶ ଉପରେ ଆକ୍ରମଣ କରିବାକୁ ଯୋଜନା କରୁନାହିଁ। କିନ୍ତୁ ଯଦି ତାଙ୍କ ଦେଶର ସାର୍ବଭୌମତ୍ୱ ପ୍ରତି କୌଣସି ବିପଦ ଆସେ, ବିଶେଷକରି କାଲିନିନଗ୍ରାଡ୍ ଉପରେ କୌଣସି ଅବରୋଧ (Blockade) କିମ୍ବା ଆକ୍ରମଣ ହୁଏ, ତେବେ ତୁରନ୍ତ ଏବଂ ଭୟଙ୍କର ଜବାବ ଦିଆଯିବ। ଆବଶ୍ୟକ ପଡ଼ିଲେ ରୁଷ ତାର ସମସ୍ତ ଅସ୍ତ୍ରଶସ୍ତ୍ର, ଏପରିକି ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିବ ବୋଲି ସେ କହିଛନ୍ତି।

କୂଟନୈତିକ ସ୍ତରରେ ରୁଷର ଚେତାବନୀ

ଚଳିତ ସପ୍ତାହରେ ବେଲଜିୟମ୍ ଏବଂ ଆୟରଲ୍ୟାଣ୍ଡ ସମେତ ୟୁରୋପରେ ଥିବା ଏକାଧିକ ରୁଷୀୟ ଦୂତାବାସ ପକ୍ଷରୁ ନାଟୋ କୁ କୂଟନୈତିକ ନୋଟ୍ ପଠାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯଦି ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ କାଲିନିନଗ୍ରାଡ୍ ଉପରେ ନୌସେନା କିମ୍ବା ବାୟୁସେନା ଅବରୋଧ କରିବାକୁ ଚେଷ୍ଟା କରନ୍ତି, ତେବେ ଏହାକୁ ସିଧାସଳଖ ଆକ୍ରମଣ ବୋଲି ବିବେଚନା କରାଯିବ।

ନାଟୋର ପ୍ରତିକ୍ରିୟା

ରୁଷର ଏହି ଧମକକୁ ନାଟୋ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ରୁଷ ଉପରେ ଆକ୍ରମଣ କରିବା ବା କାଲିନିନଗ୍ରାଡ୍କୁ ଟାର୍ଗେଟ୍ କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ନାଟୋ ମହାସଚିବ ମାର୍କ ରୁଟେ (Mark Rutte) ସ୍ପଷ୍ଟ କରିଛନ୍ତି। ରୁଷର ଏଭଳି ପରମାଣୁ ଧମକ କେବଳ ଉତ୍ତେଜନା ବଢ଼ାଇବା ଛଡ଼ା ଆଉ କିଛି ନୁହେଁ ଏବଂ ନାଟୋ ସହିତ ରୁଷ କଦାପି ଯୁଦ୍ଧ ଜିତିପାରିବ ନାହିଁ ବୋଲି ସେ କହିଛନ୍ତି। ଏହା ସତ୍ତ୍ୱେ ୟୁକ୍ରେନ ପ୍ରତି ସମର୍ଥନ ଜାରି ରଖିବାକୁ ସେ ନାଟୋ ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

About The Author: Suryakanta