ୱାଶିଂଟନ : ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଗୁଡିକ (ଓପେକ୍) ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିରେ ଆମେରିକା କ୍ଷୁବ୍ଧ ହୋଇଛି। ଏହାକୁ ନେଇ ଆମେରିକା ସାଉଦି ସହ ୱାଶିଂଟନର ତିକ୍ତତା ବଢ଼ିଛି। ଏହାର ପ୍ରଭାବ ଆସନ୍ତା ମାସରେ ଇଣ୍ଡୋନେସିଆରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପଡିଛି। ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଉଦି ରାଜକୁମାର ମହମ୍ମଦ ବିନ୍ ସଲମାନ (ଏମବିଏସ) ଯୋଗ ଦେବେ। ତେବେ ଉଭୟ ନେତାଙ୍କ ମଧ୍ୟରେ ସକ୍ଷାତ ଆଲୋଚନା ହେବନାହିଁ। ଆମେରିକା ମଧ୍ୟ ସାଉଦି ଉପରେ କଟକଣା ଲଗାଇପାରେ। ଏହି ଦେଶକୁ ସାମରିକ ସହାୟତା ଦେବା ବନ୍ଦ କରିପାରେ।
ଏବେ ସାଉଦି ଆମେରିକାଠୁ ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ସାମରିକ ଉପକରଣ କିଣୁଛି। ସୂଚନା ଅନୁଯାୟୀ ଓପେଇକ ଦେଶ ଅଶୋଧିତ ତୈଳ ଉତ୍ପାଦନ ୨ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ରୁଷ୍-ୟୁକ୍ରେନ ଯୁଦ୍ଧ ସ୍ଥିତିରେ ଏପରି ନିଷ୍ପତ୍ତି ନେବା ଅନୁଚିତ୍ ପୂର୍ବରୁ ହ୍ବାଇଟହାଉସ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏହା ସତ୍ତ୍ବେ ଓପେକ୍ ଦେଶ ଆମେରିକାର ଅଭିଯୋଗକୁ କର୍ଣ୍ଣପାତ କରିନାହାନ୍ତି। ରିପୋର୍ଟ ଅନୁଯାୟୀ ଜି୨୦ ସମ୍ମିଳନୀରେ ବାଇଡେନ ଏବଂ ସଲ୍ମାନଙ୍କ ମଧ୍ୟରେ ସାକ୍ଷାତ ହେବାର କୌଣସି ଯୋଜନା ନାହିଁ। ଓପେକ ଦେଶର ନିଷ୍ପତ୍ତି ପରେ ସାଉଦି ଆରବ ସହ ସମ୍ବନ୍ଧକୁ ନେଇ ପୁଣିଥରେ ଆଲୋଚନା କରାଯିବ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଥିଲା।
ରବିବାର ଏକ ସାକ୍ଷାତକାରରେ ଆମେରିକା ଏନଏସଏ କହିଥିଲେ ଯେ ଉଭୟ ଦେଶର ସମ୍ବନ୍ଧରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଖୁବ୍ଶୀଘ୍ର ରାଷ୍ଟ୍ରପତି ଏ ବିଷୟରେ ନିଷ୍ପତ୍ତି ନେବେ। ସଂସଦରେ ଏହା ଉପରେ ବିଚାର କରାଯାଇପାରେ। ବାଇଡେନ ପ୍ରଶାସନ ଅନୁଯାୟୀ ଓପେକ ଦେଶର ନିଷ୍ପତ୍ତି ରୁଷ୍କୁ ସହାୟତା କରିବ। ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ। ରୁଷ ତେଲ ବିକ୍ରି କରି ଲକ୍ଷ ଲକ୍ଷ ଡଲାର ଆୟ କରିବ। ତେବେ ରୁଷ୍ ନଭେମ୍ବର ପର୍ଯ୍ୟନ୍ତ ଦିନକୁ ୨ ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ କମ୍ କରିବ ବୋଲି କହିଛି। ଅପରପକ୍ଷେ ସାଉଦି ଆମେରିକାର ଅଭିଯୋଗ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଆମେରିକା ମିଥ୍ୟା ଅଭିଯୋଗ ଲଗାଉଛି।
ରୁଷ୍କୁ ଲାଭ ପହଞ୍ଚାଇବାକୁ ନୁହେଁ, ନିଜ ଦେଶର ଅର୍ଥନୀତିକୁ ଦେଖି ତୈଳ ଉତ୍ପାଦନ କମ୍ କରିବାର ନିଷ୍ପତ୍ତି ନିଆଯାଇଥାଏ। ଆମେକିତା ସିନେଟର ଫରେନ ରିଲେସନ କମିଟିର ଅଧ୍ୟକ୍ଷ ବବ୍ ମଣ୍ଡେଜ୍ଙ୍କ ମନ୍ତବ୍ୟ ସାଉଦିର ଚିନ୍ତା ବୃଦ୍ଧି କରିପାରେ। ସେ ସାଉଦିକୁ ତୁରନ୍ତ ଅସ୍ତ୍ରଶସ୍ତ୍ର ଯୋଗାଣକୁ ବନ୍ଦ କରିବାକୁ କହିଛନ୍ତି। ଓପେକ୍ ରାଷ୍ଟ୍ରର ନିଷ୍ପତ୍ତି ଯୋଗୁଁ ଭାରତ ଉପରେ ପ୍ରବାବ ପଡ଼ିପାରେ। କାରଣ ଭାରତ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଛି। ଓପେକ ଦେଶ ଭାରତକୁ ୬୦ ପ୍ରତିଶତ ଅଶୋଧିତ ତୈଳ ଯୋଗାଣ କରୁଛନ୍ତି। ସାଉଦି ଆରବ, ଇରାନ, ଇରାକ, ଭେନଜୁଏଲା ଓପେକର ପ୍ରତିଷ୍ଠାତା ସଦସ୍ୟ ଅଛନ୍ତି।