ଉନ୍ନାଓ ମାମଲା: କୁଲଦୀପ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସୋମବାର ଦିନ କୋର୍ଟ ସେଙ୍ଗରଙ୍କ ୧୦ ବର୍ଷର ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ରବିନ୍ଦର ଡୁଡେଜା ଏହି ରାୟ ଶୁଣାଇଛନ୍ତି। କୁଲଦୀପ ସେଙ୍ଗର ବର୍ତ୍ତମାନ ହାଜତ ମୃତ୍ୟୁ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ସହ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ପୀଡ଼ିତାଙ୍କ ପକ୍ଷରୁ ଓକିଲ ମେହମୁଦ ପ୍ରାଚା ଯୁକ୍ତି ଦର୍ଶାଇଥିଲେ ଯେ କୁଲଦୀପ ସେଙ୍ଗର ମୁକୁଳିଲେ ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ବିପଦ ରହିଛି। ସେ କହିଥିଲେ ଯେ ପୀଡ଼ିତା ଏବେ ମଧ୍ୟ ସୋସିଆଲ ମିଡିଆରେ ନାନାଦି ହଇରାଣ ହରକତର ଶିକାର ହେଉଛନ୍ତି, ତେଣୁ ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାମିନ ଦିଆଯିବା ଉଚିତ ନୁହେଁ। ଅନ୍ୟପକ୍ଷରେ, କୁଲଦୀପ ସେଙ୍ଗରଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ସେ ପ୍ରାୟ ୯ ବର୍ଷ ଜେଲରେ କାଟି ସାରିଛନ୍ତି ଏବଂ ମାତ୍ର ୧୧ ମାସ ଦଣ୍ଡ ବାକି ଅଛି। ଘଟଣା ସମୟରେ ସେଙ୍ଗର ସେଠାରେ ଉପସ୍ଥିତ ନଥିବା ମଧ୍ୟ ଦାବି କରାଯାଇଥିଲା।

ସୂଚନାଯୋଗ୍ୟ ଯେ, କୁଲଦୀପ ସେଙ୍ଗର ଏପ୍ରିଲ ୧୩, ୨୦୧୮ରୁ ଜେଲରେ ଅଛନ୍ତି। ଗତ ଡିସେମ୍ବର ୨୩, ୨୦୨୫ରେ ବଳାତ୍କାର ମାମଲାରେ ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ସୁପ୍ରିମକୋର୍ଟ ଡିସେମ୍ବର ୨୯ରେ ଏହା ଉପରେ ରୋକ ଲଗାଇଥିଲେ। ୨୦୧୮ ଏପ୍ରିଲରେ ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ହାଜତରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଦାଲତ କୁଲଦୀପ ସେଙ୍ଗର ଓ ତାଙ୍କ ଭାଇ ଅତୁଲ ସିଂହ ସେଙ୍ଗରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଟ୍ରାଏଲ କୋର୍ଟ ଏହାକୁ ଗମ୍ଭୀର ଅପରାଧ ବୋଲି ବିବେଚନା କରି କୌଣସି କୋହଳ ମନୋଭାବ ପୋଷଣ କରିବାକୁ ମନା କରିଦେଇଥିଲେ।

About The Author: Madhusudan Das