ନୂଆଦିଲ୍ଲୀ: ବେଆଇନ ପ୍ରବାସୀଙ୍କ ବିରୋଧରେ ବ୍ରିଟେନର କଠୋର ଆଭିମୁଖ୍ୟ । ବ୍ରିଟେନ ଗୃହ ବିଭାଗର ପ୍ରବର୍ତ୍ତନ ଅଧିକାରୀ ବେଆଇନ ପ୍ରବାସୀଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢଉ କରିଛନ୍ତି । ଏହି ଚଢଉ ଅଭିଯାନରେ ନିଜେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ମଧ୍ୟ ସାମିଲ ହୋଇଛନ୍ତି । ରାଷ୍ଟ୍ରବ୍ୟାପୀ ଜାରି ଏହି ଅଭିଯାନରେ ୨୦ ଦେଶର ୧୦୫ ଜଣ ନାଗରିକଙ୍କୁ ଗିରଫ କରାଯାଇଛି ।ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ସୁନକ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରାଇବାକୁ ନିଜ ସରକାରଙ୍କ ଶୀର୍ଷ ପ୍ରାଥମିକତା ମଧ୍ୟରୁ ଗୋଟିଏ କରିଛନ୍ତି ।
ସୂଚନା ଅନୁଯାୟୀ, ଅଧିକାରୀମାନେ ୧୫୯ ସ୍ଥାନରେ ଚଢଉ କରିଥିଲେ ଏବଂ ୧୦୫ ବିଦେଶୀ ନାଗରିକଙ୍କୁ ଗିରଫ କରିଥିଲେ । ରେଷ୍ଟୁରାଷ୍ଟ, କାର ୱାସ, ସେଲୁନ ସହ ବାଣିଜ୍ୟିକ ପରିସରରେ ଏହି ରେଡ୍ କରାଯାଇଥିଲା । ସନ୍ଦିଗ୍ଧମାନଙ୍କୁ ବେଆଇନ ଭାବେ କାମ କରିବା ଏବଂ ମିଛ ଦସ୍ତାବିଜ ରଖିବା ଅଭିଯୋଗରେ ଗିରଫ କରାଯାଇଛି ।