ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୧୦% ଟାରିଫ୍ ଲଗାଇଛନ୍ତି। କାରଣ ଭାରତ ସମେତ ବ୍ରିକ୍ସର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ଉପରେ ସମାନ ଅତିରିକ୍ତ ୧୦% ଶୁଳ୍କ ଲାଗୁ କରାଯାଇଛି। ଯେହେତୁ ଭାରତ ବ୍ରିକ୍ସର ସଦସ୍ୟ ତେଣୁ ଏହାକୁ ୧୦% ଟିକସ ଭାର ବହନ କରିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପଙ୍କ ଏହି ନୂଆ ଟାରିଫ୍ ଯୋଗୁ ବ୍ରାଜିଲ୍, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ୧୧ ରାଷ୍ଟ୍ରର ବ୍ରିକ୍ସ ବ୍ଲକ୍ ଭାରି ଶୁଳ୍କର ସମ୍ମୁଖୀନ ହେବେ। ତେବେ ବ୍ରିକ୍ସ ରାଷ୍ଟ୍ରଗୁଡିକ ଏହି ଶୁଳ୍କକୁ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ନିୟମର ଅସମାନତା ବୋଲି କହିଛନ୍ତି। ଏହାଛଡା ସେ ତମ୍ବା ୫୦% ଓ ଔଷଧ ସାମଗ୍ରୀର ଆମଦାନୀ ଉପରେ ୨୦୦% ଟାରିଫ୍ ପ୍ରସ୍ତାବ ରଖିଛନ୍ତି।
ଆମେରିକୀୟ ଡଲାର ହେଉଛି ରାଜା। ବ୍ରିକ୍ସ ଗୋଷ୍ଠୀ ଭାରତକୁ ଦୁର୍ବଳ କରିବାକୁ କାମ କରୁଥିବା ଅନୁଷ୍ଠିତ ଏକ କ୍ୟାବିନେଟ୍ ବୈଠକରେ ଟ୍ରମ୍ପ୍ କହିଛନ୍ତି। ବାଣିଜ୍ୟ କ୍ଷେତ୍ରରେ ଭାରତର ସ୍ଥିତି ଉପରେ ମତ ରଖି ସେ କହିଛନ୍ତି ଭାରତକୁ ଟାରିଫ୍ କ୍ଷେତ୍ରରେ କୌଣସି ରିଆତି ମିଳିବ ନାହିଁ। କାରଣ ଭାରତ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର। ତେଣୁ ଡଲାରକୁ ଦୁର୍ବଳ କରିବାକୁ ବ୍ରିକ୍ସ ରାଷ୍ଟ୍ରଗୁଡିକ କରୁଥିବା ପ୍ରୟାସର ମୂଲ୍ୟ ଦେବାକୁ ପଡିବ ବୋଲି ଟ୍ରମ୍ପ୍ ଚେତାବନୀ ଦେଇ କହିଛନ୍ତି। ଏହାପୂର୍ବରୁ ଟ୍ରମ୍ପ ବିଶ୍ୱର ୧୪ଟି ଦେଶକୁ ତାଙ୍କର ସ୍ୱାକ୍ଷରିତ ବାଣିଜ୍ୟ ପତ୍ର ପଠାଇ ଆଜି ଏକ ଶୁଳ୍କ ବୋମା ପକାଇଛନ୍ତି। ଏହା ଜରିଆରେ ଟ୍ରମ୍ପ ଆମେରିକାର ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଶୁଳ୍କ ବୃଦ୍ଧି କରିବାର ତାଙ୍କର ଯୋଜନାକୁ ଆଗକୁ ବଢାଇଛନ୍ତି। ବର୍ତ୍ତମାନ ଟ୍ରମ୍ପ୍ ପାରସ୍ପରିକ ଟିକସ ଲାଗୁ ସମୟସୀମାକୁ ଜୁଲାଇ ୯ରୁ ଅଧିକାଂଶ ଦେଶ ପାଇଁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉଲ୍ଲେଖନୀୟ ଯେ ୯୦ ଦିନର ଶୁଳ୍କ ଛାଡ଼ ପାଇଁ ଶେଷ ଅବଧି ଜୁଲାଇ ୯ରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ଏହାକୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ଦେଶ ଉପରେ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ୨୫ ରୁ ୪୦% ପର୍ଯ୍ୟନ୍ତ ରହିଛି। ତେବେ ଆଗକୁ ଏହି ଟାରିଫ୍ ଅବଧିରେ ଆଉ କୌଣସି ସମ୍ପ୍ରସାରଣ କରାଯିବ ନାହିଁ ବୋଲି ଟ୍ରମ୍ପ୍ ରୋକ୍ଠୋକ୍ ଶୁଣାଇଦେଇଛନ୍ତି।
ହ୍ୱାଇଟ୍ ହାଉସ୍ କହିଛି ଯେ ଏହି ବୃଦ୍ଧି ଚୁକ୍ତିନାମା ଆଲୋଚନା ପାଇଁ ଅଧିକ ସମୟ ଦେବା ପାଇଁ ଉଦ୍ଦିଷ୍ଟ। ତଥାପି, ଏହି ନିଷ୍ପତ୍ତିର ବାର୍ତ୍ତା ହେଉଛି ଯେ ଆର୍ଥିକ ଅସ୍ଥିରତା ଏବଂ ଅନ୍ତର୍ଜାତୀୟ ପ୍ରତିକ୍ରିୟାକୁ ଏଡାଇବା ପାଇଁ ଟ୍ରମ୍ପ ପ୍ରଶାସନକୁ ସମୟସୀମା ସ୍ଥଗିତ ରଖିବାକୁ ପଡିଛି। ଟ୍ରମ୍ପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୯୦ ଦିନରେ ୯୦ ଟି ଚୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ କେବଳ ଦୁଇଟି ଚୁକ୍ତି ସ୍ବାକ୍ଷର ହୋଇପାରିଛି। ସେଥିରୁ ଗୋଟିଏ ବ୍ରିଟେନ ଏବଂ ଅନ୍ୟଟି ଭିଏତନାମ ସହିତ। ଭିଏତନାମ ସହିତ ଚୁକ୍ତିନାମାରେ ସର୍ବନିମ୍ନ ୨୦% ଶୁଳ୍କ ଅନ୍ତର୍ଭୁକ୍ତ, ଯାହା ପୂର୍ବରୁ ୪୬% ଶୁଳ୍କ ପ୍ରସ୍ତାବ ଅପେକ୍ଷା କମ୍। ହେଲେ ଏହା ବର୍ତ୍ତମାନର ୧୦% ଶୁଳ୍କ ହାର ଅପେକ୍ଷା ଅଧିକ। ଟ୍ରମ୍ପଙ୍କ ପ୍ରଥମ ଟ୍ରମ୍ପ ଟାରିଫ୍ ପତ୍ର ଜାପାନ ଏବଂ କୋରିଆକୁ ପଠାଯାଇଥିଲା। ଯାହା ଉପରେ ୨୫% ଶୁଳ୍କ ଲାଗୁ କରାଯାଇଛି। ସେହିପରି ମିଆଁମାର, ଲାଓସ୍, ଦକ୍ଷିଣ ଆଫ୍ରିକା, କାଜାଖସ୍ତାନ ଏବଂ ମାଲେସିଆରୁ ଆମଦାନି ହେଉଥିବା ଉତ୍ପାଦ ଉପରେ ନୂତନ ଟାରିଫ୍ ଘୋଷଣା କରାଯାଇଛି।