ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବିହାରର ଜଣେ ସେସନ୍ସ ଜଜ୍ଙ୍କ ଆଚରଣକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଫ୍ଆଇଆର୍ (FIR) ରୁଜୁ କରିନଥିବାରୁ ଜଣେ ପୋଲିସ୍ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ଜରିମାନା କରିବା ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ଜଜ୍ଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ଆଇନ ନ ଜାଣି ଜଣେ 'ବାହୁବଳୀ' ପରି ବ୍ୟବହାର କରିବା ବନ୍ଦ କରନ୍ତୁ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ବିହାରର ଜଣେ ସେସନ୍ସ ଜଜ୍ ଜଣେ ପୋଲିସ୍ ଅଧିକାରୀଙ୍କୁ କୋର୍ଟର ଆଦେଶ ପାଳନ ନକରିବା ଅଭିଯୋଗରେ ସମନ କରିଥିଲେ। କେବଳ ସେତିକି ନୁହେଁ, ଯେଉଁଦିନ ଅଧିକାରୀଙ୍କୁ ଡକାଯାଇଥିଲା, ସେହି ଦିନ ହିଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜରିମାନା ମଧ୍ୟ କରିଥିଲେ। ଜଜ୍ଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ କହିଛନ୍ତି, "ଆପଣଙ୍କର ଆଇନଗତ ବୁଝାମଣା ଅତ୍ୟନ୍ତ ନୈରାଶ୍ୟଜନକ। ଯେଉଁ ଆକ୍ରମଣାତ୍ମକ ଢଙ୍ଗରେ ଆପଣ ଜଣେ ଏସପି (SP)ଙ୍କୁ ସମନ କରି ସେହି ଦିନ ହିଁ ଦୋଷୀ ସାବ୍ୟସ୍ତ କଲେ, ତାହା ଚିନ୍ତାଜନକ।" କୋର୍ଟ କହିଛନ୍ତି ଯେ ଜଣେ ଜଜ୍ଙ୍କୁ ପ୍ରଥମେ 'ଅଦାଲତଙ୍କ ସମ୍ମୁଖରେ ହେଉଥିବା ଅପରାଧ'ର ଅର୍ଥ ଏବଂ ପରିସର ବୁଝିବାକୁ ହେବ।
ଜଷ୍ଟିସ୍ ବାଗଚୀ ବୁଝାଇଥିଲେ ଯେ ଯଦି କୋର୍ଟ ରୁମ୍ ମଧ୍ୟରେ କେହି କାହାକୁ ଚାପୁଡ଼ା ମାରନ୍ତି, ଗାଳିଗୁଲଜ କରନ୍ତି ବା ଜୁଡିସିଆଲ୍ କାମରେ ବାଧା ସୃଷ୍ଟି କରନ୍ତି, ତେବେ ତାହା 'ଅଦାଲତଙ୍କ ସମ୍ମୁଖରେ ହେଉଥିବା ଅପରାଧ' ଶ୍ରେଣୀଭୁକ୍ତ ହେବ। କିନ୍ତୁ ବାହାରେ କୌଣସି ଆଦେଶ ପାଳନ ନକରିବା କିମ୍ବା FIR ରୁଜୁ ନକରିବା ଏହି ବର୍ଗରେ ଆସେ ନାହିଁ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା ପାଳନ କରିବା ଜରୁରୀ। ସୁପ୍ରିମକୋର୍ଟ ଜଜ୍ଙ୍କୁ ଆଇନର ପରିଧି ମଧ୍ୟରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।