ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଟେକ୍ସାସର ଡାଲାସଠାରେ ଆୟୋଜିତ ରିପବ୍ଲିକାନ୍ ନ୍ୟାସନାଲ କମିଟି (RNC) ସମ୍ମିଳନୀରେ ଏକ ବଡ଼ ଘୋଷଣା କରିଛନ୍ତି। ଯଦି ଆସନ୍ତା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ଉଭୟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍ ଏବଂ ସିନେଟ୍ ରେ ବିଜୟ ଲାଭ କରେ, ତେବେ ପ୍ରତ୍ୟେକ ପ୍ରାପ୍ତବୟସ୍କ ଆମେରିକୀୟ ନାଗରିକଙ୍କୁ ୫,୦୦୦ ଡଲାର ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
'ଟ୍ରମ୍ପ ଡିଭିଡେଣ୍ଡ' ବା ଲାଭାଂଶ
ଏହି ଅର୍ଥରାଶିକୁ "ଟ୍ରମ୍ପ ଡିଭିଡେଣ୍ଡ" ବୋଲି ନାମିତ କରାଯିବ। ନିଜର ଦୁଇ ଘଣ୍ଟିଆ ଭାଷଣରେ ଟ୍ରମ୍ପ କହିଛନ୍ତି ଯେ ଦେଶର ଆର୍ଥିକ ସଫଳତା ଏବଂ ବିଦେଶୀ ସାମଗ୍ରୀ ଉପରେ ଲଗାଯାଇଥିବା ଆମଦାନୀ ଶୁଳ୍କ (ଟାରିଫ୍) ଯୋଗୁଁ ଏହି ଲାଭାଂଶ ବାଣ୍ଟିବା ସମ୍ଭବ ହୋଇପାରିବ। ତେବେ ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଏହି ଅର୍ଥ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଭିତରେ ହିଁ ଖର୍ଚ୍ଚ ହେବା ଆବଶ୍ୟକ। ଲୋକେ ଏହି ଟଙ୍କା ନେଇ କାନାଡା, ଚୀନ୍ କିମ୍ବା ଜର୍ମାନୀରେ ଖର୍ଚ୍ଚ କରନ୍ତୁ ବୋଲି ସେ ଚାହାଁନ୍ତି ନାହିଁ।
ବିରୋଧୀଙ୍କ ଉପରେ ବର୍ଷିଲେ ଟ୍ରମ୍ପ
ଏହି ଅବସରରେ ଡେମୋକ୍ରାଟିକ୍ ପାର୍ଟିକୁ କଡ଼ା ସମାଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ବିରୋଧୀ ଦଳ ଏଭଳି ପଦକ୍ଷେପ ନେଇପାରିବେ ନାହିଁ। କାରଣ ସେମାନେ ଟାରିଫ୍ ଆଦାୟ କରନ୍ତି ନାହିଁ ଏବଂ ଦାରିଦ୍ର୍ୟ ବାଣ୍ଟି ଦେଶକୁ କିପରି ନଷ୍ଟ କରିବାକୁ ହେବ ତାହା ହିଁ କେବଳ ଜାଣନ୍ତି। ଏକ ଆକଳନ ଅନୁଯାୟୀ, ଆମେରିକାରେ ପ୍ରାୟ ୨୪୫ ରୁ ୨୬୦ ନିୟୁତ ପ୍ରାପ୍ତବୟସ୍କ ନାଗରିକ ଅଛନ୍ତି। ଯଦି ସମସ୍ତଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯାଏ, ତେବେ ସରକାରୀ ରାଜକୋଷ ଉପରେ ଟ୍ରିଲିୟନ ଡଲାରର ଆର୍ଥିକ ବୋଝ ପଡ଼ିବ।
ଭୋଟରଙ୍କୁ ସ୍ୱତନ୍ତ୍ର ନିବେଦନ
ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ଟ୍ରମ୍ପ ଭୋଟରଙ୍କୁ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି। ଯଦିଓ ସେ ନିଜେ ଏହି ନିର୍ବାଚନରେ ପ୍ରାର୍ଥୀ ନୁହଁନ୍ତି, ତଥାପି ନିଜେ ଟ୍ରମ୍ପ ଭୋଟ୍ ମୈଦାନରେ ଅଛନ୍ତି ବୋଲି ଭାବି ରିପବ୍ଲିକାନ୍ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ବିଜୟୀ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।