ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ୨୦ ବର୍ଷ ପରେ ହାତ ମିଳାଇଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ଶିବସେନା ଓ ଏମଏନଏସ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । ଦୀର୍ଘ ଦିନର ଆଲୋଚନା, ପାରିବାରିକ ବୈଠକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଶେଷରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ଘୋଷଣା କରାଯାଇଛି। ବୁଧବାର ଦିନ ମୁମ୍ବାଇର ୱର୍ଲିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଠାକରେ ଭାଇ, ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଏକାଠି ହୋଇ ଏହି ଘୋଷଣା କରିଛନ୍ତି। ଏହି ମେଣ୍ଟ ମୁଖ୍ୟତଃ ବିଏମସି ଏବଂ ନାଶିକ ସମେତ ଅନ୍ୟାନ୍ୟ ପୌର ନିଗମ ନିର୍ବାଚନ ପାଇଁ ଗଠନ କରାଯାଇଛି।
ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ବେଶ୍ ଭାବପ୍ରବଣ ହୋଇପଡିଥିଲେ। ଉଦ୍ଧବ ଠାକରେ ମରାଠୀ ଲୋକଙ୍କୁ ସତର୍କ କରାଇ କହିଥିଲେ ଯେ, ଯଦି ଆପଣମାନେ ଏବେ ବିଭାଜିତ ହୁଅନ୍ତି କିମ୍ବା କୌଣସି ଭୁଲ କରନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଶେଷ ହୋଇଯିବେ। ସେ କହିଥିଲେ ଯେ ମହାରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଦୁହେଁ ଏକାଠି ହୋଇଛନ୍ତି । ଅନ୍ୟପକ୍ଷରେ ରାଜ ଠାକରେ କହିଥିଲେ ଯେ କୌଣସି ବିବାଦ କିମ୍ବା ଲଢେଇ ଅପେକ୍ଷା ମହାରାଷ୍ଟ୍ର ଅନେକ ବଡ଼ ଏବଂ ସେଥିପାଇଁ ସେମାନେ ଏହି ମେଣ୍ଟ କରିଛନ୍ତି।
ଏହି ଘୋଷଣା ପୂର୍ବରୁ ଉଭୟ ନେତା ନିଜ ପରିବାର ସହ ଶିବାଜୀ ପାର୍କସ୍ଥିତ ବାଲାସାହେବ ଠାକରେଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆଦିତ୍ୟ ଠାକରେ, ରଶ୍ମି ଠାକରେ, ଅମିତ ଠାକରେ ଏବଂ ଶର୍ମିଲା ଠାକରେ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଉଦ୍ଧବ ରାଜଙ୍କ ଦାଦରସ୍ଥିତ ବାସଭବନକୁ ଯାଇଥିଲେ, ଯେଉଁଠାରେ ରାଜଙ୍କ ମାତା କୁନ୍ଦା ଠାକରେ ଦୁଇ ଭାଇଙ୍କୁ ଆଳତି କରି ଆଶୀର୍ବାଦ ଦେଇଥିଲେ।
ଏହି ମେଣ୍ଟକୁ ନେଇ ପ୍ରତିପକ୍ଷ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) କଡ଼ା ସମାଲୋଚନା କରିଛି। ଶିବସେନା ନେତା ରାଜୁ ୱାଘମାରେ ଅଭିଯୋଗ କରିଛନ୍ତି ଯେ, ଉଭୟ ଭାଇ ବାଲାସାହେବଙ୍କ ଆଦର୍ଶ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ବାଲାସାହେବ ସେମାନଙ୍କୁ କେବେବି କ୍ଷମା କରିବେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଅତୁଲ ଲୋନ୍ଧେ ଏହାକୁ ମହାୟୁତି ମେଣ୍ଟରେ ଫାଟ ସୃଷ୍ଟିର ସଙ୍କେତ ବୋଲି କହିଛନ୍ତି।
ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନ ବିଏମସି, ପୁଣେ ଏବଂ ପିମ୍ପ୍ରି-ଚିଞ୍ଚୱାଡ ସମେତ ୨୯ଟି ପୌର ନିଗମ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୧୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଜାନୁଆରୀ ୧୬ରେ ଭୋଟ୍ ଗଣତି ହେବ।