ମଙ୍ଗଳବାର ମଧ୍ୟରାତ୍ରିରେ ଲିଥୁଆନିଆ (Lithuania) ଆକାଶ ସୀମାରେ ପ୍ରବେଶ କରିଥିବା ଏକ ସନ୍ଦିଗ୍ଧ ଡ୍ରୋନ୍କୁ ନାଟୋ (NATO) ର ଏକ ଲଢୁଆ ଯୁଦ୍ଧ ବିମାନ ଗୁଳି କରି ଖସାଇ ଦେଇଛି। ଲିଥୁଆନିଆର ଜାତୀୟ ସଙ୍କଟ ପରିଚାଳନା କେନ୍ଦ୍ର (NKVC) ଏହି ଘଟଣାକୁ ଆନୁଷ୍ଠାନିକ ଭାବରେ ସ୍ପଷ୍ଟ କରିଛି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଛି।
ବେଲାରୁଷ ଆଡ଼ୁ ଆସିଥିବା ସନ୍ଦେହ
ଜାତୀୟ ସଙ୍କଟ ପରିଚାଳନା କେନ୍ଦ୍ରର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଡ୍ରୋନ୍ଟି ଦେଶର ଦ୍ୱିତୀୟ ବୃହତ୍ତମ ସହର କୌନାସ୍ (Kaunas) ନିକଟସ୍ଥ ପ୍ରାଟକୁନାଇ ଗ୍ରାମ ଉପରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ତଥ୍ୟ ଆଧାରରେ ଅନୁମାନ କରାଯାଉଛି ଯେ, ଏହି ଡ୍ରୋନ୍ ପଡ଼ୋଶୀ ଦେଶ ବେଲାରୁଷ (Belarus) ରୁ ଲିଥୁଆନିଆ ଆକାଶ ସୀମାରେ ପ୍ରବେଶ କରିଥିଲା।
ଏହି ଘଟଣା ପରେ ଲିଥୁଆନିଆର ରାଷ୍ଟ୍ରପତି ଗିତାନାସ୍ ନୌସେଦା (Gitanas Nauseda) ଏକ୍ସ (X) ରେ ପୋଷ୍ଟ କରି କହିଛନ୍ତି ଯେ, "ଲିଥୁଆନିଆ ଆକାଶରେ ପ୍ରବେଶ କରିଥିବା ଏକ ଡ୍ରୋନ୍କୁ ନାଟୋ ଯୁଦ୍ଧ ବିମାନ ଦ୍ୱାରା ନଷ୍ଟ କରାଯାଇଛି। ୟୁକ୍ରେନ ବିରୋଧରେ ରୁଷ ନିଜର ଆକ୍ରମଣକୁ ତୀବ୍ର କରୁଥିବା ବେଳେ, ଆମ ଅଞ୍ଚଳ ପାଇଁ ଏଭଳି ପ୍ରସ୍ତୁତି ନିହାତି ଜରୁରୀ।"
ନାଟୋ ରାଷ୍ଟ୍ରଗୁଡ଼ିକରେ ବାରମ୍ବାର ଅନୁପ୍ରବେଶ
ଗତ କିଛି ମାସ ମଧ୍ୟରେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଛି, ଯାହାର ପ୍ରଭାବ ଏବେ ବାଲ୍ଟିକ୍ ସାଗର ଅଞ୍ଚଳରେ ଦେଖିବାକୁ ମିଳୁଛି। ଯୁଦ୍ଧ ସମୟରେ ଭୁଲ୍ ଦିଗ ନିର୍ଦ୍ଦେଶ କାରଣରୁ ଅନେକ ସାମରିକ ଡ୍ରୋନ୍ ବାରମ୍ବାର ଫିନଲ୍ୟାଣ୍ଡ, ଲାଟଭିଆ, ଲିଥୁଆନିଆ ଏବଂ ଏଷ୍ଟୋନିଆ ଭଳି ନାଟୋ ସଦସ୍ୟ ଦେଶଗୁଡ଼ିକର ଆକାଶ ସୀମାରେ ପ୍ରବେଶ କରୁଛି। ନାଟୋ କ୍ଷେତ୍ରରେ ଏଭଳି ଅନୁପ୍ରବେଶ ଯୋଗୁଁ ଆଗାମୀ ଦିନରେ ରୁଷ ଏବଂ ନାଟୋ ମଧ୍ୟରେ ସିଧାସଳଖ ସଂଘର୍ଷ ହେବାର ଆଶଙ୍କା ଦେଖାଦେଇଛି।