ନୂଆଦିଲ୍ଲୀ: ସୂର୍ଯ୍ୟ ଏବେ ତାହାର ସବୁଠାରୁ ସକ୍ରିୟ ପର୍ଯ୍ୟାୟ ଦେଇ ଗତି କରୁଛି। ନିକଟରେ ସୂର୍ଯ୍ୟ ପୃଷ୍ଠରେ ଅନେକ ବଡ଼ ବିସ୍ଫୋରଣ ଘଟିଛି। ଫଳରେ ମାତ୍ର ଗୋଟିଏ ଦିନରେ ୨୭ଟି ସୌର ଝଡ଼ ହୋଇଛି। ଏହି ଝଡ଼ଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ଶକ୍ତିଶାଳୀ ଏକ୍ସ କ୍ଲାସ (ସବୁଠାରୁ ଭୟଙ୍କର ଶ୍ରେଣୀ)ର ଅଟନ୍ତି । ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍ ଓ ନେଭିଗେସନ୍ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍ ଓ ଅନ୍ୟାନ୍ୟ ନେଭିଗେସନ ସେବା ଭୁଲ ତଥ୍ୟ ଦେବାର ଆଶଙ୍କା ସୃଷ୍ଟି ହୋଇଛି । ମହାକାଶରେ ଥିବା ଉପଗ୍ରହଗୁଡ଼ିକର ସେନ୍ସର ଖରାପ ହୋଇପାରେ। ଯାହା ଫଳରେ ଟେଲିଭିଜନ ଓ ଇଣ୍ଟରନେଟ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇପାରେ। ବିମାନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେବ। ସୌର ଝଡ଼ ସମୟରେ ବିମାନଗୁଡିକର ରେଡ଼ିଓ ଯୋଗଯୋଗ ବିଚ୍ଛିନ୍ନ ହୋଇପାରେ। ବିଶେଷ କରି ମେରୁ ଅଞ୍ଚଳ ଦେଇ ଯାଉଥିବା ବିମାନଗୁଡ଼ିକ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ। ଅତ୍ୟଧିକ ଶକ୍ତିଶାଳୀ ଝଡ଼ କାରଣରୁ ବିଦ୍ୟୁତ ଟ୍ରାନ୍ସଫରମରଗୁଡ଼ିକ ଜଳିଯିବାର ସମ୍ଭାବନା ମଧ୍ୟ ରହିଛି । ଫଳରେ ବଡ଼ ଧରଣର ବ୍ଲାକଆଉଟ ହେବ ବୋଲି ସତର୍କ କରାଯାଇଛି।
ସୂଚନାଯୋଗ୍ୟ ଯେ, ପୃଥିବୀ ନିଜସ୍ୱ ଚୁମ୍ବକୀୟ କ୍ଷେତ୍ର ଥାଏ ଓ ଏହା ଆମକୁ ସୌର ବିକିରଣରୁ ରକ୍ଷା କରେ। କିନ୍ତୁ ଯେତେବେଳେ ସୌର ଝଡ଼ର ମାତ୍ରା ଅଧିକ ହୁଏ, ସେତେବେଳେ ଏହା ବାୟୁମଣ୍ଡଳର ଉପରି ଭାଗରେ ଥିବା ଆୟୋନୋସ୍ପିୟରକୁ ପ୍ରଭାବିତ କରିଥାଏ। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହି ଝଡ଼ର ପ୍ରଭାବରେ ଆକାଶରେ ଚମତ୍କାର ରଙ୍ଗୀନ ଆଲୋକ ବା ଏରୋରା ମଧ୍ୟ ଦେଖିବାକୁ ମିଳିବ। ସୌର ଝଡ଼ ଯେତେବେଳେ ପୃଥିବୀ ଆଡ଼କୁ ଆସିଥାଏ, ସେତେବେଳ ଉପଗ୍ରହ, ଟେଲିଭିଜନ ସିଗନାଲଗୁଡ଼ିକ ବିପର୍ଯ୍ୟସ୍ତ କରେ ଓ ରାଡ଼ାର, ପାୱାରଗ୍ରୀଡ଼କୁ ପ୍ରଭାବିତ କରିଥାଏ।