ନୂଆଦିଲ୍ଲୀ: ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ଆଜି ସକାଳ ୮ଟା ୩୦ମିନିଟରେ ଗଗନାୟନ ଅଭିଯାନର ପ୍ରଥମ ପରୀକ୍ଷଣ କରିବ ଇସ୍ରୋ । ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ର ପରୀକ୍ଷା କରାଯିବ । ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮.୩୦ରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ତା’ର ଆକାଙ୍କ୍ଷିତ ମାନବବାହୀ ମହାକାଶଯାନ ଯୋଜନା ‘ଗଗନଯାନ’ ଲାଗି ଉଦ୍ଦିଷ୍ଟ ତରଳ ଇନ୍ଧନ ଚାଳିତ ରକେଟ୍ ‘ଟେଷ୍ଟ୍ ଭେଇକ୍ଲ୍’ର (ଟିଭି-ଡି୧) ପରୀକ୍ଷଣ କରିବ ।
ଆଜି ସକାଳ ୮ ବେଳେ ଏହାର ପରୀକ୍ଷଣ କରାଯିବ ବୋଲି ପୂର୍ବରୁ ‘ଇସ୍ରୋ’ ଘୋଷଣା କରିଥିଲା। ମାତ୍ର ଉତକ୍ଷେପଣ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇ ୮ଟା ୩୦ମିନିଟ ସମୟ ଧାର୍ଯ୍ୟ କରାଯାଇଛି । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଯିବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ମଧ୍ୟ ରହିବ । ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିବ । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ।