ନୂଆଦିଲ୍ଲୀ: ବାଂଲାଦେଶ ରାଜନୈତିକ ଇତିହାସରେ ସର୍ବାଧିକ କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଶେଖ ହସିନା। ସେ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିବା ସହିତ ତାଙ୍କ ଦଳ ବାଂଲାଦେଶ ଆୱାମୀ ଲିଗ୍ର ପ୍ରଭାବ ଏବଂ ଆଧିପତ୍ୟ ମଧ୍ୟ ଏହି ସମୟରେ ଅନ୍ୟ ଯେକୌଣସି ରାଜନୈତିକ ଦଳ ଠାରୁ ଉର୍ଦ୍ଧ୍ବରେ ରହିଥିଲା। କିନ୍ତୁ ସାଂପ୍ରତିକ ସ୍ଥିତି ଶେଖ ହସିନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛି। ସ୍ଥିତି ଏଭଳି ହୋଇଛି ଯେ, ହସିନା ଜୀବନ ବଞ୍ଚାଇବାକୁ ଯାଇ ନିଜ ମାଟି ଛାଡି ବିଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
୧୯୪୭ରେ ଜନ୍ମ ଗ୍ରହଣ କରିଥିବା ୭୬ ବର୍ଷୀୟା ଶେଖ ହସିନାଙ୍କ ରାଜନୈତିକ ଜୀବନ ୧୯୮୧ରେ ଆରମ୍ଭ ହୋଇଥିଲା। ୧୯୭୫ରେ ତତ୍କାଳୀନ ରାଷ୍ଟ୍ରପତି ତଥା ହସିନାଙ୍କ ପିତା ଶେଖ ମୁଜିବୁର ରହମନଙ୍କୁ ହତ୍ୟା କରାଯିବା ପରେ କେବଳ ନିଜ ଭଉଣୀ ଶେଖ ରେହନାଙ୍କୁ ବାଦ୍ ଦେଇ ହସିନା ନିଜ ମାଆ, ତିନି ଭାଇଙ୍କ ସମେତ ଅନ୍ୟ ସହଦୋରମାନଙ୍କୁ ମଧ୍ୟ ହରାଇଥିଲେ। ଏହାପରେ ସେ ପଶ୍ଚିମ ଜର୍ମାନୀ ପଳାଇ ଯାଇ ସେଠାରେ ବାଂଲାଦେଶ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଆଶ୍ରୟ ନେଇଥିଲେ। ପରେ ପରେ ତାଙ୍କୁ ଭାରତରେ ରାଜନୈତିକ ସୁରକ୍ଷା ମିଳିବାରୁ ସେ କିଛି ଦିନ ଭାରତରେ ସମୟ କାଟିଥିଲେ। ଏହାପରେ ଶେଖ ହସିନା ୧୯୮୧ରେ ବାଂଲାଦେଶ ଫେରିବା ସହିତ ନିଜ ବାପାଙ୍କ ଦଳ ଆୱାମୀ ଲିଗ୍ର ନେତୃତ୍ବ ନେଇଥିଲେ। ଏହି ସମୟରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ପରେ ପରେ ସେ ନିଜ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଖଲିଦା ଜିଆଙ୍କୁ ହାରାଇ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ରେ ପୁଣିଥରେ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ନେତ୍ରୀ ଖଲିଦା ଜିଆ କ୍ଷମତା ଦଖଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିର୍ବାଚନରେ ବିଜୟୀ ହୋଇଥିଲେ ମଧ୍ୟ ୨୦୦୬ରୁ ୨୦୦୮ ମଧ୍ୟରେ ବାଂଲାଦେଶର ଶାସନ କ୍ଷମତା ସେନା ହାତକୁ ଚାଲିଯାଇଥିଲା। ଫଳରେ ହସିନାଙ୍କୁ ନିଜ ପଦବୀ ଛାଡିବାକୁ ପଡ଼ିଥିଲା। ୨୦୦୪ରେ ମଧ୍ୟ ଏକ ସଭାରେ ଗ୍ରେନେଡ ମାଡ଼ କରାଯାଇ ତାଙ୍କୁ ହତ୍ୟା କରିବାକୁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିଲା। ଏହି ଘଟଣାରେ ବହୁ ଲୋକ ମୃତାହତ ହୋଇଥିଲେ ହେଁ ଶେଖ ହସିନା ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ। ତେବେ ୨୦୦୯ ନିର୍ବାଚନରେ ହସିନା ପୁଣି ବହୁ ମତରେ ନିର୍ବାଚିତ ହେବା ସହିତ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୯ ପରଠାରୁ ସେ ଲଗାତର ଭାବେ ୪ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ଚଳିତ ବର୍ଷ ଜାନୁଆରୀ ମାସରେ ହୋଇଥିବା ନିର୍ବାଚନରେ ସେ ବିପୁଳ ଜନମତରେ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ହସିନା ବାଂଲାଦେଶରେ ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ କରି ପ୍ରମୁଖ ବିରୋଧୀ ଦଳ ଏହି ନିର୍ବାଚନକୁ ବର୍ଜନ କରିବା ସହିତ ଶେଖ ହସିନା ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଆସିଥିଲେ।
ଗତ ଜାନୁଆରୀରେ ଶେଷ ହୋଇଥିବା ନିର୍ବାଚନକୁ ମୁଖ୍ୟ ବିରୋଧୀ ଦଳ ବିଏନପି ସମେତ ଅନ୍ୟ କିଛି ରାଜନୈତିକ ଦଳ ବର୍ଜନ କରିଥିଲେ। କିନ୍ତୁ ଏହି ନିର୍ବାଚନରେ ଶେଖ ହସନାଙ୍କ ଆୱାମୀ ଲିଗ୍ ବହୁମତରେ ବିଜୟୀ ହେବା ପରେ ଶେଖ ହସିନା ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାକୁ ବିଏନପି ତୀବ୍ର ବିରୋଧ କରିବା ସହିତ ହସିନାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲା। ହସିନା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ସାରା ଦେଶରେ ହଙ୍ଗାମା ଆରମ୍ଭ କରିଥିଲା ବେଳେ ହସିନା ନିଜ ପଣରେ ଅତୁଟ ରହିଥିଲେ। ବରଂ ବିରୋଧୀ ଦଳ ନେତାମାନଙ୍କୁ ସେ ଆତଙ୍କବାଦୀ ଏବଂ ଦେଶଦ୍ରୋହୀ ବୋଲି କହି ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ ବୋଲି କହିଥିଲେ। ଏହାପରେ କିଛି ଦିନ ପାଇଁ ତାଙ୍କ ବିରୋଧରେ ଆନ୍ଦୋଳନ ଥମିଯାଇଥିଲେ ମଧ୍ୟ ଗତ ଜୁଲାଇ ମାସ ପ୍ରଥମ ଭାଗରେ ବାଂଲାଦେଶ ସଂରକ୍ଷଣ ନୀତି ବିରୋଧରେ ସ୍ବର ତୀବ୍ର ହୋଇଥିଲା।
ଗଣତନ୍ତ୍ରବାଦୀ ନେତ୍ରୀରୁ ଏକଛତ୍ରବାଦୀ !
ସର୍ବାଧିକ ମୁସଲମାନ ଅଧ୍ୟୁଷିତ ଏକ କ୍ଷୁଦ୍ର ରାଷ୍ଟ୍ର ଭାବେ ବାଂଲାଦେଶ ବିଶ୍ବର ଅନ୍ୟତମ ଗରିବ ରାଷ୍ଟ୍ର ଭାବେ ବିବଚେିତ ହୋଇ ଆସୁଥିଲା। କିନ୍ତୁ ୨୦୦୯ରେ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଶାସନ କାଳ ମଧ୍ୟରେ ବାଂଲାଦେଶର ଭିତ୍ତିଭୂମି ଠାରୁ ଆରମ୍ଭ କରି ଅର୍ଥନୀତି, ବୈଦେଶିକ ବ୍ୟାପାର ଏବଂ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଥିଲା। ଏପରିକି ଅର୍ଥନୀତି କ୍ଷେତ୍ରରେ ବାଂଲାଦେଶ ଜିଡିପି ଭାରତ ଠାରୁ ମଧ୍ୟ ଟପିଯାଇଥିଲା। ୧୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ବାଂଳାଦେଶକୁ ଗରିବୀରୁ ମୁକ୍ତ କରିବା ସହିତ ମାତ୍ର ୧୦ ବର୍ଷ ମଧ୍ୟରେ ଏହାର ଜିଡିପିକୁ ତିନି ଗୁଣ କରିବା ଦିଗରେ ହସିନାଙ୍କ ନେତୃତ୍ବ ଏବଂ ଦିଗଦର୍ଶନ ଗୁରୁତ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ତାଙ୍କ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ହସିନାଙ୍କୁ ଜଣେ ଏକଛତ୍ରବାଦୀ ଶାସକ ଭାବେ ଅଭିହିତ କରିଥିଲା। ବିଭିନ୍ନ ପ୍ରସଙ୍ଗରେ ବିଏନପି ହସିନାଙ୍କୁ ବିରୋଧ କରିଆସିଥିଲା ବେଳେ ଗତ ଜୁଲାଇରେ ସଂରକ୍ଷଣ ନୀତିକୁ ନେଇ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ଆନ୍ଦୋଳନରେ ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହେବା ସହିତ ସାରା ଦେଶରେ ହସିନାଙ୍କ ବିରୋଧରେ ସ୍ବର ତୀବ୍ର ହୋଇଥିଲା।
ଛାତ୍ର ଆନ୍ଦୋଳନ ହିଁ ଛଡ଼ାଇ ନେଲା କ୍ଷମତା
ଜୁଲାଇ ୭ରୁ ବାଂଲାଦେଶରେ ଆରମ୍ଭ ହୋଇଥିବା ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ନେଇ ଶେଷରେ ଶେଖ ହସିନାଙ୍କୁ କ୍ଷମତା ଛାଡିବାକୁ ପଡ଼ିଛି। ଏହି ଆନ୍ଦୋଳନ ଆରମ୍ଭ ହେବା ପରେ ବିଭନ୍ନ ସ୍ଥାନରେ ସରକାରୀ ବିରୋଧୀ ଦଙ୍ଗା, ହଙ୍ଗାମା ହେବା ସହିତ ବହୁ ଲୋକ ପ୍ରାଣ ହରାଇଥିଲେ। ବହୁ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିଲା। ତଥାପି ଶେଖ ହସିନା ସରକାର ନରମି ନଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ସଂରକ୍ଷଣ ବ୍ୟବସ୍ଥାରେ ପରବିର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେବା ପରେ ସରକାର ସଂରକ୍ଷଣ ହାର ହ୍ରାସ କରିଥିଲେ। କିନ୍ତୁ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ପରେ ପରେ ବିରୋଧୀ ଦଳଙ୍କ ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଚରମ ଛୁଇଁବା ସହିତ ସାଧାରଣ ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଯାହାକି ଅଗଷ୍ଟ ୪ ତାରିଖରେ ଉଗ୍ରରୂପ ନେଇଥିଲା। ଏହି ଦିନରେ ବିଭିନ୍ନ ସ୍ଥାନରେ ପୋଡାଜଳା ସହ ପୁଲିସ ସହ ସଂଘର୍ଷରେ ଶତାଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହାର ଠିକ୍ ପର ଦିନ ଅର୍ଥାତ୍ ଅଗଷ୍ଟ ୫ରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଗୃହକୁ ନିଶାଣ କରି ଆକ୍ରମଣ କରିବା ଆରମ୍ଭ କରିଥିଲେ।
କ’ଣ ଥିଲା ସଂରକ୍ଷଣ ନୀତି
ବାଂଲାଦେଶରେ ସରକାରୀ ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ୫୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲେ ହେଁ ଏଥିରୁ ୩୦ ପ୍ରତିଶତ ବାଂଲାଦେଶ ମୁକ୍ତି ସଂଗ୍ରାମ(ସ୍ବାଧୀନତା)ରେ ସହିଦ ହୋଇଥିବା ସେନା କର୍ମଚାରୀଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ରହିଥିଲା। ଏହି ନୀତି ୨୦୧୮ରେ ଶେଖ ହସିନାଙ୍କ ଶାସନକାଳରେ କାର୍ଯ୍ୟକାରୀ କରାଯିବା ପରେ ଏହା ବିରୋଧରେ ସ୍ବର ଉଠିଥିଲା। ଏହାକୁ ନେଇ ଏହି ବର୍ଷ ବାଂଲାଦେଶ ସଂରକ୍ଷଣ ସଂସ୍କାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ହସିନା ସ୍ବେଛାଚାର ନୀତିରେ ଦେଶର କେବଳ ଉଚ୍ଚ ବର୍ଗଙ୍କୁ ଏହି ନୀତିରେ ଫାଇଦା ଦେବାକୁ ସହିଦ ପରିବାରଙ୍କ ପାଇଁ ଏହି ନୀତି କାର୍ଯ୍ୟକାରୀ କରିଛନ୍ତି ବୋଲି ବିରୋଧୀ କହିଥିଲେ। ଏହପରେ ବିଭିନ୍ନ ସମୟରେ ଏହି ନୀତିକୁ ବିରୋଧ କରି ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ ହସିନା ସରକାର ଏହାକୁ ଭ୍ରୁକ୍ଷେପ କରି ନଥିଲେ। ତେବେ ରାଜନୈତିକ ବିରୋଧୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗତ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବେଳକୁ ବେଳ ତୀବ୍ର ହେବା ସହିତ ସାରା ଦେଶରେ ଶେଖ ହସିନା ସରକାର ବିରୋଧୀ ମାନସିକତାକୁ ତୀବ୍ର କରିଥÒଲା।
ବାଂଲାଦେଶରେ ସାମରିକ ବିଦ୍ରୋହର ଇତିହାସ
୧୫ଅଗଷ୍ଟ ୧୯୭୫: ଶେଖ ମୁଜିବୁର ରହମାନଙ୍କ ସରକାରକୁ ଗାଦିଚ୍ୟୁତ କରି ଖାଣ୍ଡାକେର ମୁସ୍ତାକ ଅହମ୍ମଦଙ୍କ ଦ୍ବାରା ସାମରିକ ଶାସନ ପ୍ରତିଷ୍ଠା
୩ ନଭେମ୍ବର ୧୯୭୫: ମୁସ୍ତାକ ଅହମ୍ମଦଙ୍କୁ ଗାଦିଚ୍ୟୁତ କଲେ ବ୍ରିଗେଡିୟର ଖାଲେଦ ମୁସରଫ୍
୭ନଭେମ୍ବର ୧୯୭୫: ବ୍ରିଗେଡିୟର ଖାଲେଦ ମୋସାରଫଙ୍କୁ ହତ୍ୟା କରି ଜିଆଉର ରହମାନଙ୍କୁ ଗୃହବନ୍ଦୀରୁ ମୁକ୍ତ କଲେ ବିଦ୍ରୋହୀ। ପରେ ଜିଆଉର ହେଲେ ରାଷ୍ଟ୍ରପତି
୧୯୮୧: ଜିଆଉର ରହମାନଙ୍କୁ ହତ୍ୟା କଲେ ସାମରିକ ବିଦ୍ରୋହୀ
୧୯୮୨: ନିର୍ବାଚନ ଜିଣି ଅବଦୁସ ସତ୍ତାର ପ୍ରଧାନମନ୍ତ୍ରୀ
୧୯୮୨: ସତ୍ତାରଙ୍କୁ ଗାଦିଚ୍ୟୁତ କରି ଲେଫଟନାଣ୍ଟ ଜେନେରାଲ ହୁସେନ ମହମ୍ମଦ ଏର୍ସାଦ ରାଷ୍ଟ୍ରପତି ହୋଇଥିଲେ। ୧୯୭୧ରେ ସ୍ବାଧୀନତା ପାଇବା ପରଠାରୁ ୨୦୧୨ ଯାଏଁ ବାଂଲାଦେଶରେ ମୋଟ ୨୭ଟି ସାମରିକ ବିଦ୍ରୋହ ଘଟିଛି। ଏବେ ଶେଖ ହସିନା ଇସ୍ତଫା ଦେଇ ବିଦେଶ ପଳାୟନ କରିବା ପରେ ବାଂଲାଦେଶ ଶାସନ କ୍ଷମତା ପୁଣିଥରେ ସେନା ହାତକୁ ଯାଇଛି।
୧୯୮୧: ଭାରତରେ ନିର୍ବାସନରେ ଥିବା ବେଳେ ହସିନା ଆୱାମୀ ଲିଗ୍ର ସଭାପତି ନିର୍ବାଚିତ
୧୯୮୬-୮୭ ଏବଂ ୧୯୯୧ ରୁ ୧୯୯୬ : ବିରୋଧୀ ମେଣ୍ଟର ନେତ୍ରୀ
୧୯୯୬-୨୦୦୧: ପ୍ରଧାନମନ୍ତ୍ରୀ
୨୦୦୧-୨୦୦୮: ବିରୋଧୀ ଦଳ ନେତ୍ରୀ
୨୦୦୪: ହତ୍ୟା ଷଡ଼ଯନ୍ତ୍ରରୁ ବର୍ତ୍ତିଲେ
୨୦୦୯ରୁ ୨୦୧୪, ୨୦୧୪-୨୦୧୯ ଏବଂ ୨୦୧୯-୨୦୨୪: ପ୍ରଧାନମନ୍ତ୍ରୀ
୨୦୨୪ : ଜାନୁଆରୀରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟୀ ହେବା ସହ ପଞ୍ଚମଥର ପାଇଁ ପ୍ରଧାନମନ୍ତ୍ରୀ
୫ ଅଗଷ୍ଟ ୨୦୨୪: ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଯୋଗୁଁ ଦେଶରେ ଅରାଜକତା ପରେ ସେନାମୁଖ୍ୟଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା