ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଗତ ୪ ଦିନ ମଧ୍ୟରେ ବହୁ ଧନଜୀବନ ନଷ୍ଟ ହୋଇଛି। କିନ୍ତୁ ସବୁଠାରୁ ଚିନ୍ତାଜନକ ବିଷୟ ହେଲା ଏହି ଯୋଜନାକୁ ବୁଝିବା କିମ୍ବା ତର୍ଜମା କରିବା ପରିବର୍ତ୍ତେ ଯୁବପିଢିଙ୍କୁ ହିଂସା ପାଇଁ ଉସୁକାଉ ଯାଉଥିବା କୁହାଯାଇଛି। ବିଶେଷକରି ବହୁ ରାଜନୈତିକ ଦଳଗୁଡିକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଅଗ୍ନିପଥ ଯୋଜନାକୁ ନେଇ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମୁହଁ ଖୋଲିଛନ୍ତି। ବିଭିନ୍ନ ସରକାରୀ ଯୋଜନାକୁ ରାଜନୀତିକ ରଙ୍ଗ ଦିଆଯାଇ ବିରୋଧ କରାଯିବା ଦୁର୍ଭାଗ୍ୟଜନକ ବୋଲି ମୋଦୀ କହିଛନ୍ତି। ଅନେକ ସମୟରେ ରାଷ୍ଟ୍ରର ସ୍ବାର୍ଥ ଏବଂ ପ୍ରଗତିକୁ ଦୃଷ୍ଟିରେ ରଖୀ ଯୋଜନା ଅଣାଯାଉଛି। କିନ୍ତୁ ଏଗୁଡିକ ସମ୍ପର୍କରେ ବିସ୍ତୁୃତ ତଜର୍ମା କରିବା କିମ୍ବା ଏହାର ବିଭିନ୍ନ ଦିଗରେ ଆଲେଚନା କରି ମତାମତ ଦେବା ପରିବର୍ତ୍ତେ ଏହାକୁ ରାଜନୀତିକ ଢଙ୍ଗରେ ରୂପ ଦିଆଯାଉଛି।
ଯଦ୍ବାରା ଦେଶ ହିତ ପାଇଁ ପ୍ରସ୍ତୁତ କରାଯାଉଥିବା ଅନେକ ଯୋଜନା ଫଳପ୍ରସୂ ହୋଇପାରୁ ନାହିଁ। ଏଭଳି ବିଷୟ ଦେଶ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଥିବା ମୁଖ୍ୟ ଟନେଲ ଓ ଅଣ୍ଡରପାସ ରାସ୍ତାର ଉଦଘାଟନ କରିବା ଅବସରରେ ମୋଦୀ କହିଛନ୍ତି। ବିଗତ ୮୦ ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ କୌଣସି ପରିବର୍ତ୍ତନ ଅଣାଯାଇ ନଥିଲା। ଏବେ ପ୍ରତିରକ୍ଷା କ୍ଷେତ୍ରକୁ ସଶକ୍ତ କରିବା ଏବଂ ଉନ୍ନତ କରିବା ଲାଗି ଅନେକ ସଂସ୍କାର ଅାଣିବାକୁ ଯୋଜନା କରାଯାଇଛି। କିନ୍ତୁ ପ୍ରତି କ୍ଷେତ୍ରରେ ବିରୋଧ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମୋଦୀ କହିଛନ୍ତି।