ନୂଆଦିଲ୍ଲୀ: ୟସ୍ ବ୍ୟାଙ୍କ ପ୍ରମୋଟର ଏବଂ ଦୁର୍ନୀତିରେ ସମ୍ପୃକ୍ତ ରାଣା କପୁରଙ୍କ ପତ୍ନୀ ବିନ୍ଦୁ କପୁର ତାଙ୍କ ୯ ମାସର ନାତିଙ୍କୁ ୪୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଉପହାର ଦେଇଛନ୍ତି। ଏହି ସମ୍ପତ୍ତି ଦିଲ୍ଲୀର ଜୋରବାଗ ଅଞ୍ଚଳରେ ରହିଛି। ରାଣା କପୁରଙ୍କ ନାତିଙ୍କ ନାମ ଆଶିଭ ଖାନ୍ନା। ଏହି ସମ୍ପତ୍ତି ୩୧ ଜୁଲାଇରେ ପଞ୍ଜିକୃତ ହୋଇଛି।
ସୂଚନା ଅନୁଯାୟୀ, ଏହି ସମ୍ପତ୍ତି ୩୧ ଜୁଲାଇ ୨୦୨୧ରେ ନାତିଙ୍କ ନାମରେ ଏକ ଉପହାର କାରବାର ଭାବରେ ପଞ୍ଜିକୃତ ହୋଇଛି। ବିନ୍ଦୁ କପୁର ଏଥିପାଇଁ ୩୬.୯୦ ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ଏହି ଉପହାର କାରବାର ଆଶିଭ ଖାନ୍ନାଙ୍କ ମାତା ରାଧା କପୁର ଖାନ୍ନାଙ୍କ ମାଧ୍ୟମରେ କରାଯାଇଛି। ଫ୍ଲାଟର କ୍ଷେତ୍ର ୩୬୯ ବର୍ଗମିଟର। ଏହାର ତଳ ମହଲାରେ ଦୁଇ ବିଏଚ୍କେର ଏକ ଫ୍ଲାଟ ମଧ୍ୟ ରହିଛି। ସେଠାରେ ଏକ ବାସସ୍ଥାନ ଏବଂ କାର ପାର୍କିଂ ଅଛି। ତଳ ମହଲା ୧୬୧.୫ ବର୍ଗ ମିଟର ଦଖଲରେ ରହିଛି। ୨୦୦୪ରେ ବିନ୍ଦୁ କପୁରଙ୍କୁ ତାଙ୍କ ପିତା ଏହି ସମ୍ପତ୍ତି ପ୍ରଦାନ କରିଥିଲେ। ଏଠାରେ ଥିବା ଦଲିଲ୍ ଅନୁଯାୟୀ ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୪୦ କୋଟି ଟଙ୍କା। ଏହା ପୂର୍ବରୁ ଜୁଲାଇ ୨୪ରେ ବିନ୍ଦୁ କପୁର ଏଠାରେ ଏକ ସମ୍ପତ୍ତି ୪୩.୫ କୋଟି ଟଙ୍କାରେ ବିକ୍ରି କରିଥିଲେ। ଏହି ଘଟଣା ସମ୍ପର୍କରେ ଆଇନ ପରାମର୍ଶଦାତା କହିଛନ୍ତି ଯେ, ଉପହାର କାରବାର ଆକାରରେ ଜଣେ ନିଜର ନିକଟତମ ବ୍ୟକ୍ତିଙ୍କୁ ସମ୍ପତ୍ତି କିମ୍ବା କିଛି ଦେଇପାରିବ। ସମ୍ପତ୍ତି କ୍ଷେତ୍ରରେ ଏହାକୁ ସ୍ଥାନାନ୍ତର କରିବା ଆବଶ୍ୟକ।
ଜୁଲାଇ ୨୧ ରେ ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) କୋର୍ଟ ରାଣା କପୁରଙ୍କ ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲା। ମାର୍ଚ୍ଚରେ ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେ ୟସ୍ ବ୍ୟାଙ୍କ ସହିତ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କପୁର ଅନେକ ଥର ଜାମିନ ଆବେଦନ କରିଥିଲେ। ତାଙ୍କ ଓକିଲ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଶେଷ ହୋଇଛି। ତେଣୁ କପୁରଙ୍କୁ ଜାମିନ ମିଳିବା ଉଚିତ୍। ରାଣା କପୁର ଦୀର୍ଘ ଦିନ ଧରି ଜେଲରେ ରହିଛନ୍ତି। ଇଡି ପତ୍ନୀ ବିନ୍ଦୁ ଏବଂ ତିନି ଝିଅଙ୍କ ସହ ରାଣା କପୁରଙ୍କୁ ମଧ୍ୟ ଯାଞ୍ଚ କରୁଛନ୍ତି। ଦେୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଏଚ୍ଏଫ୍ଏଲ୍)କୁ ୬୦୦ କୋଟି ଟଙ୍କା ଋଣ ପ୍ରଦାନ ସଂପର୍କରେ ଏହି ତଦନ୍ତ କରାଯାଉଛି। କପୁର ଏବଂ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କୁ ଦିଆଯାଇଥିବା ଋଣ ହିସାବରେ ୪୩୦୦ କୋଟି ଟଙ୍କା ଲାଭ ହୋଇଥିଲା। ଏହି ଋଣ ଅନେକ କମ୍ପାନୀକୁ ଦିଆଯାଇଥିଲା। ସେ ନିର୍ଦ୍ଦିଷ୍ଟ କର୍ପୋରେଟ୍ ହାଉସକୁ ଋଣ ଦେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟଷର ଏହି ଋଣ ଏନ୍ପିଏରେ ପରିଣତହୋଇଗଲା। ଅର୍ଥାତ୍ ତାହା ଅସୁଲ କରାଯାଇପାରିଲାନାହିଁ। ସିବିଆଇ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।