ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ । ଲ୍ୟାଣ୍ଡିଂବେଳେ ରନ୍ୱେରେ ପିଟି ହୋଇ ଦୁଇଫାଳ ହେଲା ଚାର୍ଟର ବିମାନ । ବିମାନରେ ମୋଟ ୮ ଜଣ ଯାତ୍ରୀ ଥିଲେ। ତେବେ ଘଟଣାରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ରନ୍ୱେରେ ପିଟି ହୋଇ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ବିମାନରେ ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଦୁର୍ଘଟଣା ହେବା କ୍ଷଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ସହ ବିମାନରେ ଲାଗିଥିବା ନିଆଁ ଲିଭାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଡିଜିସିଏ ଦେଇଥିବା ସୂଚନା ଅନୁଯାୟୀ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଭିଏସଆର ଭେଞ୍ଚର୍ସ Learjet 45 ପ୍ଲେନ୍ ଭିଟି-ଡିଭିଏଲ ମୁମ୍ବାଇ ବିମାନ ବନ୍ଦରର ରନୱେ ୨୭ରେ ଅବତରଣ କରିବା ସମୟରେ ଖସିଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଛି ଡିଜିସିଏ । ବର୍ଷା ଯୋଗୁଁ ଭିଜିବିଲିଟି ୭୦୦ ମିଟର ଥିଲା ।