ମୁମ୍ବାଇ: ମୁମ୍ବାଇ ହିଟ୍ -ଆଣ୍ଡ- ରନ୍ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ଗିରଫ କଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହି। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ। ମିହିର ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହୋଇଥିବାରୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନେଇ କାବେରୀଙ୍କ ସ୍ବାମୀ କହିଥିଲେ ଯେ, ରବିବାର ସକାଳ ୫.୩୦ ସମୟରେ ଆମେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।
ଏହି ମାମଲାରେ ପୁଲିସ ଗତକାଲି ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରଥିଲେ। ଆଜି ମିହିର ଶାହାଙ୍କୁ ଗିରଫ କରିଛ ପୁଲିସ।