ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଚାଲିଥିବା ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ଆନ୍ଦୋଳନକୁ ରୋକିବା ପାଇଁ ପାକିସ୍ତାନ ସରକାର ଏବଂ ଏହାର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ପକ୍ଷରୁ ନୂଆ ଚାଲ ଖେଳାଯାଇଛି। ରାୱାଲାକୋଟ୍କୁ ପଠାଯାଇଥିବା ତଥାକଥିତ 'ଶାନ୍ତି କମିଟି' ପ୍ରତିନିଧିମଣ୍ଡଳୀରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଇଲିଆସ୍ କାଶ୍ମୀରୀ ସାମିଲ ଥିବା ଦାବି କରାଯାଇଛି। ଏକ ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନର ଶାନ୍ତି ପ୍ରତିଷ୍ଠା ନାମରେ ଚାଲିଥିବା ଡବଲ ଗେମ୍ ପଦାରେ ପଡ଼ିଛି।
'ଶାନ୍ତି କମିଟି'ରେ ଆତଙ୍କବାଦୀଙ୍କ ଏଣ୍ଟ୍ରି
ଏହି ପ୍ରତିନିଧିମଣ୍ଡଳୀକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଏକ ଭିଡିଓରେ ଆତଙ୍କବାଦୀ କମାଣ୍ଡର ଇଲିଆସ୍ କାଶ୍ମୀରୀ କ୍ୟାମେରାରୁ ବର୍ତ୍ତିବା ପାଇଁ ଲୁଚୁଥିବାର ଦେଖିବାକୁ ମିଳିଛି। ଯଦି ଏହି ଟିମ୍ କେବଳ ଶାନ୍ତି ବାର୍ତ୍ତାଳାପ ପାଇଁ ଗଠନ କରାଯାଇଥିଲା, ତେବେ ସେଥିରେ ଜଣେ ୱାଣ୍ଟେଡ୍ ଆତଙ୍କବାଦୀ କମାଣ୍ଡର କାହିଁକି ସାମିଲ ଅଛି ତାହା ସନ୍ଦେହ ଘେରରେ। ଏହା ପାକିସ୍ତାନ ସରକାର, ତାର ଗୁଇନ୍ଦା ସଂସ୍ଥା ISI ଏବଂ ଆତଙ୍କବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଥିବା ଅପବିତ୍ର ସମ୍ପର୍କକୁ ପୁଣିଥରେ ପ୍ରମାଣିତ କରିଛି।
ଲସ୍କର-ଏ-ତୋଇବାର ଖୋଲା ଧମକ
ଅନ୍ୟପକ୍ଷରେ, ଆଉ ଏକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ମଧ୍ୟ JAAC ଆନ୍ଦୋଳନ ବିରୋଧରେ ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ସଂଗଠନ ଲଗାତାର ଭାବେ JAAC ନେତାମାନଙ୍କୁ 'ଦେଶଦ୍ରୋହୀ' ଦର୍ଶାଇ ପ୍ରଚାର ଅଭିଯାନ ଚଳାଉଛି। ଏହି ଗଣତାନ୍ତ୍ରିକ ଆନ୍ଦୋଳନକୁ ବଦନାମ କରିବା ଏବଂ ସ୍ଥାନୀୟ ଲୋକଙ୍କ ସ୍ୱରକୁ ଚାପିଦେବା ପାଇଁ ହେଉଥିବା ଉଦ୍ୟମକୁ ଆତଙ୍କବାଦୀମାନେ ଖୋଲା ସମର୍ଥନ କରୁଛନ୍ତି।
କିଏ ଏହି ଇଲିଆସ୍ କାଶ୍ମୀରୀ?
ଇଲିଆସ୍ କାଶ୍ମୀରୀ ହେଉଛି ସେହି ବ୍ୟକ୍ତି, ଯିଏ 'ଅପରେସନ୍ ସିନ୍ଦୁର୍' ପରେ ଦାବି କରିଥିଲା କି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଆତଙ୍କୀ ମାଷ୍ଟରମାଇଣ୍ଡ ମାସୁଦ୍ ଆଝାରର ପରିବାର ଲୋକେ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲେ। ଏବେ ତା'ର ଏକ 'ଶାନ୍ତି କମିଟି' ସହ ନଜର ଆସିବା ଏହି ମାମଲାକୁ ଅଧିକ ସମ୍ବେଦନଶୀଳ କରିଦେଇଛି। ପିଓକେ (PoK)ରେ ସାଧାରଣ ନାଗରିକଙ୍କ ଆନ୍ଦୋଳନକୁ ଅତ୍ୟାଚାର ଏବଂ ରକ୍ତପାତ ମାଧ୍ୟମରେ ଦବାଇବାକୁ ଚେଷ୍ଟା କରାଯାଉଥିବା ବେଳେ ଆତଙ୍କବାଦୀଙ୍କ ମଧ୍ୟସ୍ଥତା ଘଟଣାର ଗମ୍ଭୀରତାକୁ ବୃଦ୍ଧି କରିଛି।