ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ପୋଷ୍ଟ୍ ସେୟାର କରିଛନ୍ତି।
ଏଥିରେ ମୋଦୀ ଲେଖିଛନ୍ତି, ପଶ୍ଚିମ ଏସିଆରେ ଜଟିଳ ସ୍ଥିତି ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ କଥା ହେଲି। ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତେଜନା ବୃଦ୍ଧିକୁ ରୋକିବା ନିରନ୍ତର ମାନବୀୟ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ଆମେ ଉଭୟ ଚାବହାର ବନ୍ଦର ସମେତ ଆମର ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିକୁ ସ୍ୱାଗତ କରିଛୁ।