ନୂଆଦିଲ୍ଲୀ : ସାରା ଦେଶରେ ପୁଣି ଥରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବା ସହିତ ୬ଟି ରାଜ୍ୟର ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଛି। ସଂକ୍ରମଣ ରୋକିବା ଦିଗରେ ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ୍ ସହିତ ସଂପୃକ୍ତ ରାଜ୍ୟଗୁଡିକର ସ୍ବାସ୍ଥ୍ୟ ବିଭାଗ ତ୍ବରିତ ପଦକ୍ଷେପ ନେଇଥିଲେ ମଧ୍ୟ କରୋନା ବୋଲ ମାନିବ ନାଁ ଧରୁ ନାହିଁ। ଦେଶରୁ କରୋନା ଲୋପ କରିବା ନେଇ ଗୋଟିଏ ପଟରେ ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ ଏଭଳି ସଂକ୍ରମଣ ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତିତ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡକାଇଛନ୍ତି। ଆସନ୍ତା ୧୭ ତାରିଖରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ ବୋଲି ଜଣାପଡ଼ିଛି।
ବୈଠକରେ ସଂକ୍ରମଣର ସାଂପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହିତ ଆନୁଷଙ୍ଗିକ ପଦକ୍ଷେପ ଏବଂ ଟିକାକରଣ ଉପରେ ଆଲୋଚନା କରିପାରନ୍ତି। ଏଥିସହିତ ସଂକ୍ରମଣ ରୋକିବା ଦିଗରେ ଆଉ କି ପଦକ୍ଷେପ ଗ୍ରହଣ କରାଯାଇପାରେ ସେ ସମ୍ପର୍କରେ ମଧ୍ୟ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ମତାମତ ଲୋଡ଼ିପାରନ୍ତି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏବେ ମହାରାଷ୍ଟ୍ର ସମେତ ପଞ୍ଜାବ, କେରଳ, ତାମିଲନାଡୁ , ଗୁଜରାଟ, ମଧ୍ୟପ୍ରଦେଶ ଭଳି ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ହାରାହାରି ଭାବେ ଦେଶର ଦୈନିକ ସଂକମ୍ରଣ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ କରୋନା ପୁଣି ଥରେ ବିସ୍ଫୋରଣ ରୂପ ନେବା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି।