ନୂଆଦିଲ୍ଲୀ: ୨୭୧ ଯାତ୍ରୀ ଥିବା ବିମାନର ‘ବାଥ୍ରୁମ୍’ରେ ପାଇଲଟଙ୍କ ମୃତ୍ୟୁ ଘଟିଛି। ପରେ ସହକାରୀ ପାଇଲଟ୍ ଉକ୍ତ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଏପରି ଏକ ଖବର ସାମ୍ନାକୁ ଆସିଛି ମିଆମିରୁ । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲି ଯାଉଥିବା ‘ଲାଟାମ୍ ଏୟାର୍ଲାଇନ୍’ ଏକ ଯାତ୍ରୀବାହୀ ବିମାନର ପାଇଲଟ୍ ‘ବାଥ୍ରୁମ୍’ରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ। ବିମାନର ସହକାରୀ ପାଇଲଟ୍ ରବିବାର ରାତିରେ ପାନାମାରେ ଉକ୍ତ ବିମାନର ଜରୁରୀ ଅବତରଣ କରାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ବିମାନରେ ଥିବା ଯାତ୍ରୀମାନଙ୍କୁ ପାନାମା ସହରରେ ଥିବା ହୋଟେଲ୍ମାନଙ୍କରେ ରଖାଯାଇଥିଲା। ପରେ ମଙ୍ଗଳବାର ଦିନ ‘ଲାଟାମ୍’ ଏୟାର୍ଲାଇନ୍ର ବିମାନ ଚଳାଚଳ ସ୍ବାଭାବିକ ହୋଇଥିଲା।
ସାଣ୍ଟିଆଗୋ ଅଭିମୁଖେ ଉଡ଼ିଯାଉଥିବା ଉକ୍ତ ‘ଲାଟାମ୍ ଏୟାର୍ଲାଇନ୍’ ବିମାନର କ୍ୟାପ୍ଟେନ୍ ଥିଲେ ୫୬ ବର୍ଷିୟ ଇଭାନ୍ ଆନ୍ଦୌର୍। ରାତି ପ୍ରାୟ ୧୧ଟା ବେଳେ ତାଙ୍କର ହୃଦ୍ଘାତ ହୋଇଥିଲା । ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହରସ୍ଥିତ ‘ଟୋକ୍ୟୁମେନ୍ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଉକ୍ତ ‘ବୋଇଙ୍ଗ୍ ୭୮୭-୯ ଡ୍ରିମ୍ଲାଇନର୍’ ବିମାନର ଜରୁରୀ ଅବତରଣ କରାଇବାକୁ ବାଧ୍ୟ ହୋଇଥିଲେ।
ସୂଚନାଯୋଗ୍ୟ, ତାଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତର ଓ ଇଜାଡୋରା ନାମରେ ଜଣେ ନର୍ସ ଧାଇଁ ଯାଇଥିଲେ। ସେମାନେ କହିଛନ୍ତି, ଦୁଃଖର ବିଷୟ ତାଙ୍କର ହାର୍ଟକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଆବଶ୍ୟକ ଯଥେଷ୍ଟ ଡାକ୍ତରୀ ସରଞ୍ଜାମ ଆମ ପାଖରେ ନ ଥିଲା।