ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ରାଜ୍ୟସଭାରେ ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬ (Bankers' Books Evidence Bill, 2026) ପାରିତ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୫ ତାରିଖରେ ଲୋକସଭାରେ ମଧ୍ୟ ଏହି ବିଲ୍ ପାରିତ ହୋଇସାରିଥିଲା। ଏହା ଫଳରେ ୧୩୫ ବର୍ଷ ପୁରୁଣା ତଥା ଇଂରେଜ ଅମଳର ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ର ସ୍ଥାନ ନେବ ଏହି ନୂଆ ଆଇନ। ଏହି ନୂତନ ବିଲ୍ ଆଇନରେ ପରିଣତ ହେବା ପରେ, ଏଣିକି ବ୍ୟାଙ୍କର ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ରେକର୍ଡକୁ ଅଦାଲତରେ ବୈଧ ପ୍ରମାଣ ଭାବରେ ସ୍ୱୀକୃତି ମିଳିବ।
ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ
ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୮୯୧ ମସିହାରେ ତିଆରି ହୋଇଥିବା ଆଇନରେ ପରିବର୍ତ୍ତନ ଆଣିବା ଥିଲା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଅଦାଲତରେ କୌଣସି ମାମଲାର ଶୁଣାଣି ସମୟରେ ବ୍ୟାଙ୍କ କର୍ମଚାରୀମାନଙ୍କୁ କାଗଜ ଲେଜର୍ ବା ନଥିପତ୍ରର ପ୍ରମାଣିତ ନକଲ ଦାଖଲ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନର ଆଧୁନିକ ବ୍ୟାଙ୍କିଙ୍ଗ୍ ପ୍ରଣାଳୀରେ ପ୍ରାୟତଃ ସମସ୍ତ ତଥ୍ୟ କମ୍ପ୍ୟୁଟର ଓ କ୍ଲାଉଡ୍ ଷ୍ଟୋରେଜ୍ ମାଧ୍ୟମରେ ସୁରକ୍ଷିତ ରଖାଯାଉଛି। ତେଣୁ ନୂତନ ଆଇନ ବଳରେ ଇଲେକ୍ଟ୍ରୋନିକ୍, ଡିଜିଟାଲ୍, ଭର୍ଚୁଆଲ୍ କିମ୍ବା କ୍ଲାଉଡରେ ଥିବା ବ୍ୟାଙ୍କ ରେକର୍ଡଗୁଡ଼ିକୁ ବୈଧ ପ୍ରମାଣ ଭାବରେ ବିବେଚନା କରାଯିବ।
ନୂଆ ନିୟମରେ କଣ ରହିଛି ବ୍ୟବସ୍ଥା?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା ଅନୁଯାୟୀ, ଏହି ବିଲ୍ ବ୍ୟାଙ୍କ ବୁକ୍ ପାଇଁ ଏକ ଟେକ୍ନୋଲୋଜି-ନିରପେକ୍ଷ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏହାଦ୍ୱାରା ଇଲେକ୍ଟ୍ରୋନିକ୍ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ରେକର୍ଡକୁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ମିଳିବ। ତେବେ ସର୍ତ୍ତ ରହିଛି ଯେ, ଯଦି କୌଣସି ଡିଜିଟାଲ୍ ରେକର୍ଡରେ ଟ୍ୟାମ୍ପରିଂ (Tampering) ହୋଇନଥିବ କିମ୍ବା ଡାଟାରେ କୌଣସି ଅନଧିକୃତ ପରିବର୍ତ୍ତନ କରାଯାଇନଥିବ, ତେବେ ତାହାକୁ ହିଁ ପ୍ରକୃତ ପ୍ରମାଣ ରୂପେ ଅଦାଲତରେ ଗ୍ରହଣ କରାଯିବ।
ପୁରୁଣା ଆଇନ ସହ ତୁଳନା
ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୯୧ ଯେତେବେଳେ ଲାଗୁ ହୋଇଥିଲା, ସେତେବେଳେ ଦୁନିଆରେ କମ୍ପ୍ୟୁଟର କିମ୍ବା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାର ପ୍ରଚଳନ ନଥିଲା। ସମୟ ବଦଳିବା ସହିତ ଭାରତରେ ଡିଜିଟାଲ୍ ଲେଣଦେଣ ଓ କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ବ୍ୟାପକ ହୋଇଛି। ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ନଜରରେ ରଖି ସରକାର ଏହି ପୁରୁଣା ଆଇନକୁ ବଦଳାଇ ଏକ ସମୟୋପଯୋଗୀ ଆଇନ ପାରିତ କରିଛନ୍ତି, ଯାହା ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।