ନୂଆଦିଲ୍ଲୀ: ନେପାଳରେ ତାଣ୍ଡବ ରଚିଲା ବନ୍ୟା । ସୁ ସୁ ଗର୍ଜନ କରି ମାଡ଼ି ଆସିଲା ଆଉ ଭସେଇ ନେଇଗଲା ସବୁକିଛି । ନେପାଳର ରସୁୱା ଅଞ୍ଚଳରେ ଥିବା ଭୋଟେ କୋଶୀ ନଦୀରେ ଆସିଥିବା ହଠାତ୍ ବନ୍ୟା କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ନେପାଳ ପର୍ଯ୍ୟଟନ ବୋର୍ଡ (NTB) ଦ୍ୱାରା ଜାରି କରାଯାଇଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବନ୍ୟାରେ ଶତାଧିକ ଭାରତୀୟଙ୍କ ସମେତ ମୋଟ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଥିବା ସୂଚନା ମିଳିଛି।
ପର୍ଯ୍ୟଟନ ବୋର୍ଡର ସୂଚନା ଅନୁଯାୟୀ ନିଖୋଜ ଥିବା ୩୮୪ ଜଣ ପର୍ଯ୍ୟଟକଙ୍କ ମଧ୍ୟରେ ୨୯୧ ଜଣ ବିଦେଶୀ ନାଗରିକ ଏବଂ ୯୩ ଜଣ ନେପାଳୀ ନାଗରିକ ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ଥିବାବେଳେ ଅନ୍ୟମାନେ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, ମାଲେସିଆ, ଦକ୍ଷିଣ ଆଫ୍ରିକା ଏବଂ ନେଦରଲ୍ୟାଣ୍ଡର ବୋଲି ଜଣାପଡିଛି। ଏହି ସମସ୍ତ ପର୍ଯ୍ୟଟକ ୯ଟି ବିଭିନ୍ନ ଟ୍ରାଭେଲ୍ ଏଜେନ୍ସି ସହିତ ଜଡିତ ଅଛନ୍ତି। ତେବେ ଟ୍ରାଭେଲ ଏଜେନ୍ସି, ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା କର୍ମୀଙ୍କ ସହଯୋଗରେ ତଥ୍ୟ ଯାଞ୍ଚ କରାଯାଉଛି ବୋଲି ପର୍ଯ୍ୟଟନ ବୋର୍ଡ ସ୍ପଷ୍ଟ କରିଛି।
'ଦି କାଠମାଣ୍ଡୁ ଟାଇମ୍ସ'ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ଥିବା ଲୋକଙ୍କୁ ଠାବ କରିବା ପାଇଁ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି।
ପର୍ଯ୍ୟଟକ ଏବଂ ସେମାନଙ୍କ ପରିବାରର ସାହାଯ୍ୟ ପାଇଁ ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ଲୋକମାନେ ଟୋଲ୍-ଫ୍ରି ନମ୍ବର ୧୨୩୪, ହଟଲାଇନ୍ ୧୧୪୪ ଏବଂ ଟୁରିଷ୍ଟ ପୋଲିସ ନମ୍ବର ୯୮୫୧୨୮୯୪୪୫ ରେ ଯୋଗାଯୋଗ କରିପାରିବେ। ଏହାସହ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ବିଭିନ୍ନ ପ୍ରଭାବିତ ଅଞ୍ଚଳ ଯଥା ରସୁୱା, ନୁୱାକୋଟ, ଧାଦିଂ, ଗୋରଖା ଏବଂ ଚିତୱନର ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ସେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଏବଂ ଉଦ୍ଧାର ଅଭିଯାନ ଜୋରସୋରରେ ଚାଲିଛି।