ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ଭୁବନେଶ୍ୱର: ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିରେ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦାର ଝିଅ କୁଲସୁମ୍ ନିଗାର୍ ସୁରକ୍ଷିତ ଭାବେ ନିଜ ଘରକୁ ଫେରି ଆସିଛନ୍ତି। ତାଙ୍କର ଏହି ପ୍ରତ୍ୟାବର୍ତ୍ତନ ପରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଗତ ଅଗଷ୍ଟ ୨୧ ତାରିଖରେ ବାରିପଦାରୁ ନେପାଳ ଯାଇଥିଲେ କୁଲସୁମ ନିଗାର। ନେପାଳର ଫ୍ଲାସ ଫ୍ଲଡ ପ୍ରଭାବିତ ଅଞ୍ଚଳ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ଧରପଠାନ ଅଞ୍ଚଳକୁ ଟ୍ରେକିଂ ପାଇଁ ୯ ଜଣିଆ ଟିମ୍ ସହ ଯାଇଥିଲେ କୁଲସୁମ । ତେବେ ନେପାଳରେ ନେଟୱାର୍କ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ଦିନ ଧରି କୁଲସୁମ ଓ ତାଙ୍କ ପରିବାର ମଧ୍ୟରେ ଯୋଗାଯୋଗ ହୋଇପାରିନଥିଲା । 

ଶେଷରେ ଅଗଷ୍ଟ ୨୯ ତାରିଖରେ ଧରପଠାନରେ ଥିବା ନେଇ ଅଡିଓ ଭଏସ ଘରକୁ ପଠାଇଥିଲେ ଏବଂ ପରେ ଘର ଲୋକଙ୍କ ସହ ଯୋଗାଯୋଗ ହୋଇଥିଲା । ୨୯ ତାରିଖ ସନ୍ଧ୍ୟାରେ ସେଠାରୁ ଫେରିବା ଯାତ୍ରା ଆରମ୍ଭ କରି ପ୍ରଥମେ ପୋଖରା ଏବଂ ସେଠାରୁ ବସ୍ ଯୋଗେ ଭାରତ-ନେପାଳ ସୀମାର ରକ୍ସୌଲରେ ପହଞ୍ଚିଥିଲେ କୁଲସୁମ । ପରେ ମିଥିଳା ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ କୋଲକାତାରେ ପହଞ୍ଚିଥିଲେ । ସୋମବାର କୋଲକାତାରୁ ବସ୍ ଯୋଗେ ବାରିପଦାରେ ପହଞ୍ଚି ନେପାଳରେ ଦେଖିଥିବା ଘଟଣା ଏବଂ ଅନୁଭୂତି ସମ୍ପର୍କରେ କୁଲସୁମ ବଖାଣିଛନ୍ତି । 

ଏହି ବିପଦ ସମୟରେ କେବଳ କୁଲସୁମ୍ ନୁହଁନ୍ତି, ତାଙ୍କ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ସୁରକ୍ଷିତ ଭାବେ ଫେରିଛନ୍ତି। ସୁନ୍ଦରଗଡ଼ର ଅନ୍ୟ ଜଣେ ପର୍ଯ୍ୟଟକ ଦୀପିକା ଏକ୍କା ମଧ୍ୟ ବନ୍ୟାରୁ ବର୍ତ୍ତିଯାଇ ଶନିବାର ଦିନ ଭାରତରେ ପହଞ୍ଚିଛନ୍ତି। ଏଥି ସହିତ, ତ୍ରିଶୂଳୀ ନଦୀ କୂଳରେ ଫସି ରହିଥିବା ୫୧ ଜଣ ପର୍ଯ୍ୟଟକ ଏବଂ ଟ୍ରାଭେଲ୍ ଷ୍ଟାଫଙ୍କୁ ନେପାଳ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ସହାୟତାରେ ରୋପୱେ ଜରିଆରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ବିମାନ ଯୋଗେ ଗୋରଖପୁର ଅଣାଯିବା ପରେ ସେମାନେ କୋଲକାତାରେ ପହଞ୍ଚିଛନ୍ତି ଏବଂ ଆଜି ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ, ଏକ ହିମବାହ ଧସିବା କାରଣରୁ ନେପାଳରେ ଏହି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୯୦୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ବିଦେଶୀ ନାଗରିକଙ୍କ ସମେତ ପ୍ରାୟ ୪,୨୪୭ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ୨୦,୦୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। କୁଲସୁମଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ତାଙ୍କ ପରିବାର ସମେତ ନେପାଳରେ ଫସିଥିବା ଅନ୍ୟ ଓଡ଼ିଆ ପର୍ଯ୍ୟଟକଙ୍କ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି।

About The Author: Madhusudan Das