ନୂଆଦିଲ୍ଲୀ: ଟ୍ୱିଟରର ବୋର୍ଡରେ ସାମିଲ ହେବେନି ବିଶ୍ୱର ଏକ ନମ୍ବର ଧନି ଏଲନ ମସ୍କ। ଏ ନେଇ ଟ୍ୱିଟର କମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଟ୍ୱିଟରର ସେୟାରେ କିଣିବା ପରେ ଏଲନ ମସ୍କ ବୋର୍ଡରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏ ନେଇ ମ୍ପାନୀର ସିଇଓ ପରାଗ ଅଗ୍ରଓ୍ୱାଲ ପୂର୍ବରୁ କହିଥିଲେ। ପୁଣି ଆଜି ଆଉ ଏକ ଟ୍ବିଟ କରି ଅଗ୍ରଓ୍ୱାଲ ସ୍ପଷ୍ଟ କରିଛନ୍ତି ଯେ ଏଲନ ମସ୍କ ବୋର୍ଡରେ ସାମିଲ ହେବେ ନାହିଁ ବୋଲି।
ସିଇଓ ପରାଗ କହିଛନ୍ତି ଯେ, ଏଲନ ମସ୍କ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ଓ ସେ ଏଲନଙ୍କୁ ନେଇ ଅନେକ ଆଲୋଚନା କରିଥିଲେ । ସିଧାସଳଖ ଭାବେ ଏଲନଙ୍କ ସହ ଏନେଇ ଆଲୋଚନା ହୋଇଥିଲା । ଏଲନ କମ୍ପାନୀର ଏକ ବଡ ଦାୟିତ୍ୱ ନେବେ ବୋଲି ବିଶ୍ୱାସ ଥିଲା । ସେ ବୋର୍ଡ ମେମ୍ବର ଓ ସେୟାର ହୋଲ୍ଡରଙ୍କ ସହ ମିଶି କାମ କରିଥାନ୍ତେ । ବୋର୍ଡ ତାଙ୍କୁ ଅନେକ ଅଫର୍ ଦେଇଥିଲା । ନିଜେ ପରାଗ ମଙ୍ଗଳବାର ଏଲନଙ୍କ ବୋର୍ଡରେ ସାମିଲ ହେବା ନେଇ ସୂଚନା ଦେଇଥିଲେ । କିନ୍ତୁ ଏବେ ଏଲନ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି । ଯାହାକୁ ନେଇ କିଛି ଦିନ ଧରି ଲାଗିଥିବା ଚର୍ଚ୍ଚାରେ ବିରାମ ଲାଗିଛି।
ସୂଚନାଯୋଗ୍ୟ, ଗତ ସପ୍ତାହର ଆରମ୍ଭରେ ଏଲନ ଟ୍ୱିଟରର ୯.୨ ପ୍ରତିଶତ ସେୟାର କ୍ରୟ କରିଥିଲେ । ଏହାସହ ସେ କମ୍ପାନୀର ସବୁଠାରୁ ବଡ ସେୟାର ହୋଲ୍ଡର ପାଲଟିଥିଲେ।