E20 ଲାଭକୁ ନେଇ ଅପପ୍ରଚାର: ନକଲି ପୋଷ୍ଟ ଓ ଡିପ୍‌ଫେକ୍ ବିରୋଧରେ ବମ୍ବେ ହାଇକୋର୍ଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅପମାନଜନକ ପୋଷ୍ଟ ଏବଂ ଡିପ୍‌ଫେକ୍ ଭିଡିଓ ବିରୋଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରକାରଙ୍କ ଇ-୨୦ (E20) ଇଥାନଲ୍ ବ୍ଲେଣ୍ଡ୍ ଇନ୍ଧନ ନୀତିରୁ ତାଙ୍କୁ ଓ ତାଙ୍କ ପରିବାରକୁ ଆର୍ଥିକ ଲାଭ ମିଳୁଥିବା ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଟେକ୍ କମ୍ପାନୀଙ୍କ ବିରୋଧରେ ମାମଲା

ରିପୋର୍ଟ ଅନୁଯାୟୀ, ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ମେଟା (Meta), ଏକ୍ସ (X), ଗୁଗଲ (Google) ଏବଂ ଅନ୍ୟାନ୍ୟ କମ୍ପାନୀ ବିରୋଧରେ ଦେୱାନି ମାମଲା ରୁଜୁ କରିବାକୁ ଆବେଦନ କରିଛନ୍ତି। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ କରି ତାଙ୍କ ଭାବମୂର୍ତ୍ତି ମଳିନ କରିବାକୁ ଚେଷ୍ଟା କରୁଥିବା ସେ ଦର୍ଶାଇଛନ୍ତି।

ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଧୀନରେ ରହିଛି ନୀତି

ଏହି ମାମଲାରେ ଶ୍ରୀ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ଇ-୨୦ ଇନ୍ଧନ ନୀତି ପ୍ରକୃତରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି। ଏଥିରେ ତାଙ୍କ ବିଭାଗ କିମ୍ବା ତାଙ୍କ ପରିବାରର କୌଣସି ସମ୍ପୃକ୍ତି ନାହିଁ। ତଥାପି, ଜାଣିଶୁଣି ତାଙ୍କୁ ବଦନାମ କରିବା ପାଇଁ ଏହି ପ୍ରସଙ୍ଗରେ ତାଙ୍କ ନାମକୁ ଯୋଡ଼ାଯାଉଛି।

ଇ-୨୦ ପେଟ୍ରୋଲକୁ ନେଇ ବିବାଦ

ସୂଚନାଯୋଗ୍ୟ ଯେ, ସମ୍ପ୍ରତି ଇ-୨୦ ପେଟ୍ରୋଲକୁ (ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ) ନେଇ ଦେଶରେ ଅସନ୍ତୋଷ ଦେଖାଦେଇଛି। 'କକରୋଚ୍ ଜନତା ପାର୍ଟି' ଏବଂ ନିକଟରେ ଗଠିତ 'ଇ-୨୦ ଜନତା ପାର୍ଟି' ନାମକ ସଙ୍ଗଠନ ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ବିକଳ୍ପ ଦାବି କରି ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ଇଥାନଲ୍ ମିଶ୍ରଣ ଯୋଗୁଁ ଗାଡ଼ିର ମାଇଲେଜ୍ କମିବା ସହ ଇଞ୍ଜିନ୍ ଖରାପ ହେଉଛି। ଏହି ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଟ୍ରୋଲ୍ ଓ ଡିପ୍‌ଫେକ୍ ଜରିଆରେ ନୀତିନ ଗଡ଼କରୀଙ୍କୁ ଟାର୍ଗେଟ୍ କରାଯାଉଥିବାରୁ, ସେ ଏବେ କଠୋର ଆଇନଗତ ପଦକ୍ଷେପ ନେଇଛନ୍ତି।

About The Author: Suryakanta