ଦେଶ ବିରୋଧରେ ବଡ଼ ଷଡ଼ଯନ୍ତ୍ର: ଅମ୍ରିତପାଲ ସିଂ ପାଇଁ ବଢିଲା ଅଡୁଆ, ତଦନ୍ତ କରିବ ଏନ୍‌ଆଇଏ !

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଏବଂ ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂ ଏବେ ବି ଫେରାର ରହିଛି। ଗତକାଲି ସୁଦ୍ଧା ଅମ୍ରିତପାଲର ୭ ସମର୍ଥକଙ୍କ ସହ ଏହି ସଂଗଠନର ୭୮ ସଦସ୍ୟଙ୍କୁ ପୁଲିସ ଗିରଫ କରିସାରିଛି। ଏଥିସହିତ ଅମ୍ରିତପାଲର ଦାଦା ଏବଂ ଅନ୍ୟ ଜଣେ ସହଯୋଗୀ ସୋମବାର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। କିନ୍ତୁ ଏ ଯାଏ ଅମ୍ରିତପାଲକୁ ଧରିବା ଲାଗି ପୁଲିସ ସମର୍ଥ ହୋଇପାରନି। କିନ୍ତୁ ଖୁବଶୀଘ୍ର ଅମ୍ରିତପାଲକୁ ଗିରଫ କରାଯିବ […]

ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଏବଂ ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂ ଏବେ ବି ଫେରାର ରହିଛି। ଗତକାଲି ସୁଦ୍ଧା ଅମ୍ରିତପାଲର ୭ ସମର୍ଥକଙ୍କ ସହ ଏହି ସଂଗଠନର ୭୮ ସଦସ୍ୟଙ୍କୁ ପୁଲିସ ଗିରଫ କରିସାରିଛି। ଏଥିସହିତ ଅମ୍ରିତପାଲର ଦାଦା ଏବଂ ଅନ୍ୟ ଜଣେ ସହଯୋଗୀ ସୋମବାର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। କିନ୍ତୁ ଏ ଯାଏ ଅମ୍ରିତପାଲକୁ ଧରିବା ଲାଗି ପୁଲିସ ସମର୍ଥ ହୋଇପାରନି। କିନ୍ତୁ ଖୁବଶୀଘ୍ର ଅମ୍ରିତପାଲକୁ ଗିରଫ କରାଯିବ ବୋଲି ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ କହିଛନ୍ତି। କିନ୍ତୁ ଏହା ମଧ୍ୟରେ ଗିରଫ ହୋଇଥିବା ଅମ୍ରିତପାଲର ବହୁ ସହଯୋଗୀଙ୍କ ନିକଟରୁ ପୁଲିସକୁ ଯେଉଁସବୁ ତଥ୍ୟ ମିଳିଛି ତାହା କେବଳ ପଞ୍ଜାବ ସରକାର ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି।

ଅମ୍ରିତପାଲ ନେତୃତ୍ବ ସଂଗଠନ ୱାରିସ୍‌ ପଞ୍ଜାବ ଦେ ଖଲିସ୍ତାନ ଆନ୍ଦୋଳନକୁ ନେଇ ଦେଶ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲା ବୋଲି ପୁଲିସ କହିଛି। ଏପରିକି ଅମ୍ରିତପାଲ ‘ ଆନନ୍ଦପୁର ଖଲସା ଫୋର୍ସ(ଏକେଏଫ)’ ନାମରେ ଏକ ଦୁର୍ଦ୍ଦଶ ଗରିଲା ବାହିନୀ ଗଠନ କରି ଖଲିସ୍ତାନୀ ଆନ୍ଦୋଳନ ଲାଗି ଯୋଗ ଦେଉଥିବା ଶିଖ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେବାକୁ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ଏହି ସଂଗଠନ ମାନବ ବୋମା ପ୍ରସ୍ତୁତ କରିବା ସହିତ ଶିଖ ଯୁବକମାନଙ୍କୁ ଆତ୍ମଘାତୀ ବିସ୍ଫୋରଣ କରିବାକୁ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା କରିଥିଲା। ପୁଲିସ୍‌କୁ ଏ ସମ୍ପର୍କରେ ତଥ୍ୟ ମିଳିଲା ପରେ ପୁଲିସ ଚଢ଼ଉ କରି ବୁଲେଟ୍‌ ପ୍ରୁଫ ଜ୍ୟାକେଟ ସମେତ ବହୁ ବନ୍ଧୁକ ଏବଂ ଗୁଳିଗୋଳା ଜବତ କରିଛି। ଏହି ସଂଗଠନ ପଛରେ ପାକିସ୍ତାନର ଆଇଏସଆଇର ପ୍ରଚ୍ଛଦ ହାତ ରହିଥିଲା ବେଳେ ବିଦେଶରେ ରହୁଥିବା ଖଲିସ୍ତାନୀ ସମର୍ଥକ ଅମ୍ରିତପାଲକୁ ବିପୁଳ ପରିମାଣରେ ଅର୍ଥ ଯୋଗାଇ ଦେଉଥିଲେ। ଏହାବ୍ୟତୀତ ପାକିସ୍ତାନରୁ ପଞ୍ଜାବକୁ ଆସୁଥିବା ଚୋରା ଡ୍ରଗ୍ସ କାରବାର ଦ୍ବାରା ମଧ୍ୟ ବିପୁଳ ଅର୍ଥ ଯୋଗାଡ କରିବାକୁ ଏହି ସଂଗଠନ ସବୁ କିଛି ପ୍ରସ୍ତୁତି କରିଥିଲା।

ଆଇଏସଆଇ ଦ୍ବାରା ଆନ୍ତର୍ଜାତିକ ସୀମା ନିକଟରେ ଡ୍ରୋନ ଏବଂ ଅନ୍ୟ ମାଧ୍ୟମରେ ପଞ୍ଜାବରେ ପକାଯାଉଥିବା ଡ୍ରଗ୍ସକୁ ୱାରିସ୍‌ ପଞ୍ଜାବ ଦେ ସଂଗଠନ ଦ୍ବାରା ସାରା ରାଜ୍ୟରେ ଚାଲାଣ କରାଯାଉଥିଲା ବୋଲି ପୁଲିସକୁ ସୁରାକ ମିଳିଛି। ଖଲିସ୍ତାନୀ ଆନ୍ଦୋଳନକୁ ନେଇ ଭାରତ ବିରୋଧରେ ଯୁଦ୍ଧ ଡକରା ଦେବା ସହିତ ଭାରତରୁ ପଞ୍ଜାବକୁ ଅଲଗା କରିଦେବା ଲାଗି ଆଇଏସଆଇ ଓ ବିଦେଶରେ ରହୁଥିବା ଦେଶ ବିରୋଧୀ ଶକ୍ତିଙ୍କ ମସୁଧା ସାକାର କରିବା ଲାଗି ଏହି ସଂଗଠନ ଏକ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରିସାରିଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମ୍ରିତପାଲ ସିଂ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଗିରଫ ହୋଇଥିବା ଅମ୍ରିତପାଲର ୪ ସହଯୋଗୀଙ୍କୁ ଆସାମ ଜେଲରେ ରଖାଯାଇଥିଲା ବେଳେ ସେମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ ମାମଲା ରୁୂଜୁ କରାଯାଇଛି। ସେହିପରି ୱାରିସ୍‌ ପଞ୍ଜାବ ଦେ ସଂଗଠନ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା କୁହାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ବ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ )ହାତକୁ ଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହିକ୍ରମରେ ପଞ୍ଜାବ ପୁଲିସ ପକ୍ଷରୁ ଜୋରଦାର ଯାଞ୍ଚ ଆରମ୍ଭ ହୋଇଥିଲା ବେଳେ ଅମ୍ରିତପାଲର ଦାଦା ହରଜିତ୍‌ ସିଂ ଏବଂ ତାଙ୍କ ଡ୍ରାଇଭର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ହରଜିତ୍‌ ଜଣେ ନିଶା ବ୍ୟବସାୟୀଙ୍କ ଠାରୁ ଏକ ମର୍ସିଡିଜ୍‌ କାର୍‌ କିଣିଥିଲେ। ବର୍ତ୍ତମାନ ପଞ୍ଜାବ ପୁଲିସ ବିଭିନ୍ନ ଜିଲ୍ଲାରେ ଫ୍ଳାଗ୍‌ ମାର୍ଚ୍ଚ କରିବା ସହିତ ଅମ୍ରିତପାଲକୁ ଧରିବା ଲାଗି ଜୋରଦାର ଯାଞ୍ଚ ଏବଂ ତନଖି ଚଳାଇଛି।।

ଖଲିସ୍ତାନୀ ନେଟୱର୍କକୁ ଉସୁକାଉଛି ‘ଗ୍ଲୋବାଲ ଡିଜିଟାଲ ଟୁଲକିଟ୍‌’
ଭାରତରୁ ପଞ୍ଜାବକୁ ଅଲଗା କରିବା ଉଦ୍ଦେଶ୍ୟରେ ଖଲିସ୍ତାନୀ ସମର୍ଥକମାନେ ଅମ୍ରିତପାଲ ସିଂ ଭଳି କିଛି ଲୋକଙ୍କୁ ନେଇ ଆନ୍ଦୋଳନ ତୀବ୍ର କରିବାକୁ ମସୁଧା କରିଛନ୍ତି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ଶକ୍ତ ନେଟୱର୍କ କାର୍ଯ୍ୟ କରୁଛି। ‘ଗ୍ଲୋବାଲ ଡିଜିଟାଲ ଟୁଲକିଟ୍‌’ ନାମରେ କାର୍ଯ୍ୟ କରୁଥିବା ଏହି ନେଟୱର୍କ ସମ୍ପର୍କରେ କେନ୍ଦ୍ର ଗୁଇନ୍ଦା ଏଜେନ୍ସିକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା ବେଳେ କାନାଡା, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ନିଷିଦ୍ଧ ଘୋଷିତ ହୋଇଥିବା ବହୁ ଖଲିସ୍ତାନୀ ସମର୍ଥକ ଏଥିରେ ସାମିଲ ରହିଥିବା କୁହାଯାଇଛି। ଏଥିରେ ଶିଖ ଫର ଜଷ୍ଟିସ୍‌, ଇଣ୍ଟରନ୍ୟାସନାଲ ଶିଖ ୟୁଥ୍‌ ଫେଡେରସନ ଏବଂ ଖଲିସ୍ତାନ ଟାଇଗର ଫୋର୍ସ ଭଳି ସଂଗଠନର ସଦସ୍ୟମାନେ ରହିଛନ୍ତି। ଗୁଇନ୍ଦା ସୂଚନା ଅନୁସାରେ ଚଳିତ ମାସ ୧୫ ରୁ ୧୯ ତାରିଖ ମଧ୍ୟରେ ୧୭୩୯ଟି ଆକାଉଣ୍ଟ ଖୋଲା ଯାଇଥିଲା ବେଳେ କେବଳ ୧୭ ତାରିଖରେ ୮୨୦ଟି ଇ-ମେଲ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଇଛି।

About The Author: The Sakala