ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ତିବ୍ଦତ ପଟୁ ହଠାତ୍ ଆସିଥିବା ଏହି ବନ୍ୟା ଜଳ ସୀମାନ୍ତ ଅଞ୍ଚଳରେ ତାଣ୍ଡବ ରଚିଛି। ବୁଧବାର ସକାଳେ ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ଘୋର କ୍ଷତି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭୟଙ୍କର ଭିଡିଓରେ ଦେଖିବାକୁ ମିଳିଛି ଯେ ବନ୍ୟା ପାଣି କିପରି ସବୁକିଛି ଧୋଇ ନେଉଛି।
ଟିମୁରେ ଏବଂ ସ୍ୟାପ୍ରୁ ବେସିରେ ବ୍ୟାପକ କ୍ଷୟକ୍ଷତି
ବିଶେଷ କରି ଟିମୁରେ ବଜାର ଏବଂ ସ୍ୟାପ୍ରୁ ବେସି ଅଞ୍ଚଳ ଏହି ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭୋଟେ କୋଶୀ ନଦୀରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବା ଫଳରେ ନେପାଳ ଏବଂ ଚୀନକୁ ସଂଯୋଗ କରୁଥିବା ମୈତ୍ରୀ ସେତୁ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ଏହା ସହିତ କଷ୍ଟମ ୟାର୍ଡରେ ଥିବା ଅନେକ କାର୍ଗୋ କଣ୍ଟେନର ଏବଂ ଇଲେକ୍ଟ୍ରିକ୍ ଯାନ ମଧ୍ୟ ବନ୍ୟା ପାଣିରେ ଭାସି ଯାଇଛି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ରାସ୍ତାଘାଟ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଛି।
ଉଦ୍ଧାର କାର୍ଯ୍ୟ ଏବଂ ହାଇ ଆଲର୍ଟ
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ନିଖୋଜ ଅଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ତୁରନ୍ତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେନା ଏବଂ ପୋଲିସ ବାହିନୀ ସହ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, କିନ୍ତୁ ପ୍ରବଳ ସ୍ରୋତ ଏବଂ ଉଚ୍ଚ ଜଳସ୍ତର କାରଣରୁ ହେଲିକପ୍ଟର ଅବତରଣରେ ସମସ୍ୟା ଦେଖାଦେଉଛି।
ନଦୀ କୂଳିଆ ଲୋକଙ୍କୁ ସତର୍କ ସୂଚନା
ପ୍ରଶାସନ ପକ୍ଷରୁ ତ୍ରିଶୂଳୀ ଏବଂ ଭୋଟେ କୋଶୀ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ପୃଥ୍ୱୀ ରାଜପଥ ସମେତ ଅନ୍ୟ ପ୍ରମୁଖ ରାସ୍ତାଗୁଡ଼ିକରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।