ନେପାଳରେ ଭୟଙ୍କର ବନ୍ୟା: ଶତାଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ, ସହାୟତା ପାଇଁ ଆଗେଇ ଆସିଲେ ବିଶ୍ୱ ନେତା

ନୂଆଦିଲ୍ଲୀ: ନେପାଳରେ ଆସିଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ନେଇ ବିଶ୍ୱର ବିଭିନ୍ନ ଦେଶର ନେତାମାନେ ଗଭୀର ଶୋକ ପ୍ରକାଶ କରିବା ସହ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ବିଦେଶୀ ନାଗରିକଙ୍କ ସମେତ ଶତାଧିକ ଲୋକ ନିଖୋଜ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ବିପର୍ଯ୍ୟୟ ପରେ ୩୯୧ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ୯୩ ଜଣ ନେପାଳୀ ପର୍ଯ୍ୟଟକ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ। ବିଭିନ୍ନ ରାଷ୍ଟ୍ର ଏବେ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି ଯେ ଅଧିକାରୀମାନେ ଅଷ୍ଟ୍ରେଲିଆ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏହି ବିପର୍ଯ୍ୟୟରେ ଅତିକମରେ ୩୪ ଜଣ ଅଷ୍ଟ୍ରେଲୀୟ ନିଖୋଜ ଥିବା ସୂଚନା ମିଳିଛି। 

ସେହିପରି ୨୪ ଜଣ କାନାଡା ନାଗରିକ ନିଖୋଜ ଥିବା ବେଳେ, କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେ କାନାଡା ନାଗରିକମାନଙ୍କୁ ଆରଓସିଏ (ROCA) ସିଷ୍ଟମରେ ତୁରନ୍ତ ପଞ୍ଜୀକୃତ କରିବାକୁ ଅନୁରୋଧ କରିଛନ୍ତି। ଏହା ସହ ଉଦ୍ଧାର କାର୍ଯ୍ୟରେ ଯେକୌଣସି ପ୍ରକାର ସହାୟତା ପାଇଁ କାନାଡା ପ୍ରସ୍ତୁତ ବୋଲି ସେ ଏକ୍ସ (X) ମାଧ୍ୟମରେ ସୂଚନା ଦେଇଛନ୍ତି।

ପରିସ୍ଥିତିକୁ "ହୃଦୟବିଦାରକ" ବୋଲି ବର୍ଣ୍ଣନା କରି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ କହିଛନ୍ତି ଯେ ତାଙ୍କ ସରକାର ନେପାଳ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏହି ବନ୍ୟାରେ ୫ ଜଣ ନ୍ୟୁଜିଲ୍ୟାଣ୍ଡ ନାଗରିକ ନିଖୋଜ ଥିବା ଜଣାପଡିଛି। ସେ ନାଗରିକମାନଙ୍କୁ ଜରୁରୀକାଳୀନ ସ୍ଥିତିରେ କନସୁଲାର୍ ହେଲ୍ପଲାଇନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ, ବନ୍ୟା ପରେ ୧୯ ଜଣ ମାଲେସିୟା ନାଗରିକ ନିଖୋଜ ଥିବା ଖବର ମିଳିଛି। ମାଲେସିୟାର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ ଗଭୀର ସମବେଦନା ଜଣାଇବା ସହ ନେପାଳରେ ଥିବା ମାଲେସିୟା ଦୂତାବାସ ପ୍ରଭାବିତ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଛନ୍ତି। ସେ ନିଜ ମିଶନକୁ ସମସ୍ତ ଆବଶ୍ୟକୀୟ ସମ୍ବଳ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: Madhusudan Das