ୱାଶିଂଟନ: ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଛି। ଉତ୍ତର ଆମେରିକା ଠାରୁ ଆରମ୍ଭ କରି ୟୁରୋପର ବିଭିନ୍ନ ରାଷ୍ଟ୍ର ଏବଂ ଚୀନରେ ଦେଖାଯାଇଥିବା ଗରମକୁ ନେଇ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁଲାଇ ମାସ ବିଶ୍ବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ରହିଥିଲା ବେଳେ ବନାଗ୍ନି ବିଭିନ୍ନ ସ୍ଥାନରେ ପ୍ରଳୟ ସୃଷ୍ଟି କରିଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଚଳିତ ବର୍ଷର ଜୁଲାଇ ମାସ ୧୮୮୦ ମସିହା ପରେ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି ସ୍ପଷ୍ଟ କରିଛି। ତେବେ ଜଳବାୟୁ ପରିବର୍ତ୍ତନକୁ ନେଇ ବଢୁଥିବା ଉତ୍ତାପ ଆଗାମୀ ବର୍ଷ ମଧ୍ୟ ଅସହ୍ୟ ହେବ ବୋଲି ନାସା କହିଛି।
୨୦୨୪ରେ ଉତ୍ତାପ ବଢିବା ସହିତ ଆହୁରି ଅଧିକ ଗରମ ଅନୁଭୂତ ହେବ ବୋଲି ସତର୍କତା ଜାରି କରିଛି।ଏଥିପାଇଁ ଏବେଠୁ ପ୍ରସ୍ତୁତି କରି ନେବାକୁ ନାସା ବୈଜ୍ଞାନିକମାନେ କହିଛନ୍ତି। ଯଦି କିଛି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଭୀଷଣ ଗ୍ରୀଷ୍ମରେ ଅନେକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ମଧ୍ୟ ସତର୍କ କରିଛି ନାସା। ଉଲ୍ଲେଖଯୋଗ୍ୟ ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏବେ ବିଶ୍ୱର ବିଭିନ୍ନ ଭାଗରେ ବିଭିନ୍ନ କିସମର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ଏହିକ୍ରମରେ ନାସା ମୁଖ୍ୟ ବିଲ୍ ନେଲସନ୍ କହିଛନ୍ତି ଯେ, ଆମେରିକା ସମେତ ବିଶ୍ୱର ଅନ୍ୟ ବହୁ ରାଷ୍ଟ୍ର ବର୍ତ୍ତମାନ ଜଳବାୟୁ ସଂକଟର ସମ୍ମୁଖୀନ ହୋଇଛନ୍ତି। ଏବେ ଠୁ ଯଦି ଏହାର ବିଜ୍ଞାନ ଏବଂ କାରଣକୁ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନିଆ ନ ଯାଏ ତେବେ ସାରା ବିଶ୍ବସମାଜ ପାଇଁ ଘୋର ସଙ୍କଟ ଉତ୍ପନ୍ନ ହେବ। ମାନବସମାଜ ତିଷ୍ଠ ରହିବା ଲାଗି କଠିନ ସ୍ଥିତି ଉପୁଜିବ। ଆମକୁ ଏବେ ନିଜ ସହିତ ବିଶ୍ବ ପରିବେଶକୁ ମଧ୍ୟ ରକ୍ଷା କରିବାକୁ ପଡିବ। ଚଳିତବର୍ଷ ଜୁଲାଇ ୩ ତାରିଖରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଲଗାତାର ୩୬ ଦିନ ଭୀଷଣ ଗରମ ଅନୁଭୂତ ହୋଇଥିଲା। ବାୟୁମଣ୍ଡଳରେ କାର୍ବନ ଉତ୍ସର୍ଜନ ସହିତ ଏଲ- ନିନୋର ପ୍ରଭାବ ଉଷ୍ମତା ବୃଦ୍ଧି କରିଥିଲା।
ଆମେରିକାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ବହୁ ଅଞ୍ଚଳ ପ୍ରଭାବିତ ହେବା ସହିତ ଏହିସବୁ ସ୍ଥାନରେ ଗରମ ଅସହ୍ୟ ହୋଇଥିଲା। ହାୱାଇ ଦ୍ବୀପ ପୁଞ୍ଜର ଅନେକ ସହର ବନାଗ୍ନିକୁ ନେଇ ଧ୍ବଂସ ହୋଇଯାଇଥିଲା ବେଳେ ଚୀନ୍ରେ ଅସହ୍ୟ ଗରମ ଯୋଗୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଗରମ ଯୋଗୁ କାନାଡା, ଋଷିଆ, ୟୁରୋପ, ଆଫ୍ରିକାରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି। ଆମେରିକା, ମଧ୍ୟପୂର୍ବ, ଏସିୟା ଓ ୟୁରୋପରେ ମୌସୁମୀ ଝଡ ଦେଖା ଦେଇଥିବା ବେଳେ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ଆସିଛି। ଆଗାମୀ ବର୍ଷ ମଧ୍ୟ ଅଲ-ନିନୋର ପ୍ରଭାବ ଦେଖିବାକୁ ମିଳିବ। ଯାହାକୁ ନେଇ ଆଗାମୀ ବର୍ଷ ମଧ୍ୟ ଉତ୍କଟ ସ୍ଥିତି ଦେଖାଯିବ ବୋଲି ନାସା ଗୋଡାର୍ଡ ଇନଷ୍ଟିଚ୍ୟୁଟ୍ ଫର ସ୍ପେସ୍ ଷ୍ଟଡିଜ ପକ୍ଷରୁ ଗ୍ୟାଭିନ ସ୍ମିଟ୍ କହିଛନ୍ତି। ସେ କହିଛନ୍ତି ଯେ, ଯଦି ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍ ବଢି ଯାଏ ତେବେ ବିପର୍ଯ୍ୟୟ ସୃଷ୍ଟି ହେବ।