JPSC ମହାଘୋଟାଲା: ପାସ୍‌ ପାଇଁ ୧୦୦ କୋଟିର ଡିଲ୍‌, କାଟାଗୋରୀ ଅନୁସାରେ ଧାର୍ଯ୍ୟ ହୋଇଥିଲା ରେଟ୍‌

ଝାଡ଼ଖଣ୍ଡର ବହୁଚର୍ଚ୍ଚିତ ୧୪ଶ ଜେପିଏସସି (JPSC) ପରୀକ୍ଷା ଦୁର୍ନୀତି ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା ସିଆଇଡି (CID) ହାତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ପ୍ରାର୍ଥୀମାନଙ୍କର ସେଟିଂ ଏବଂ ଟଙ୍କା କାରବାରକୁ ନେଇ ସିଆଇଡି ପଚରାଉଚରା ବେଳେ ମୁଖ୍ୟ ଦଲାଲ୍ ଅନେକ ଗୁମର ଖୋଲିଛି। ସୂତ୍ରରୁ ପ୍ରକାଶ ଯେ, ପରୀକ୍ଷାରେ ପାସ୍ କରାଇଦେବା ନାଁରେ ପ୍ରାର୍ଥୀଙ୍କ ବର୍ଗ (କାଟାଗୋରୀ) ଅନୁଯାୟୀ ରେଟ୍‌ ଧାର୍ଯ୍ୟ କରାଯାଇଥିଲା। ଏହି ଘୋଟାଲା ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ଦଲାଲ୍ ବୁଦ୍ଧେଶ୍ୱରର ଚାଞ୍ଚଲ୍ୟକର ବୟାନ

ଏହି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଦଲାଲ୍ ବୁଦ୍ଧେଶ୍ୱର ଭଗତ ସିଆଇଡି ସମ୍ମୁଖରେ ଏଭଳି ସାଂଘାତିକ ଖୁଲାସା କରିଛି। ତା'ର କହିବା ଅନୁଯାୟୀ, ସନ୍ତୋଷ ନାମକ ଅନ୍ୟ ଜଣେ ବ୍ୟକ୍ତି ମାଧ୍ୟମରେ ପ୍ରାୟ ୨୪ ଜଣ ପ୍ରାର୍ଥୀ ତା' ସହ ଯୋଗାଯୋଗ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣ ପ୍ରାର୍ଥୀ ପାସ୍ କରାଇଦେବା ଚୁକ୍ତିରେ ୧.୧୦ କୋଟି ଟଙ୍କା ମଧ୍ୟ ପ୍ରଦାନ କରିସାରିଥିଲେ। ବୁଦ୍ଧେଶ୍ୱରର ଏହି ବୟାନ ପରେ ସିଆଇଡି ଏହି ରାକେଟ୍‌ର ଚେର ଆହୁରି କେତେ ଦୂର ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ କରିଛି।

ବର୍ଗ ଅନୁସାରେ ଧାର୍ଯ୍ୟ ହୋଇଥିଲା ଦର

ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଦଲାଲମାନେ ମିଶି ଏକ ବଡ଼ ସିଣ୍ଡିକେଟ୍ ଚଳାଉଥିଲେ। ସାଧାରଣ ବର୍ଗ, ଓବିସି, ଏବଂ ଅନୁସୂଚିତ ଜାତି ଓ ଜନଜାତି (SC/ST) ପ୍ରାର୍ଥୀମାନଙ୍କ ପାଇଁ ପୃଥକ୍ ପୃଥକ୍ ଦର ସ୍ଥିର କରାଯାଇଥିଲା। ଟଙ୍କା ଦେଇଥିବା ପ୍ରାର୍ଥୀମାନଙ୍କୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଦେବା କିମ୍ବା ସେମାନଙ୍କ ଖାତାରେ ସିଧାସଳଖ ନମ୍ବର ବଢ଼ାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏହି ଯୋଜନା ସଫଳ ହୋଇଥିଲେ ସେମାନେ ମୋଟ ୧୦୦ କୋଟି ଟଙ୍କାର ମୁନାଫା କମାଇଥାନ୍ତେ ବୋଲି ତଦନ୍ତରୁ ଜଣାପଡ଼ିଛି।

ରାଞ୍ଚିରେ ବିଦ୍ୟାର୍ଥୀଙ୍କ ତୀବ୍ର ଆନ୍ଦୋଳନ

ଅନ୍ୟପଟେ, ଜେପିଏସସି ପରୀକ୍ଷାରେ ହୋଇଥିବା ଏହି ବ୍ୟାପକ ଅନିୟମିତତାକୁ ନେଇ ସାରା ଝାଡ଼ଖଣ୍ଡରେ ଅସନ୍ତୋଷର ନିଆଁ ଜଳୁଛି। ରାଞ୍ଚିଠାରେ ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି। ଆନ୍ଦୋଳନରତ ଛାତ୍ରମାନେ ରାଜ୍ୟ ସରକାରଙ୍କ ସିଆଇଡି ତଦନ୍ତ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପୂରା ଘୋଟାଲାର ଚେର ବହୁ ଉପରସ୍ତରକୁ ଲମ୍ବିଥିବାରୁ ଏହାର ତଦନ୍ତ ଭାର ସିବିଆଇ (CBI) କୁ ହସ୍ତାନ୍ତର କରିବା ପାଇଁ ସେମାନେ ଜୋରଦାର ଦାବି କରୁଛନ୍ତି।

About The Author: Suryakanta