ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି । ଯୁବପିଢିଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କୁ ଛଡ଼ାଯିବନି। ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା ସହିତ ଯୁବପିଢିଙ୍କୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ଏବଂ ଅନିୟମିତତାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ପେପର ଲିକ୍ ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ (Fast-track courts) ପ୍ରତିଷ୍ଠା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମ ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ। ପେପର ଲିକ୍‌ରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଏବଂ କଠୋର ଦଣ୍ଡ ନିଶ୍ଚିତ କରିବା ପାଇଁ ସରକାର ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ପ୍ରଭାବିତ ଛାତ୍ରମାନଙ୍କୁ ନ୍ୟାୟ ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଦର୍ଶାଇଛନ୍ତି।

ଦେଶରେ NEET ପରୀକ୍ଷା ଅନିୟମିତତାକୁ ନେଇ କକରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ଏବଂ ବିଭିନ୍ନ ବିରୋଧୀ ଦଳର ସମର୍ଥନରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିରୋଧୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ପରୀକ୍ଷା ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିବାକୁ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ ଅଭିଯୋଗ କରିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ୧୫୦ ରୁ ଅଧିକ ପେପର ଲିକ୍ ହୋଇଛି, କିନ୍ତୁ ଏହି ମାମଲାଗୁଡ଼ିକରେ ଗୋଟିଏ ବି ଲୋକଙ୍କୁ ଦଣ୍ଡିତ କରାଯାଇ ନାହିଁ।

ଗତ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। ସିଜେପି (CJP) ସମର୍ଥକମାନେ ସଂସଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କେନ୍ଦ୍ରୀୟ ଦିଲ୍ଲୀ ନିକଟରେ ଅଟକାଇଥିଲା। ଫଳରେ ସୁରକ୍ଷାକର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଜାତୀୟ ସ୍ତରର ପରୀକ୍ଷା ପରିଚାଳନାରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆଣିବା ପାଇଁ ରାଜନୈତିକ ବୟାନବାଜି ସହ ଆଇନଗତ ପ୍ରକ୍ରିୟା ଜୋର ଧରିଛି।

About The Author: Madhusudan Das