ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ଇସ୍ରୋ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଦିନ ଚଳିତ ବର୍ଷର ସବୁଠାରୁ ବଡ଼ ବାଣିଜ୍ୟିକ ମିସନରେ ସଫଳତା ହାସଲ କରିଛି। ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀର ଉତକ୍ଷେପଣ କରାଯାଇଥିଲା।
ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ଉତ୍କ୍ଷେପଣ ହୋଇଥିବା ଉପଗ୍ରହଗୁଡ଼ିକ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ବ୍ରିଟିସ ଷ୍ଟାର୍ଟଅପ୍ ‘ୱାନୱେବ’ର ୩୬ଟି ଉପଗ୍ରହକୁ ଏହି ମିସନରେ ସାମିଲ କରାଯାଇଥିଲା। ୱାନ୍ୱେବ୍ ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନି। ଭାରତୀୟ କମ୍ପାନି ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ପ୍ରମୁଖ ନିବେଶକ ଏବଂ ଅଂଶୀଦାର ଅଟେ। ଏହି ସଫଳ ଉତ୍କ୍ଷେପଣ ସହିତ ଇସ୍ରୋ ବାଣିଜ୍ୟିକ ବଜାରରେ ନିଜର ପୂର୍ବ ପ୍ରଭାବ କାଏମ ରଖିବାରେ ସମର୍ଥ ରହିଛି।
ଏହାଦ୍ୱାରା ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ଜଗତରେ ଅନେକ ନବୀକରଣ ଆସିବ ବୋଲି ଇସ୍ରୋ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିପାରିବ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା । ଇସ୍ରୋର ଏହି ମିସନର ଲକ୍ଷ୍ୟ ହେଉଛି ୬୦୦ ରୁ ଅଧିକ ଉପଗ୍ରହକୁ ମହାକାଶକୁ ପଠାଇ ଏକ ମଜବୁତ୍ ଗ୍ରୁପ୍ ବନାଇବା । ଏହା ପୂର୍ବରୁ ମଧ୍ୟ ଇସ୍ରୋ ତରଫରୁ ୨୦୨୨ ଅକ୍ଟୋବର ୨୩ ତାରିଖରେ ୩୬ ଟି ଉପଗ୍ରହକୁ ସଫଳତାପୂର୍ବକ ରୂପରେ ପୃଥିବୀର ୬୦୦ କିଲୋମିଟର ନିମ୍ନ କକ୍ଷପଥ ମଧ୍ୟରେ ଲଞ୍ଚ କରାଯାଇଥିଲା।
ଇସ୍ରୋର ଅଧ୍ୟକ୍ଷ ବୈଜ୍ଞାନିକ ଏସ ସୋମନାଥ କହିଛନ୍ତି ଯେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ରେ ୩୬ଟି ୱାନୱେବ ଉପଗ୍ରହ ଅଛି । ଉଡ଼ାଣ ଭରିବାର ୧୯ ମିନିଟ ଭିତରେ ଏହା ୱାନୱେବ ୩୬ ଟି ଛୋଟ ବ୍ରଡ଼ବ୍ରାଣ୍ଡ ସଞ୍ଚାର ଉପଗ୍ରହ ସହ ଯୋଡିହୋଇଛି। ଏହା ହେଉଛି ପ୍ରାୟ ୪୩.୫ ମିଟର ଲମ୍ବା ରକେଟର ଉତକ୍ଷେପଣ। ୮ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ଥିବା ଏହାକୁ ସବୁଠାରୁ ଭାରୀ ଉପଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଛି।