ଠିକଣା ସମୟରେ ଭାରତର ସହାୟତା ପାଇଁ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଗଲା ଶ୍ରୀଲଙ୍କା: ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା

କଲମ୍ବୋ(ଏଜେନ୍ସି): ଆର୍ଥିକ ଦୁର୍ଗତିକୁ ନେଇ ଗତବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତର ସହାୟତା ଅନନ୍ୟ ରହିଥିଲା। ଦେଶର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ବିଭିନ୍ନ ଦିଗରେ ଯେଭଳି ସହାୟତାର ହାତ ବଢାଇଥିଲା ତାହା ପ୍ରତ୍ୟେକ ଶ୍ରୀଲଙ୍କାବାସୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଠିକଣା ସମୟରେ ଭାରତର ସହାୟତା ପାଇଁ ଦେଶ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଯାଇଥିଲା। ୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟିଶ ଶାସନକଳରୁ ମୁକ୍ତ ହେବା ପରେ ଏଭଳି ସ୍ଥିତି କେବେ ଦେଖାଯାଇ ନଥିଲା। […]

କଲମ୍ବୋ(ଏଜେନ୍ସି): ଆର୍ଥିକ ଦୁର୍ଗତିକୁ ନେଇ ଗତବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତର ସହାୟତା ଅନନ୍ୟ ରହିଥିଲା। ଦେଶର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ବିଭିନ୍ନ ଦିଗରେ ଯେଭଳି ସହାୟତାର ହାତ ବଢାଇଥିଲା ତାହା ପ୍ରତ୍ୟେକ ଶ୍ରୀଲଙ୍କାବାସୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଠିକଣା ସମୟରେ ଭାରତର ସହାୟତା ପାଇଁ ଦେଶ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଯାଇଥିଲା।

୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟିଶ ଶାସନକଳରୁ ମୁକ୍ତ ହେବା ପରେ ଏଭଳି ସ୍ଥିତି କେବେ ଦେଖାଯାଇ ନଥିଲା। କିନ୍ତୁ ପଡ଼ୋଶୀ ରାଷ୍ଟ୍ର ଭାରତର ସହାୟତା ପାଇଁ ଦେଶ ଏକ ବଡ଼ ବିପତ୍ତିରୁ ଉଦ୍ଧାର ପାଇଥିଲା। ଅନ୍ୟ ଯେକୌଣସି ରାଷ୍ଟ୍ରର ସହାୟତା ତୁଳନାରେ ଭାରତର ସହାୟତା ଅନନ୍ୟ ବୋଲି ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୟର୍ଦ୍ଦନେ କହିଛନ୍ତି। ୨୦୨୨ ପ୍ରାରମ୍ଭରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ପାଣ୍ଠିକୁ ନେଇ ସ୍ଥିତି ବେହାଲ ହୋଇପଡ଼ିଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା। ଗୋଟିଏ ପଟେ ରାଜନୈତିକ ଅସ୍ଥିରତା ଏବଂ ଅନ୍ୟପଟେ ଦୁସ୍ଥ ଅର୍ଥନୀତି ଦେଶକୁ ଦେବାଳିଆ ସ୍ଥିତି ଆଡକୁ ଟାଣି ନେଇଥିଲା। ଯାହାକୁ ନେଇ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିଲା। କିନ୍ତୁ ଏହି ସମୟରେ ଭାରତର ସହାୟତା ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ମଙ୍ଗଳଦାୟକ ରହିଥିଲା। ଭାରତ ବିଭିନ୍ନ ଜରୁରୀ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିମ ଏବଂ ବିଭିନ୍ନ ଦିଗରେ ୪ ବିଲିୟନ ଡଲାର ସହାୟତା ଯୋଗାଇ ଦେବା ଆମ ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରହିଥିଲା। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ର ପାଇଁ ଭାରତ ସରକାର ମଲ୍ଟିପୁଲ କ୍ରେଡିଟ୍ ଲାଇନ ବ୍ୟବସ୍ଥା କରିବା ଏବଂ ଶ୍ରୀଲଙ୍କା ମୁଦ୍ରାର ଅବନତି ରୋକିବାକୁ କରିଥିବା ସହଯୋଗ ଆମ ପାଇଁ ବହୁ ଗୁରୁତ୍ବ ବହନ କରିଥିଲା ବୋଲି ମହିନ୍ଦା ୟାପା ଗତକାଲି ପ୍ରକାଶ କରିଛନ୍ତି।

ସଂପ୍ରତି ଇଣ୍ଡିଆନ ଟ୍ରାଭେଲ କଂଗ୍ରେସ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ସେଠାରେ ଏହି ପ୍ରତିନିଧି ଦଳକୁ ସ୍ବାଗତ କରିବା ଅବସରରେ ସେ ଏହା କହିଛନ୍ତି। କେବଳ ସେତିକି ନୁହେଁ, ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ଋଣ ରାଶିକୁ ୧୨ ବର୍ଷ ମଧ୍ୟରେ ପରିଶୋଧ କରାଯିବାର ସ୍ବୀକୃତି ମିଳିବା ଶ୍ରୀଲଙ୍କା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ, ପାରମ୍ପାରିକ ଏବଂ ଧାର୍ମିକ ସମ୍ବନ୍ଧକୁ ନେଇ ମଧ୍ୟ ଉତ୍ସାହିତ ରହିଥିବା କହିଛନ୍ତି।

About The Author: The Sakala