ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ଏକ ବିରଳ ରୋଗରେ ପୀଡ଼ିତ ଥିବା ଶିଶୁକନ୍ୟାର ଜୀବନ ବଞ୍ଚାଇବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶିଶୁଟିର ଚିକିତ୍ସା ପାଇଁ ୧୫ କୋଟି ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ଏହି ବିପୁଳ ରାଶିକୁ ମଞ୍ଜୁର କରିଛନ୍ତି। ଏହି ଘୋଷଣା ପରେ ଶିଶୁକନ୍ୟାର ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫିରେ ପୀଡ଼ିତ ୟାମିକା

ଗିରିଡିହ ଜିଲ୍ଲାର ବାସିନ୍ଦା ତଥା ଝାଡ଼ଖଣ୍ଡ ପୋଲିସରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ଜଣେ ପୋଲିସ ଅଧିକାରୀଙ୍କ ଝିଅ ୟାମିକା ପଟେଲ ଏକ ଅତ୍ୟନ୍ତ ବିରଳ ରୋଗ ସ୍ପାଇନାଲ୍ ମସ୍କୁଲାର୍ ଆଟ୍ରୋଫି ଟାଇପ୍-୧ (SMA Type-1) ରେ ପୀଡ଼ିତ। ଏହି ରୋଗ ଏତେ ଭୟଙ୍କର ଯେ ଝାଡ଼ଖଣ୍ଡରେ ଏହାର ଚିକିତ୍ସା ସମ୍ଭବ ନଥିଲା। ଡାକ୍ତରମାନେ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ, ଯାହାର ଗୋଟିଏ ଡୋଜ୍‌ର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା। ଏତେ ବଡ଼ ରକମ ଯୋଗାଡ଼ କରିବା ଆର୍ଥିକ ଦୃଷ୍ଟିରୁ ସାଧାରଣ ପରିବାର ପାଇଁ ଅସମ୍ଭବ ଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

କୌଣସି ଉପାୟ ନପାଇ ଶିଶୁଟିର ପରିବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଇରଫାନ ଅନସାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ବିଧାୟିକା କଳ୍ପନା ସୋରେନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସରକାର ଏହି ସମ୍ବେଦନଶୀଳ ଘଟଣାକୁ ବିଚାରକୁ ନେଇ କ୍ୟାବିନେଟ୍‌ରେ ୧୫ କୋଟି ଟଙ୍କାର ପାଣ୍ଠିକୁ ଅନୁମୋଦନ ଦେଇଛନ୍ତି।

ଅସହାୟଙ୍କ ସାହାରା ସାଜିଲେ ସରକାର

ଏହି ଅନୁମୋଦନ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇରଫାନ ଅନସାରୀ କହିଛନ୍ତି ଯେ, "ଝାଡ଼ଖଣ୍ଡରେ ଅର୍ଥ ଅଭାବରୁ ଏଣିକି କୌଣସି ପରିବାର ନିଜ ସନ୍ତାନକୁ ହରାଇବେ ନାହିଁ। ରାଜ୍ୟ ସରକାର ପ୍ରତ୍ୟେକ ଗରିବ ଓ ଅସହାୟଙ୍କ ସହ ଠିଆ ହୋଇଛନ୍ତି"। ସରକାରଙ୍କ ଏହି ସହାୟତା ପରେ ୟାମିକାଙ୍କ ପରିବାର ଭାବବିହ୍ୱଳ ହୋଇପଡ଼ିବା ସହ କହିଛନ୍ତି ଯେ ନିଜର ସବୁ ସମ୍ପତ୍ତି ବିକ୍ରି କରିଦେଇଥିଲେ ମଧ୍ୟ ଏତେ ମହଙ୍ଗା ଚିକିତ୍ସା ସମ୍ଭବ ହୋଇପାରି ନଥାନ୍ତା।

About The Author: Suryakanta