ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ନିଯୁକ୍ତି ପାଇଛନ୍ତି। ତିନି ବର୍ଷ ପାଇଁ ସେ ଏହି ପଦରେ ନିଯୁକ୍ତ ହୋଇଛନ୍ତି। ଦୀର୍ଘ ୩୦ ବର୍ଷ ପରେ ଶ୍ରୀ ପଟେଲ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିକୁ ଫେରିଛନ୍ତି। ଯାହା ଫଳରେ ସେ ପୁଣି ଥରେ ସେହିଠାରେ ପହଞ୍ଚିଛନ୍ତି, ଯେଉଁଠାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଆଇଏମ୍ଏଫ୍ରେ ଭାରତର ବର୍ତ୍ତମାନର ଇଡି କୃଷ୍ଣମୂର୍ତ୍ତି ଭି. ସୁବ୍ରମଣ୍ୟନଙ୍କ ସ୍ଥାନରେ ଶ୍ରୀ ପଟେଲ୍ଙ୍କୁ ଏହି ନିଯୁକ୍ତି ମିଳିଛି।
ସୂଚନାଯୋଗ୍ୟ ଯେ, କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ୬ ମାସ ପୂର୍ବରୁ ଶ୍ରୀ ସୁବ୍ରମଣ୍ୟନ ବିଦାୟ ନେଇଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଆଇଏମଏଫରେ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ପଟେଲ ୨୦୧୬ରେ ରଘୁରାମ ରାଜନଙ୍କ ପରେ ଆର୍ବିଆଇର ୨୪ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୮ରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ପ୍ରଥମ ଆର୍ବିଆଇ ଗଭର୍ଣ୍ଣର ଥିଲେ। ତେବେ ପଟେଲ ଏପରି ସମୟରେ ଆଇଏମ୍ଏଫ୍ର ଏହି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି, ଯେତେବେଳେ ପାକିସ୍ତାନ ଏହି ଅନ୍ତର୍ଜାତୀୟ ଏଜେନ୍ସିରୁ ପାଇବାକୁ ଥିବା ପ୍ରୋତ୍ସାହନ ପ୍ୟାକେଜ୍କୁ ଭାରତ ବାରମ୍ବାର ବିରୋଧ କରିଆସୁଛି। ଭାରତର ଚିନ୍ତା ହେଉଛି ଇସଲାମାବାଦ ଏହି ପାଣ୍ଠିକୁ ଯୁଦ୍ଧ ଏବଂ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଦିଗରେ ବିନିଯୋଗ ଯୋଗାଇପାରେ।