କାବୁଲ : ତାଲିବାନ ପୁରା ଦେଶକୁ ଅଧିକାର କରିବା ପରେ ଏବେ ମଧ୍ୟ ପଞ୍ଚଶୀର ଘାଟିକୁ ଏପର୍ୟ୍ୟନ୍ତ ଦଖଲ କରିପାରି ନାହିଁ ତାଲିବାନ । ବନ୍ଧୁକ ମୁନରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିସାରିଛି ତାଲିବାନ କିନ୍ତୁ ଦେଶର ଅଭେଦ୍ୟ ଦୁର୍ଗ ପଞ୍ଜଶୀରରେ ଏଯାଏଁ ପାଦ ଦେଇପାରି ନଥିଲେ ତାଲିବାନୀ ଆତଙ୍କୀ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ପଞ୍ଚଶୀର ଘାଟି ଦଖଲ କରିବାକୁ ଏବେ ତାଲିବାନୀମାନେ ସେଠାରେ ପହଂଚିଛନ୍ତି । ହେଲେ ସେଠାରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଶାହା ମସୁଦଙ୍କ ଯୋଦ୍ଧାମାନେ ଘାଟିକୁ ତାଲିବାନ ହାତକୁ ନଦେବାକୁ ନିଷ୍ପତ୍ତି କରି ଜଗି ବସିଛନ୍ତି । ତାଲିବାନୀମାନେ ସେଠାରେ ପହଂଚିବା ପରେ ମସୁଦଙ୍କ ଯୋଦ୍ଧାମାନେ ତାଙ୍କୁ କଡା ଟକ୍କର ଦେଉଥିବା ଜଣାପଡିଛି। ବର୍ତ୍ତମାନ ପଞ୍ଚଶୀରେ ଉତ୍ତର ସାମୁଖ୍ୟ ଓ ତାଲିବାନୀଙ୍କ ମଧ୍ୟରେ ମହାସଂଗ୍ରାମ ଚାଲିଛି।
ଏହା ପୂର୍ବରୁ ଅଲଜଜୀରା ଦାବି କରିଥିଲା କି ମସୁଦଙ୍କ ପୁଅ ତାଲିବାନୀଙ୍କ ସହ ହାତ ମିଳାଇଛନ୍ତି । ହେଲେ ଏବେର ସୂଚନା ମୁତାବକ ତାଲିବାନୀ ଯୋଦ୍ଧାଙ୍କ ସହ ମସୁଦ ଯୋଦ୍ଧାଙ୍କ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । କହିରଖୁ କି କିଛିଦିନ ଆଗରୁ ମସୁଦ କହିଥିଲେ କି କୌଣସି ପରିସ୍ଥିତିରେ ତାଲିବାନକୁ ପଞ୍ଚଶୀର ଘାଟି ଦଖଲ କରିବାକୁ ଦିଆଯିବ ନାହିଁ ।
ସୂଚନାଯୋଗ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ପଞ୍ଜଶୀର ପ୍ରାନ୍ତ । ଯାହାର ନାମ କରଣ ପଛରେ ରହିଛି ବିଶେଷ ଅର୍ଥ । ଆଉ ଏହି ଅର୍ଥ ହେଉଛି ପାଞ୍ଚଟି ସିଂହ । ବର୍ତ୍ତମାନ ପର୍ୟ୍ୟନ୍ତ ଏହି କ୍ଷେତ୍ରରେ ହୋଇନାହିଁ କାହାରି କବଜା । ଏହା ଦୀର୍ଘ ଦିନ ଧରି ଏବେ ବି ସ୍ବାଧୀନ ହୋଇରହିଛି ।ଆଫଗାନିସ୍ତାନର ୩୪ ରାଜ୍ୟ ମଧ୍ୟରୁ ଗୋଟିଏ ପଞ୍ଜଶୀର, ଯାହାର ୭ ଜିଲ୍ଲାରେ ରହିଛି ୫୧୨ ଗାଁ । ୨୦୨୧ ରିପୋର୍ଟ ଅନୁଯାୟୀ, ଏହି ରାଜ୍ୟର ଜନସଂଖ୍ୟା ୧୭୩୦୦୦ । ଏହାର ପ୍ରାନ୍ତୀୟ ରାଜଧାନୀ ହେଉଛି ବାଜାରକ ।ପଞ୍ଜଶୀର ରାଜ୍ୟ ହିଁ ବର୍ତ୍ତମାନ ଆଫଗାନିସ୍ତାନର ଶେଷ ଆଶା ଅମରୁଲ୍ଲା ସାଲେହଙ୍କ ଜନ୍ମସ୍ଥାନ । ଏହିଠାରୁ ହିଁ ସେ ଅସରଫ ଘନିଙ୍କ ପଳାୟନ ପରେ ନିଜକୁ ଆଫଗାନିସ୍ତାନର କେୟାରଟେକର ରାଷ୍ଟ୍ରପତି ଭାବରେ ନିଜକୁ କରିଛନ୍ତି ଘୋଷଣା ।
କାବୁଲ କବଜା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଛି ଆଫଗାନ ସେନା । ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି । ସଙ୍କଟର ଏହି ଘଡିରେ ଯଦି କିଏ ଏଯାଏଁ ମୁଣ୍ଡ ନୁଆଁଇ ନାହିଁ, ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି ଅମରୁଲ୍ଲା ।