କୋହ୍ଲାପୁର ଫେରିବ ପ୍ରିୟ ହାତୀ ମାଧୁରୀ ଓରଫ ମହାଦେବୀ; ଭନତାରା କହିଲା 'ସୁସ୍ଥତା ଆମର ପ୍ରଥମ ପ୍ରାଥମିକତା'

ଜାମନଗର: କୋଲହାପୁରରେ ମହାଦେବୀ ନାମରେ ପରିଚିତ ହାତୀ ମାଧୁରୀକୁ ନେଇ ଏକ ବିସ୍ତୃତ ବିବୃତି ଜାରି କରିଛି ଜାମନଗରସ୍ଥିତ ଭନତାରା । ଭନତାରା କହିଛି, ୨୦୨୫ ଜୁଲାଇ ୩୦ ତାରିଖରେ ହାଇ-ପାୱାର୍ଡ କମିଟି ର ନିର୍ଦ୍ଦେଶ ଅନୁସାରେ ମାଧୁରୀକୁ ଜାମନଗର ଅଣାଯାଇଥିଲା। ଏହି ନିର୍ଦ୍ଦେଶକୁ ବମ୍ବେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଥିଲେ। ମାଧୁରୀର କଷ୍ଟଡି ଭନତାରା ନିଜେ ଚାହିଁନଥିଲା, ବରଂ ନିର୍ଦ୍ଦେଶ ଅନୁସାରେ ତାକୁ ଗ୍ରହଣ କରି ଯତ୍ନ ନେଇଥିଲା ବୋଲି ସଂସ୍ଥା କହିଛି।

କୋଲହାପୁରବାସୀଙ୍କ ମାଧୁରୀ ପ୍ରତି ଥିବା ଗଭୀର ଭାବନାକୁ ସମ୍ମାନ କରୁଥିବା କହିଛି। ମହାରାଷ୍ଟ୍ର ସରକାର, ଅଧିକାରୀ, ବିଭିନ୍ନ ହିତଧାରୀ ଓ ସ୍ଥାନୀୟ ସମୁଦାୟ ସହ ଆଲୋଚନା ପରେ ୨୦୨୫ ଅଗଷ୍ଟ ୬ରେ ଭନତାରା ଏହି ଭାବନାକୁ ସମ୍ମାନ କରିବା ସହ ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବ ବୋଲି କହିଥିଲା।

ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନିଜ ଦାବି ହାଇ-ପାୱାର୍ଡ କମିଟି ସମ୍ମୁଖରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପକ୍ଷଙ୍କ ଶୁଣାଣି, ରିପୋର୍ଟ ଓ ନନ୍ଦାନୀସ୍ଥିତ ମାଧୁରୀର ପୂର୍ବତନ ରହଣୀସ୍ଥଳୀର ନିରୀକ୍ଷଣ ପରେ ହାଇ-ପାୱାର୍ଡ କମିଟି ସେପ୍ଟେମ୍ବର ୯, ୨୦୨୬ରେ ଏକ ଯୁକ୍ତିସଙ୍ଗତ ଆଦେଶ ଜାରି କରି ମାଧୁରୀକୁ କୋଲହାପୁର ଫେରାଇବାକୁ ଅନୁମତି ଦେଇଛି।

ତେବେ ଏହି ଫେରିବା କିଛି କଡ଼ା ସର୍ତ୍ତ ସହ ହେବ। ମାଧୁରୀକୁ ଆଉ କୌଣସି ଶୋଭାଯାତ୍ରା କିମ୍ବା ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯିବ ନାହିଁ। ତାକୁ ୨୪ ଘଣ୍ଟିଆ ଯତ୍ନ ଦିଆଯିବା ସହ ପ୍ରତି ୧୫ ଦିନରେ ଥରେ ଚିକିତ୍ସା ପରୀକ୍ଷା କରାଯିବ। ହାଇ-ପାୱାର୍ଡ କମିଟିର ଏହି ସମସ୍ତ ନିର୍ଦ୍ଦେଶକୁ ଭନତାରା ପୂର୍ଣ୍ଣ ଭାବେ ପାଳନ କରିବ ବୋଲି ସ୍ପଷ୍ଟ କରିଛି।

ଭନତାରା ଅନୁସାରେ, ମାଧୁରୀର ସ୍ୱାସ୍ଥ୍ୟରେ ଉନ୍ନତି ଓ ସ୍ଥିରତା ଆସିଥିଲେ ମଧ୍ୟ ତାଙ୍କର ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ନିୟମିତ ଭେଟେରିନାରୀ ମନିଟରିଂ, ସପୋର୍ଟିଭ୍ କେୟାର୍ ଓ ଉପଯୁକ୍ତ ଚିକିତ୍ସା ଆବଶ୍ୟକ ରହିବ।

ବିଶେଷ କଥା ହେଉଛି, ମାଧୁରୀ କୋଲହାପୁର ଫେରିବା ପରେ ମଧ୍ୟ ଭନତାରା ତାଙ୍କ ସ୍ୱାସ୍ଥ୍ୟର ନିୟମିତ ତଦାରଖ କରିବ। HPCର ନିର୍ଦ୍ଦେଶ ଅନୁସାରେ ଭନତାରାର ପଶୁଚିକିତ୍ସକମାନେ ପ୍ରତି ୧୫ ଦିନରେ କୋଲହାପୁର ଯାଇ ମାଧୁରୀଙ୍କ ମେଡିକାଲ୍ ଚେକଅପ୍ କରିବେ ଏବଂ ରିପୋର୍ଟ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ।

ନନ୍ଦାନୀରେ ମାଧୁରୀ ପାଇଁ ଥିବା ଏନ୍କ୍ଲୋଜର୍ ଓ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ଭନତାରା ପକ୍ଷରୁ ସୁଧାରାଯାଇଥିବା କୁହାଯାଇଛି। ଉପଲବ୍ଧ ଭିତ୍ତିଭୂମି ମଧ୍ୟରେ ସମ୍ଭବ ସର୍ବୋତ୍ତମ ବ୍ୟବସ୍ଥା କରାଯାଇଛି। ତେବେ ଟାଉନ୍ ପ୍ଲାନିଂ ସମ୍ପର୍କିତ ସମସ୍ୟା ଯୋଗୁଁ ଏହି ପର୍ଯ୍ୟାୟରେ ଆହୁରି ଭିତ୍ତିଭୂମି ବିକାଶ ସମ୍ଭବ ହୋଇନଥିବା ଭନତାରା କହିଛି। ଟ୍ରଷ୍ଟର ଜମି ଦେଇ ଏକ ରାସ୍ତା ଯାଇଥିବାରୁ ବିକାଶ ପାଇଁ ଉପଲବ୍ଧ ଜମି ସୀମିତ ରହିଛି।

ମାଧୁରୀ ନୂଆ ପରିବେଶରେ ସ୍ଥିର ହେବା ପରେ ସୁବିଧା ବିକାଶ ପାଇଁ ଭନତାରା ଉପଲବ୍ଧ ରହିବ ବୋଲି କହିଛି। ଆବଶ୍ୟକ ହେଲେ କୋର୍ଟ କିମ୍ବା ସକ୍ଷମ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ମଧ୍ୟ ଭିତ୍ତିଭୂମି ଉନ୍ନତିରେ ସହଯୋଗ କରିବ।

ଭନତାରା କହିଛି, ପ୍ରକୃତ ପଶୁ କଲ୍ୟାଣ ପାଇଁ ତଥ୍ୟ, ପଶୁଚିକିତ୍ସା ବିଜ୍ଞାନ, ଦାୟିତ୍ୱପୂର୍ଣ୍ଣ ଯତ୍ନ, ଆଇନଗତ ପ୍ରକ୍ରିୟା ପ୍ରତି ସମ୍ମାନ ଏବଂ ଜୀବନର ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ଆବଶ୍ୟକ।

ସୁପ୍ରିମକୋର୍ଟ, ବମ୍ବେ ହାଇକୋର୍ଟ ଓ HPCର ନିର୍ଦ୍ଦେଶ ପାଇଁ ଭନତାରା କୃତଜ୍ଞତା ଜଣାଇଛି। ମହାରାଷ୍ଟ୍ର ଓ ଗୁଜରାଟ ସରକାର ସହ ସେମାନଙ୍କ ଅଧିକାରୀ, କୋଲହାପୁରର ମାଥ୍ ଏବଂ ମାଧୁରୀଙ୍କ ପାଇଁ ଚିନ୍ତା ପ୍ରକାଶ କରିଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛି। ମାଧୁରୀଙ୍କ ସ୍ଥିତି HPC ସମ୍ମୁଖରେ ଆଣିବାରେ PETA Indiaର ଭୂମିକାକୁ ମଧ୍ୟ ଭନତାରା ସ୍ୱୀକାର କରିଛି।

ଶେଷରେ ଭନତାରା ସ୍ପଷ୍ଟ କରିଛି ଯେ, ମାଧୁରୀର ସୁସ୍ଥତା ହିଁ ତାଙ୍କର ପ୍ରଥମ ପ୍ରାଥମିକତା। ସେ କେଉଁଠି ରହୁଛି, ତାହା ଉପରେ ତା'ର ସ୍ୱାସ୍ଥ୍ୟ, କଲ୍ୟାଣ ଓ ସମ୍ମାନ ପ୍ରତି ଭନତାରାର ପ୍ରତିବଦ୍ଧତା ନିର୍ଭର କରେନାହିଁ। ମାଧୁରୀର ସୁସ୍ଥ, ସୁରକ୍ଷିତ ଓ ଦୀର୍ଘ ଜୀବନ କାମନା କରିଛି ସଂସ୍ଥା ।

About The Author: Madhusudan Das