ମୁମ୍ବଇ: ମହାରାଷ୍ଟ୍ର ଶାସକ ବିଜେପି-ଶିବସେନା ମେଣ୍ଟରେ ଫାଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେନା ମୁଖ୍ୟ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ପ୍ରତିପକ୍ଷମାନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଶୁଣାଇଛନ୍ତି। ସେ କହିଛନ୍ତ, ମୁଁ ହେଉଛି ସେନା ପ୍ରତିଷ୍ଠାତା ବାଲ ଠାକେରଙ୍କ ଶିଷ୍ୟ। ମୋତେ ହାଲ୍କା ଭାବେ ନିଅନି। ଯେଉଁମାନେ ମୋତେ ହାଲକା ଭାବେ ନେଇଥିଲେ, ୨୦୨୨ରେ ସେମାନଙ୍କ ସରକାରର ପତନ ଘଟାଇଥିଲି। ତାଙ୍କର ଏଭଳି ଚେତାବନୀ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।
ତାଙ୍କୁ ମିଳିଥିବା ଆକ୍ରମଣ ଧମକ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ସିନ୍ଦେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। କିନ୍ତୁ ଏହାସହିତ ରାଜନୀତିକୁ ଯୋଡ଼ିବା ଲାଗି ସେ ପଛାଇ ନାହାନ୍ତି। ସେ କହିଛନ୍ତି, ମୋତେ ପୂର୍ବରୁ ଅନେକ ଧମକ ମିଳିଛି। କିନ୍ତୁ ମୁଁ ଡରିବା ଲୋକ ନୁହେଁ। ମୁଁ ହେଉଛି ଶିବ ସେନା କର୍ମୀ ଏବଂ ବାଲ୍ ଠାକରେଙ୍କ ଶିଷ୍ୟ। ତେଣୁ ମୋେତ ହାଲ୍କା ଭାବେ ନିଆଯିବା ଉଚିତ ନୁହେଁ। ସମସ୍ତେ ଏକଥା ବୁଝିବା ଉଚିତ। ୨୦୨୨ରେ ତାଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକ୍ରେ ସରକାରର ପତନ କଥା ମନେ ପକାଇ ସିନ୍ଦେ କହିଲେ, ସେମାନେ ମୋତେ ହାଲକା ଭାବେ ନେଲେ ଏବଂ ମୁଁ ସରକାର ବଦଳାଇ ଦେଇଥିଲି। ୨୦୨୪ ନିର୍ବାଚନ ପୂର୍ବରୁ ମୁଁ ଫଡ୍ନାଭିସଙ୍କୁ କହିଥିଲି ଯେ ବିଧାନସଭା ନିର୍ବାଚନରେ ଆମେ ୨୦୦ରୁ ଅଧିକ ଆସନ ଜିତିବୁ ଏବଂ ଆମକୁ ୨୩୨ ଆସନ ମିଳିଲା। ତେଣୁ ମୁଁ କହୁଛି ଯେ ମୋେତ କେହି ହାଲ୍କା ଭାବେ ନେବା ଠିକ୍ ନୁହେଁ। ଯେଉଁମାନେ ମୋତେ ବୁଝି ପାରି ନାହାନ୍ତ, ସେମାନଙ୍କ ଲାଗି ଏହା ହେଉଛି ମୋର ଚେତାବନୀ ବୋଲି ସେ କହିଛନ୍ତି। ନୂଆ ସରକାରରେ ତାଙ୍କୁ ଗୁରୁତ୍ବ ମିଳୁନଥିବାରୁ ସହଯୋଗୀ ବିଜେପି ଉଦ୍ଦେଶ୍ୟରେ ସେ ଏଭଳି ଚେତାବନୀ ଦେଇଥିବା ତାଙ୍କ କଥାରୁ ସ୍ପଷ୍ଟ ହୋଇଯାଉଛି।
ମୁଖ୍ୟମନ୍ତ୍ରୀ ଫଡ୍ନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ସିନ୍ଦେଙ୍କର ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ୨୦୨୨ରେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ସିନ୍ଦେ ବିଜେପି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। କମ୍ ଆସନ ସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ବିଧାନସଭା ନିର୍ବାଚନ ପରେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ଆଶାୟୀ ଥିଲେ। କିନ୍ତୁ ଏଥିରେ ବିଜେପି ରାଜି ନହେବାରୁ ସେ ଭୀଷଣ କ୍ଷୁବ୍ଧ ଅଛନ୍ତି। କିନ୍ତୁ ସରକାର ଗଠନ ପରେ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଫଡ୍ନାଭିସ ତାଙ୍କୁ ଆଉ ଗୁରୁତ୍ବ ଦେଉ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କର ପକ୍ଷଚ୍ଛେଦନ ଆରମ୍ଭ କରିଛନ୍ତି। ସିନ୍ଦେଙ୍କୁ ଗୃହ ବିଭାଗ ତ ଦେଲେନି, ତାଙ୍କର ଅନେକ ସୁପାରିସକୁ ମଧ୍ୟ ଗ୍ରହଣ କରୁ ନାହାନ୍ତି। କେବଳ ଏତିକି ନୁହେଁ, ସିନ୍ଦେଙ୍କ ବିଧାୟକମାନଙ୍କୁ ମିଳୁଥିବା ୱାଇ-ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କାଢ଼ି ନେଇଛନ୍ତି ଫଡ୍ନାଭିସ। ତାଙ୍କ ସହ ଆଲୋଚନା ନକରି ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବାରୁ ସିନ୍ଦେ ବିରକ୍ତି ପ୍ରକାଶ କରିଥିଲେ। ଏହାର ପ୍ରତିବାଦ ଜଣାଇ ସିନ୍ଦେ ମୁଖ୍ୟମନ୍ତ୍ରୀଙ୍କ ଅନେକ ବୈଠକକୁ ଯାଉ ନାହାନ୍ତି। ସେହିଦିନ ଠାରୁ ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି।