ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ୬ ଶିବସେନା (ୟୁବିଟି) ସାଂସଦ

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଉଲଟପାଲଟ ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକ ଶକ୍ତ ଝଟକା ଦେଇ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସୋମବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଅନେକ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ସାଂସଦମାନେ ଦଳ ପରିବର୍ତ୍ତନ କରିଛନ୍ତି, ଯାହା ସିନ୍ଦେଙ୍କ ପ୍ରଭାବକୁ ଆହୁରି ମଜବୁତ କରିଛି।

ଗତ ଜୁନ ୧୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା (ୟୁବିଟି) ସଂସଦୀୟ ଦଳର ବୈଠକରେ ଯୋଗ ଦେଇନଥିବା ଏହି ୬ ସାଂସଦ ହେଲେ ସଞ୍ଜୟ ଦୀନା ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ଭାଉସାହେବ ୱାକଚୌରେ, ନାଗେଶ ପାଟିଲ-ଅଷ୍ଟିକର ଏବଂ ଓମପ୍ରକାଶ ରାଜେ ନିମ୍ବାଲକର। ଶିବସେନା (ୟୁବିଟି)ର ମୋଟ ୯ ଜଣ ଲୋକସଭା ସାଂସଦ ଥିବା ବେଳେ, ଦଳ ବଦଳାଇବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା (୬ ଜଣ) ପୂରଣ କରିବାରେ ବିଦ୍ରୋହୀ ଗୋଷ୍ଠୀ ସଫଳ ହୋଇଛନ୍ତି।

ଏହି ୬ ସାଂସଦଙ୍କୁ ନିଜ ଦଳରେ ସ୍ୱାଗତ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକନାଥ ସିନ୍ଦେ କହିଛନ୍ତି ଯେ, ଏହି ସାଂସଦମାନେ ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରକୃତ ଶିବସେନାରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, "ଆଜି ମୋ ସାମ୍ନାରେ ଗୋଟିଏ ନୁହେଁ, ବରଂ ୬ଟି ବାଘ ଉପସ୍ଥିତ ଅଛନ୍ତି। ଏଥର ଆମେ ଛକ୍କା ମାରିଛୁ।" ୨୦୨୨ ମସିହାର ବିଦ୍ରୋହକୁ ମନେ ପକାଇ ସେ ଏହି ଘଟଣାକୁ ଦ୍ୱିତୀୟ ବିଦ୍ରୋହ ବୋଲି ଅଭିହିତ କରିଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସାଂସଦମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତା ପୂରଣ କରାଯିବ ବୋଲି ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।

About The Author: Madhusudan Das